ଆସନ୍ତା ପହିଲାରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବରିଷ୍ଠ ନାଗରିକଙ୍କୁ ମିଳିବ ଟିକା

ଭୁବନେଶ୍ବର: ଆସନ୍ତା  ମାର୍ଚ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ପ୍ରସ୍ତୁତି । ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ବିଏମସି କମିସନରଙ୍କ ସୂଚନା ପ୍ରଦାନ କରିଛନ୍ତି ।

ମାର୍ଚ୍ଚ ପହିଲାରୁ ପୂରା ରାଜ୍ୟ ସମେତ ରାଜଧାନୀ ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ୧୦ ଘରୋଇ ଡାକ୍ତରଖାନା  ଓ ୧୨ଟି ସରକାରୀ ଡାକ୍ତରଖାନାରେ ଟିକା ଦିଆଯିବ ବୋଲି । ଏଥିଲାଗି ସୋମବାରରୁ ଆରମ୍ଭ ହେବ ପଞ୍ଜିକରଣ। ଆରୋଗ୍ୟ ସେତୁ ଆପ୍ ଓ କୋୱିନ୍ ୨.୦  ପୋର୍ଟାଲରେ ପଞ୍ଜିକରଣ କରିବା ପରେ ଟିକା ପ୍ରଦାନ କରାଯିବ  । ପ୍ରଥମ ଦିନ ପ୍ରତି କେନ୍ଦ୍ରରେ ୬୦ଜଣଙ୍କୁ  ଦିଆଯିବ ଟିକା। ଘରୋଇ ଡାକ୍ତରଖାନାରେ ସୋମବାର ପଞ୍ଜିକରଣ ପରେ ମଙ୍ଗଳବାରରୁ ଦିଆଯିବ ଟିକା। ସରକାରୀ ଡାକ୍ତରଖାନାରେ ମାଗଣା  ଓ  ଘରୋଇ ହସ୍ପିଟାଲରେ ୧୦୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ। ତେବେ କେନ୍ଦ୍ର ସରକାର ଟିକାର ଦର ନିର୍ଧାରଣ କରିବ‌େ । ଏହା ସହ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଭୁବନେଶ୍ୱରରେ ପୂର୍ବଭଳି କୋଭକ୍ସିନ୍ ଟିକା ଦିଆଯିବ ଏବଂ  ଯଥେଷ୍ଟ ପରିମାଣର ଟିକା ମହଜୁଦ ରହିଛି।

ବାହାର ୫ଟି ରାଜ୍ୟରୁ ଯେଉଁମାନେ ଆସୁଛନ୍ତି ଲକ୍ଷଣ ଥିଲେ ୭ ଦିନ ହୋମ ଆଇସଲେସନରେ ରହିବେ। ଆଫ୍ରିକାରୁ ଜଣେ ବ୍ୟକ୍ତି ଆସିଥିଲେ। ସେ ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଇଛି। ତାଙ୍କର ସମ୍ପର୍କୀୟଙ୍କ ନମୁନା ବି ପରୀକ୍ଷା କରାଯାଇଛି। ତାଙ୍କ ନିକଟରେ ନୂଆ ଷ୍ଟ୍ରେନ ନ ଥିବା ଜଣାପଡ଼ିଛି। ଷ୍ଟେସନ ଓ ବିମାନ ବନ୍ଦରରେ ସ୍କ୍ରିନିଂ ଓ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ବାହାର ରାଜ୍ୟରୁ ଆସୁଥିବା ବସ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନଥିଲେ ହେଁ ଆଲୋଚନା ହେଉଛି।

ଏ ନେଇ ଆଜି ବିଡିଏ ସମ୍ମିଳନୀ କକ୍ଷରେ ବିଏମସି କମିସନର ପ୍ରେମଚନ୍ଦ୍ର  ଚୌଧରୀଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବିଭିନ୍ନ ବିଭାଗ ଓ ଘରୋଇ ହସ୍ପିଟାଲର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର