ଭୁବନେଶ୍ବର: ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ମମତା ମହାନ୍ତ ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଟ୍ରେଲର ଦେଖିଛନ୍ତି, ଆଗକୁ ପୁରା ଫିଲ୍ମ ଦେଖିବେ। ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ। ମମତା ମହାନ୍ତ ବିଜେଡି ଛାଡି ବିଜେପିକୁ ଆସିବା ପରଠୁ ଚର୍ଚ୍ଚା ହେଉଛି ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି। ଆଉ ଏହି ଉଦ୍ୟମ ପଛରେ ବିଜେପିର ହାତ ଥିବା ଅଭିଯୋଗ ହୋଇଆସୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

Advertisment

ଅନ୍ୟପଟେ ବିଜେଡିର ପରାଜୟକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। କହିଛନ୍ତି, ସରକାରରେ ଥିବା ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ଗୁରୁତ୍ୱ ସରକାରୀ ଅଧିକାରୀଙ୍କଠାରୁ ଅଧିକ ରହିବା ଉଚିତ୍ । ଯାହା ନବୀନ ପଟ୍ଟନାୟକଙ୍କ ସରକାର କଲା ନାହିଁ। ପୂର୍ବତନ ପ୍ରଶାସକ ଓ ବିଜେଡି ସରକାରରେ ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କ କଥାରେ ଦଳ ଚାଲିବାରୁ ସେମାନଙ୍କ ଦୁର୍ଗତି ହେଲା, ଆଉ ବିଜେପି କ୍ଷମତାକୁ ଆସିଲା। ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ନର୍ବନିର୍ବାଚିତ ବିଧାୟକ ଓ ସାଂସଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହା କହିଛନ୍ତି। ବିଧାୟକ ମନ୍ତ୍ରୀଙ୍କ ସ୍ଥାନ ଉପରେ ଅଛି। ଜିଲ୍ଲାପାଳ ଏବଂ ଅଫିସର ଜନପ୍ରତିନିଧିକ କଥା ମାନିବା ଦରକାର। ମନ୍ତ୍ରୀ ଫାଇଲରେ ଯାହା ଲେଖିବ ତାହା ହେଉଛି ଅର୍ଡର। ତାକୁ କାର୍ଯ୍ୟକାରୀ କରିବା କାମ ହେଉଛି ଅଫିସରମାନଙ୍କର ଦାୟିତ୍ୱ। ଏହା ସେମାନ ଅନୁଭବ କରିବା ଦରକାର।