ସମସ୍ତେ କାନ୍ଦୁଛନ୍ତି, କାହା ଆଖିରେ ଲୁହନାହିଁ

ଭୁବନେଶ୍ବର ପଣ୍ୟାଗାର ନିଗମ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଚିଠି ଦେଇ ବସିଗଲେ। ମନ୍ତ୍ରୀ, ବିଧାୟକମାନେ ବିଧାନସଭାରେ କ୍ଷୋଭ ପ୍ରକାଶ କରି କାମ ସାରିଦେଲେ। ଅଥଚ ନା କେହି ସିଧାସଳଖ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ସହ ଆଲୋଚନା କଲେ, ନା କୌଣସି ନିଷ୍କର୍ସରେ ପହଞ୍ଚିଲେ। ଫଳରେ ଭୁବନେଶ୍ବରରୁ ବିହାରର ପାଟନାକୁ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଠାଇ ନେବାକୁ ଯେଉଁ ଷଡ୍‌ଯନ୍ତ୍ର ରଚା ଯାଇଥିଲା ତାହା ଏକରକମ ସଫଳ ହୋଇଛି। ସ୍ଥିତି ଏମିତି ହୋଇଛି ଯେ ଯେମିତି ସମସ୍ତେ କାନ୍ଦୁଛନ୍ତି, କିନ୍ତୁ କାହା ଆଖିରେ ଲୁହ ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୪ ତାରିଖ କାର୍ଯ୍ୟାଳୟ ସ୍ଥାନାନ୍ତର ହେବାର ଶେଷ ଦିବସ ରହିଛି। ଏନେଇ ନିର୍ଦେଶ ବି ଜାରି ହୋଇସାରିଛି। ତେଣୁ ‌କେନ୍ଦ୍ରମନ୍ତ୍ରୀଙ୍କ ସହ ତୁରନ୍ତ ଆଲୋଚନା ଭିତ୍ତିରେ ଏ ସମସ୍ୟାର ସମାଧାନ କରିବାକୁ ଫେଡେରେସନ୍‌ ଅଫ୍‌ ସେଣ୍ଟ୍ରାଲ୍‌ ‌ଓୟାରହାଉସିଂ ଏମ୍ପ୍ଲଇଜ୍‌ ୟୁନିଅନ୍‌ସ ପକ୍ଷରୁ ନିବେଦନ କରାଯାଇଛି। କର୍ମଚାରୀ ସଂଘର ଯୁକ୍ତି ମୁତାବକ, ୧୯୯୦ ମସିହାରେ ଭୁବନେଶ୍ବରରେ ଆଞ୍ଚଳିକ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ବେଳେ ରାଜ୍ୟରେ ୮ଟି ପଣ୍ୟାଗାର ଥିଲା। ୨୮ ବର୍ଷ ମଧ୍ୟରେ ଏହା ବଢ଼ି ୨୧ଟି ପଣ୍ୟାଗାର ହୋଇପାରିଛି। ସଂପ୍ରତି ରାଜ୍ୟର ପଣ୍ୟାଗାରର କ୍ଷମତା ୩.୫୦ ଲକ୍ଷ ଟନ୍‌ରେ ପହଞ୍ଚିଛି। ଅପର ପକ୍ଷରେ ୧୯୯୦ରୁ ପାଟନାରେ ସେଇ ୧୯ଟି ପଣ୍ୟାଗାରରେ ସୀମିତ ରହିଛି। ତାହା ବି କ୍ଷତିରେ ଚାଲିଛି। ସେଠାରେ ପଣ୍ୟାଗାରର କ୍ଷମତା ୧.