ବରଗଡ଼: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନୂଆ କଂସ ମିଳିଛି। ଏଥର ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ। ତାଙ୍କର ଇସାରାରେ ବରଗଡ଼ ପରିଚାଳିତ ହେବ। ସେ କଡ଼ା ସଂଳାପ କହି ମୁକ୍ତାକାଶ ରଂଗମଞ୍ଚକୁ ଦୁଲୁକାଇବେ। ଚୟନ କମିଟି ଆଜି ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଛି। ଶ୍ରୀ ପ୍ରଧାନ ଅନ୍ୟ ୩ ଜଣଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ବାଜି ମାରିଛନ୍ତି।
ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଧନୁଯାତ୍ରା କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଚୟନ ପାଇଁ ଅଡିସନରେ ଭୁବନେଶ୍ବର ପଧାନ, ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର ସାମିଲ ହୋଇଥିଲେ। ଏହି ୪ ଜଣ ୨୦୨୨ ମସିହାରେ ଦ୍ଵିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିଲେ। ହୃଷୀକେଶ ଭୋଇ ଏଥର ବାଦ୍ ପଡ଼ିଛନ୍ତି ପରେ ନୂଆ କଂସ ଚୟନ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ଜାନୁଆରି ୩ରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଧନୁଯାତ୍ରାରେ କଂସ ଭୂମିକା ତୁଲାଇବା ମୋ ପାଇଁ ନୂଆଁ କଥା ନୁହେଁ। ପୂର୍ବରୁ ମଧ୍ୟ ବରଗଡ଼ ମୁକ୍ତାକାଶ ରଂଗମଂଚରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଚଳିତ ଥର ଚୟନ କମିଟି ମୋ ଉପରେ ଭରସା ରଖିଛି। ବହୁତ ଭଲ ପ୍ରଦର୍ଶନ କରିବି ବୋଲି ଆଶା ରଖିଛି।
-ଭୁବନେଶ୍ବର ପ୍ରଧାନ, କଂସ ପାଇଁ ମନୋନୀତ କଳାକାର
ଏହି ଖବର ପଢ଼ନ୍ତୁ: ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା
ସୂଚନାଯୋଗ୍ୟ ୭୭ତମ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଆସନ୍ତା ଡିସେମ୍ବର ୪ ତାରିଖରେ ସ୍ଥାପିତ ହେବ। ଏଥର କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ହୃଷିକେଶ ଭୋଇଙ୍କ ସ୍ଥାନ ଅନ୍ୟ ଜଣେ କଳାକାର ନେବେ। ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ସୁପାରିଶ କରିଥିଲେ ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି। ତେଣୁ ଏଥର ସେ ଧନୁ ଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିବା ଆଶଙ୍କାରେ କଂସ ଭୂମିକାରେ ଅନ୍ୟ ଜଣଙ୍କୁ ସୁଯୋଗ ଦିଆଯିବ।
ଏହି ଖବର ପଢ଼ନ୍ତୁ: ଚାକିରିରୁ ନିଲମ୍ବିତ ହେଲେ ହୃଷୀକେଶ
କାହିଁକି ବାଦ୍ ପଡ଼ିଲେ ହୃଷୀକେଶ?
ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ହୃଷୀକେଶ ଭୋଇ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଧନୁଯାତ୍ରା ପୂର୍ବରୁ ତାଙ୍କର ନାମରେ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆସିଥିଲା। ସେ ଜଣେ ସରକାରୀ କର୍ମଚାରୀ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଗତ ଅକ୍ଟୋବର ମାସରେ ସେ ଗାଇସିଲାଟ ବ୍ଲକର ଏକ ଗାଁକୁ ମୃତଦେହ ନେଇ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ ଓ ଏନେଇ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ଡିସେମ୍ବର ୧ରେ କଂସ ଚୟନ