ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ତଦନ୍ତର ଅଗ୍ରଗତି ଜଣାଅ: ହାଇକୋର୍ଟ

କଟକ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯କୁ ଧାର୍ଯ୍ୟ କରାଯାଇଥିବାବେଳେ ତଦନ୍ତର ସାନି ସ୍ଥିତି ଓ ଅଗ୍ରଗତି ସଂପର୍କରେ ସବିଶେଷ ବିବରଣୀ ଦାଖଲ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ଗଣଦୁଷ୍କର୍ମ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ଗତ ୧୨ ତାରିଖ ଦିନ ଜବାବ ଦାଖଲ କରାଯାଇଥିଲା।

କ୍ରାଇମବ୍ରାଞ୍ଚ ଏଡିଜି ସତ୍ୟପାଠ ମାଧ୍ୟମରେ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ଅକ୍ଟୋବର ୬ରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ଦିଆଯାଇଛି। ଜଣେ ଅତିରିକ୍ତ ଏସ୍‌ପି, ତିନି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର୍‌ ସେଲ୍‌ର ଜଣେ ଇନ୍ସପେକ୍ଟର ତଦନ୍ତରେ ସହଯୋଗ କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବା ପରେ ଅଭିଯୁକ୍ତଙ୍କୁ ଜେରା କରାଯାଇଛି। ଅଭିଯୁକ୍ତଙ୍କ ବୟାନର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଏସ୍‌ଏଫ୍‌ଏସ୍‌ଏଲରେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏଥିପାଇଁ ଅଭିଯୁକ୍ତଙ୍କ ସମ୍ମତି ମଧ୍ୟ ନିଆଯାଇଛି। ଏ ସଂପର୍କିତ ଟେଷ୍ଟ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଥିବାବେଳେ ସତ୍ୟ ଉନ୍ମୋଚନ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ଜନସ୍ବାର୍ଥ ଆବେଦନରେ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ବୋଲି ଦର୍ଶାଯାଇଛି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ବର ଡିସିପି ଓ ମହିଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ ଗୌତମ ସିଦ୍ଦିକି ନିଜେ ମାମଲା ପରିଚାଳନା କରୁଥିବା ବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇନଜୀବୀ ଜି.ପି.ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର