ରାଜଧାନୀ ଏବେ ହଟ୍‌ସ୍ପଟ୍! ଗଞ୍ଜାମ ଧାରାରେ ବଢ଼ିଲାଣି ସଂକ୍ରମିତଙ୍କ ସଂଖ୍ୟା

ଦିନକରେ ରେକର୍ଡ ୭୧୮ ଚିହ୍ନଟ, ୬ ମୃତ
ସୁସ୍ଥ ହେଲେ ଆଉ ୪୫୩, ମୋଟ୍ ୧୧,୩୩୦
କେବେ ଘୋଷଣା ହେବ ନୟାଗଡ଼ ମୃତ୍ୟୁ?

ଭୁବନେଶ୍ୱର : ଜୁଲାଇ ମାସରେ ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ଧରିଛି। ଗଞ୍ଜାମ ସମେତ ଖୋର୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସବୁଠାରୁ ଉଦବେଗଜନକ ଚିତ୍ରଟି ହେଲା, ଭୁବନେଶ୍ବରରେ ମଧ୍ୟ ଗତ କିଛି ଦିନ ହେବ କରୋନା ସଂଖ୍ୟା ଭୟଙ୍କର ଭାବେ ବଢ଼ିବାକୁ ଆରମ୍ଭ କରିଛି। ଗଞ୍ଜାମରେ ଜୁଲାଇ ମାସ ଆରମ୍ଭରୁ ଯେଉଁଭଳି ଭାବେ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ି ଏବେ ଶୀର୍ଷରେ ପହଞ୍ଚିଛି, ରାଜଧାନୀରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଲାଣି। ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିବାକୁ ଆରମ୍ଭ କଲାଣି। ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ତେଣୁ ଭୁବନେଶ୍ବରରେ ସ୍ଥିତି ଆଗକୁ ଗଞ୍ଜାମ ଭଳି ଭୟଙ୍କର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଲୋକମାନେ ରାଜଧାନୀକୁ ଚିକିତ୍ସା ଓ ବିଭିନ୍ନ କାମରେ ଆସିବା ଯୋଗୁଁ ଏଭଳି ପରିସ୍ଥିତି ଦେଖାଦେଇଛି ବୋଲି ସରକାରୀ ଅଧିକାରୀମାନେ ମତ ରଖୁଛନ୍ତି।

ଆଜି ରାଜଧାନୀରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୨୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହିତ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ହଜାର ପାର୍ କରି ୧୦୪୩ରେ ପହଂଚିଛି। ଏଠାରେ ମୋଟ୍ ୧୧ ଜଣ କରୋନାରେ ପ୍ରାଣ ହରାଇଲେଣି। ତେବେ ୪୫୭ ରୋଗୀ ସୁସ୍ଥ ହୋଇଛନ୍ତି।

ଅନ୍ୟପଟରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ରୋଗୀ ସଂଖ୍ୟା ୫ ହଜାର ପାର୍ କରିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୫୦ ଛୁଇଁଛି। ରାଜ୍ୟସ୍ତରରେ ମଧ୍ୟ କରୋନା ସଂଖ୍ୟା ୧୬ ହଜାର୧୧୦ରେ ପହଞ୍ଚି ଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ସଂପର୍କରେ ଆଜି ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୨ଟି ଅଣ କୋଭିଡ୍‌ ମୃତ୍ୟୁ ରହିଛି।

ଆଜି ଘୋଷଣା ହୋଇଥିବା ୪ ମୃତକଙ୍କ ମଧ୍ୟରୁ ୨ ଗଞ୍ଜାମ ଏବଂ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି। ଗଞ୍ଜାମର ମୃତ ୫୭ ବର୍ଷୀୟ ବ୍ୟକ୍ତିଜଣଙ୍କ ମଧୁମେହରେ ପୀଡ଼ିତ ଥିଲେ। ଅନ୍ୟ ଦୁଇ ପୁରୁଷଙ୍କ ବୟସ ୬୦ ବର୍ଷ ଓ ସେମାନେ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ଅନୁଗୁଳ ଜିଲ୍ଲାର ୬୬ବର୍ଷର ପୁରୁଷ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର, ଗଜପତି ଜିଲ୍ଲାର ମଧୁମେହ ଓ ହୃଦ୍‌ରୋଗରେ ପୀଡ଼ିତ ପୁରୁଷ କରୋନାର ଶିକାର ହୋଇଛନ୍ତି। ଏଥିପାଇଁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ରାଜ୍ୟରେ ଗତ ୧୭ ଦିନରେ ୬୯ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି।

ଯାଜପୁର ଜିଲ୍ଲାର ୬୨ ବର୍ଷର ମହିଳା ଜରାୟୁ, ପାକସ୍ଥଳୀ, ଫୁସଫୁସ ଓ ମସ୍ତିଷ୍କ କର୍କଟରେ ପ୍ରାଣ ହରାଇଥିବା ବେଳେ ଭଦ୍ରକ ଜିଲ୍ଲାର ୫୫ବର୍ଷର ପୁରୁଷ ମସ୍ତିଷ୍କ ବିକୃତିରେ ପ୍ରାଣ ହରାଇଛନ୍ତି। ଦୁହିଁଙ୍କ ମୃତ୍ୟୁର ପ୍ରାଥମିକ କାରଣ କରୋନା ନ ଥିବାରୁ ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ଅଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୨୬ ଛୁଇଁଛି।

Innovation Origins

ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ଟି ଜିଲ୍ଲାରୁ ୭୧୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ୨୩୧ଜଣ ଗଞ୍ଜାମର ଅଛନ୍ତି। ଜିଲ୍ଲାରେ କରୋନା ସଂଖ୍ୟା ୫୦୯୮ରେ ପହଞ୍ଚିଛି। ଏହାବାଦ୍ ଖୋର୍ଧାରେ ୧୫୦, ମାଲକାନଗିରି ୧୫୪, କଟକ ୩୨, କେନ୍ଦୁଝର ୨୮, କୋରାପୁଟ ୨୭, ଝାରସୁଗୁଡ଼ା ୨୪, ମୟୂରଭଞ୍ଜ ୨୨, ଗଜପତି ୨୧, ରାୟଗଡ଼ା ୧୯, ଜଗତ୍‌ସିଂହପୁର ୧୬, ନୟାଗଡ଼ ୧୩, ଭଦ୍ରକ ୧୦, ବାଲେଶ୍ବର, ପୁରୀ, ଅନୁଗୁଳରେ ୯ଜଣ ଲେଖାଏଁ, କନ୍ଧମାଳ ୭, ଢେଙ୍କାନାଳ ୬, ସୋନପୁର ୫, କେନ୍ଦ୍ରାପଡ଼ା, ବରଗଡ଼ରୁ ୪ଜଣ ଲେଖାଏଁ ଓ ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ୪୭୯ଜଣ ସଙ୍ଗରୋଧରୁ ଓ ୨୩୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୪ ଜିଲ୍ଲାକୁ ବାଦ୍ ଦେଲେ ୨୬ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ୪୫୩ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମରେ ୨୨୦, ସୁନ୍ଦରଗଡ଼ ୪୧, ନବରଙ୍ଗପୁର ୩୩, ଖୋର୍ଧା ୨୮, ବଲାଙ୍ଗୀର ୨୬, କେନ୍ଦୁଝର ୧୭, ବାଲେଶ୍ବର ୧୫, ଜଗତସିଂହପୁର ଓ ମାଲକାନଗିରିରୁ ୧୩ଜଣ ଲେଖାଏଁ, ଯାଜପୁର ଓ ଗଜପତିରୁ ୧୦ଜଣ ଲେଖାଏଁ, ଅନୁଗୁଳ ୯, କେନ୍ଦ୍ରାପଡ଼ା ୬, କୋରାପୁଟ ୪, କଟକ ୩, ଭଦ୍ରକ ୨, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧୩୩୦ରେ ପହଞ୍ଚିଛି।

ତେବେ ଜିଲ୍ଲାୱାରୀ ମୃତ୍ୟୁ ସଂପର୍କରେ ଯେଉଁ ଘୋଷଣା ହେଉଛି, ରାଜ୍ୟସ୍ତରରେ ଏଥିରେ ତାଳମେଳ ରହୁନାହିଁ। ନୟାଗଡ଼ ଜିଲ୍ଲାରେ ଚଳିତ ମାସ ୧ ତାରିଖରେ ଏକ କୋଭିଡ୍‌ ମୃତ୍ୟୁ ସଂପର୍କରେ ଘୋଷଣା ହୋଇଥିଲା। ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟସେବା ଡା. ବିଜୟ ମହାପାତ୍ର ଓ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଏହି ମୃତ୍ୟୁର ଅଡିଟ୍‌ କରିଥିଲେ। ୪୦ ବର୍ଷର ସଂପୃକ୍ତ ବ୍ୟକ୍ତିଜଣକ କରୋନା ସହ ନିମୋନିଆ, ଏଆରଡିଏସ୍‌ ଓ ସେପ୍‌ଟିକ୍‌ ସକ୍‌ରେ ରାଜଧାନୀର ଏକ କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଥିବା ସେମାନେ ଦର୍ଶାଇଥିଲେ। ଏହାର ୧୬ ଦିନ ବିତିଯାଇଥିଲେ ହେଁ ରାଜ୍ୟସ୍ତରରେ ଏହାର ଘୋଷଣା ହୋଇନାହିଁ। ଏପରିକି ସ୍ବାସ୍ଥ୍ୟ ବିଭାଗର କୋଭିଡ୍‌ ଡ୍ୟାସ୍‌ବୋର୍ଡ ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଭାବେ ଥିବା ଡ୍ୟାସ୍‌ବୋର୍ଡରେ ମଧ୍ୟ ନୟାଗଡ଼ ଜିଲ୍ଲାରେ ଏହି ମୃତ୍ୟୁ ସ୍ଥାନ ପାଇନାହିଁ। ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ କେତେସଂଖ୍ୟକ ବ୍ୟକ୍ତି ପ୍ରାଣ ହରାଉଛନ୍ତି ଓ କେଉଁଥିରେ ସେମାନଙ୍କ ମୃତ୍ୟୁ ହୋଇଛି, ତାହା ସଂପର୍କରେ ଟ୍ବିଟ୍‌ର ଓ ଡ୍ୟାସ୍‌ବୋର୍ଡରେ ଘୋଷଣା ହେଉଥିଲେ ‌ହେଁ ନୟାଗଡ଼ ମୃତ୍ୟୁ ସ୍ଥାନ ପାଇପାରି ନାହିଁ। ଯାହାକି ରାଜ୍ୟରେ ଏଭଳି ଅନେକ କୋଭିଡ୍‌ ମୃତ୍ୟୁ ହେଉଥିବା ବେଳେ ଏହାକୁ ସରକାରୀସ୍ତରରେ ଘୋଷଣା ନ ହେବା ଅଭିଯୋଗକୁ ଏହା ଖୋରାକ୍‌ ଯୋଗାଇଛି।

ସମ୍ବନ୍ଧିତ ଖବର