୭୦ ଲକ୍ଷ ଟନ୍‌ରେ ସୀମିତ ଅଛି। ଏଭଳି ସ୍ଥିତିରେ ଓଡ଼ିଶା ୫ ବର୍ଷରେ ୪୧ କୋଟି ଟଙ୍କାର ଲାଭ କରି ଥିବା ବେଳେ ପାଟନା କାର୍ଯ୍ୟାଳୟକୁ କ୍ଷତି ସହିବାକୁ ପଡ଼ିଛି। ତେଣୁ ଏଭଳି ଲାଭଜନକ ସ୍ଥିତିରେ ଥିବା ଭୁବନେଶ୍ବରର ପଣ୍ୟାଗାର କାର୍ଯ୍ୟାଳୟକୁ ପୁଣି ଅଡ଼ୁଆରେ ପକାଇ ପାଟନାକୁ ସ୍ଥାନାନ୍ତର କରିବାର କି ପ୍ରୟୋଜନ ବୋଲି କର୍ମଚାରୀ ସଂଘ ପ୍ରଶ୍ନ କରିଛି। ନିଗମର ପରିଚାଳନା ନିର୍ଦେଶକ ଅରୁଣ କୁମାର ଶ୍ରୀବାସ୍ତବ ଓ ବିହାର ମନ୍ତ୍ରୀମାନେ ଷଡ଼୍‌ଯନ୍ତ୍ର କରି ଏଠାରୁ କାର୍ଯ୍ୟାଳୟ ଉଠାଇ ନେଇ ପାଟନାରେ ମିଶାଇ ଦେବାର ଅପଚେଷ୍ଟା କରୁଥିବାରୁ ତୁରନ୍ତ ଏନେଇ ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଦାବି ହୋଇଛି।

ଏମିତି ବି ସବୁ ଦୃଷ୍ଟିରୁ ଭୁବନେଶ୍ବର ପଣ୍ୟାଗାର ନିଗମ ଭଲ ଲାଭ କରୁଥିବା ଦୃଷ୍ଟିରୁ ବିଚାର ପୂର୍ବକ ପାଟନା କାର୍ଯ୍ୟାଳୟକୁ କାହିଁକି ଭୁବନେଶ୍ବରକୁ ଅଣା ନଯାଉଛି ବୋଲି ସଂଘ ପକ୍ଷରୁ ପାଲଟା ପ୍ରଶ୍ନ କରାଯାଇଛି। ଏନେଇ ସର୍ବଭାରତୀୟ କେନ୍ଦ୍ର ପଣ୍ୟାଗାର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଡି.ଏଲ୍‌ ଚଣ୍ଡୋକ୍‌ ମଧ୍ୟ ଚିଠିରେ କୌଣସି କାର୍ଯ୍ୟାଳୟକୁ ମିଶା ନଯାଉ ବୋଲି ଲେଖି କେନ୍ଦ୍ରମନ୍ତ୍ରୀଙ୍କୁ ପଠାଇଛନ୍ତି। ମାତ୍ର ଶ୍ରୀ ପାଶ୍ବାନ ଚୁପ୍‌ ବସିଛନ୍ତି। ଫଳରେ ଏହା ରାଜ୍ୟର ପଣ୍ୟାଗାର ନିଗମ କର୍ମଚାରୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ସଂଘର କର୍ମଚାରୀଙ୍କ କହିବା କଥା ହେଲା, ଏହା ଖାଲି କର୍ମଚାରୀମାନଙ୍କୁ ଅସୁବିଧାରେ ପକାଇବ ନାହିଁ ଭୁବନେଶ୍ବରରୁ ପାଟନାକୁ କେନ୍ଦ୍ର ପଣ୍ୟାଗାର ନିଗମ କାର୍ଯ୍ୟାଳୟ ଯାଇ ମିଶିଗଲେ ଓଡ଼ିଶାରେ ପଣ୍ୟାଗାର ବ୍ୟବସାୟ ଭୁଶୁଡ଼ି ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ତେଣୁ ଖାଲି ଚିଠି ଲେଖିଦେଇ, କ୍ଷୋଭ ପ୍ରକାଶ କରିଦେଇ ବସିନପଡ଼ି ତୁରନ୍ତ ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶୱାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା ଜରୁରୀ ହୋଇପଡ଼ିଛି। ନଚେତ୍‌ ଚାହୁଁ ଚାହୁଁ ଓଡ଼ିଶାରେ ଏକ ନିଗମର ସଫଳ ଯାତ୍ରା ଏଇଠି ସମାପ୍ତ ହୋଇଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର