ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣା : ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ

ପୁଲିସ ଡିଜିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ ସାନି ତଥ୍ୟ ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ତଦନ୍ତର ଅଗ୍ରଗତି ନେଇ ଅ‌ସନ୍ତୋଷ ବ୍ୟକ୍ତ କରିବା ସହିତ ନଭେମ୍ବର ୧୮ରେ ପୁଲିସ ଡିଜି ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତର ସ୍ଥିତି ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡିଜି ପୁଲିସଙ୍କ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ସଂକ୍ରାନ୍ତରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଗୋପାଳ ଜେନା ସୂଚନା ଦେଇଛନ୍ତି।

ପୂର୍ବରୁ ଅକ୍ଟୋବର ୧୪ରେ ମାମଲାର ଶୁଣାଣି ସମୟରେ ମଧ୍ୟ ହାଇକୋର୍ଟ ତଦନ୍ତ ପ୍ରକ୍ରିୟା ଆଦୌ ସନ୍ତୋଷଜନକ ନୁହେଁ ବୋଲି ମତ ଦେଇଥିଲେ। ମାମଲାର ଫଳପ୍ରଦ ତଦନ୍ତ ପାଇଁ ପୁଲିସକୁ ଆଉ ଏକ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତା ଓ ତାଙ୍କ ମା’ଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ବି ମାମଲାର ଶୁଣାଣି ସମୟରେ ତଦନ୍ତ ପ୍ରକ୍ରିୟାରେ ବିଶେଷ କିଛି ଅଗ୍ରଗତି ହୋଇ ନ ଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ହାଇକୋର୍ଟଙ୍କ ସେପ୍ଟେମ୍ବର ୩୦ର ନିର୍ଦ୍ଦେଶ ପରେ ଏହି ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଜଣେ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଆଇପିସିର ଦଫା ୩୭୬(ବି), ୩୭୬(୨)(ଏନ୍), ୫୦୬ ସହିତ ପୋକ୍‌ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇଥିଲା। ୧୪ ବର୍ଷୀୟା ନାବାଳିକାର ବୟାନ ସିଆରପିସିର ଧାରା ୧୬୧ରେ ପୁଲିସ ଓ ଧାରା ୧୬୪ରେ ଭୁବନେଶ୍ବର ଜେଏମଏଫସି ଅଦାଲତଙ୍କ ନିକଟରେ ରେକର୍ଡ କରାଯାଇଥିଲା। କିନ୍ତୁ ଏଭଳି ସମ୍ବେଦନଶୀଳ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ବୋଲି ଅଦାଲତରେ ଅଭିଯୋଗ ହୋଇଛି।

ଅନ୍ୟପଟେ ଘଟଣାକୁ ନେଇ ରୁଜୁ ଜନସ୍ବାର୍ଥ ମାମଲାରେ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହିତ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ କମିସନରେଟ୍ ପୁଲିସର ତଦନ୍ତ ସନ୍ତୋଷଜନକ ହେଉନାହିଁ। ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବାବେଳେ ଏହାକୁ ରାଜନୈତିକ ରଙ୍ଗ ଦିଆଯାଉଛି। ତଦନ୍ତକୁ ପ୍ରଭାବିତ କରିବା ଓ ବାଟବଣା କରିବାକୁ ଉଦ୍ୟମ ହେଉଛି। ତେଣୁ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ ନଚେତ୍‌ ସିବିଆଇ ଭଳି ସ୍ବାଧୀନ ଏଜେନ୍ସି ଦ୍ବାରା କରାଯାଉ ବୋଲି ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାରେ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ବର ଡିସିପି ଓ ମହିଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

କିନ୍ତୁ ସରକାରଙ୍କ ପକ୍ଷରୁ ଅକ୍ଟୋବର ୧୨ ତାରିଖରେ ହାଇକୋର୍ଟରେ ଯେଉଁ ଜବାବ ଦାଖଲ କରାଯାଇଥିଲା, ସେଥିରେ କ୍ରାଇମବ୍ରାଞ୍ଚ ଏଡିଜି ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେବା ପରେ ଜଣେ ଏସ୍‌ପିଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଜଣେ ଅତିରିକ୍ତ ଏସପି, ତିନି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର ସେଲର ଜଣେ ଇନ୍ସପେକ୍ଟର ତଦନ୍ତରେ ସହଯୋଗ କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବା ପରେ ଅଭିଯୁକ୍ତଙ୍କୁ ଜେରା କରାଯାଇଛି। ଅଭିଯୁକ୍ତଙ୍କ ବୟାନର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଏସଏଫଏସଏଲରେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏଥିପାଇଁ ଅଭିଯୁକ୍ତଙ୍କ ସମ୍ମତି ମଧ୍ୟ ନିଆଯାଇଛି। ଏ ସଂପର୍କିତ ଟେଷ୍ଟ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ବେଳେ ସତ୍ୟ ଉନ୍ମୋଚନ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର