ଭୁବନେଶ୍ୱର-ପୁରୀ ରାଜପଥ ଅସୁରକ୍ଷିତ : ରାସ୍ତା ସାରା ଫାଟ

ପୁରୀ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସମଯାଜପୁର ସେତୁକୁ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ପୁନର୍ବାର ଜାତୀୟ ରାଜପଥ ନିର୍ମାଣର ମାନକୁ ନେଇ ବିରାଟ ପ୍ରଶ୍ନ ଠିଆ ହୋଇଛି। ରାଜପଥର ମାଳତୀପାଟପୁର, କାଠ ପୋଲ ନିକଟରେ ରାଜପଥ ଫାଟି ଆଁ କରିଛି। ରାଜପଥର ପ୍ରାୟ ୧୦୦ ଫୁଟ୍‌ ରାସ୍ତାରେ ୪ରୁ ୬ ଇଞ୍ଚର ଫାଟ ସୃଷ୍ଟି ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଏହି ଫାଟ ଏବେ ଜଳ ଜଳ ହୋଇ ଦିଶୁଛି। ଏପରିକି ଫାଟ ପ୍ରତିଦିନ ବଢିବାରେ ଲାଗିଛି। ତେବେ ରାସ୍ତାରେ ଏ ପ୍ରକାର ଫାଟକୁ ଦେଖିଲେ ପୁରୀ ଭୁବନେଶ୍ୱର ୨୧୬ ନଂ ଜାତୀୟ ରାଜପଥର ଆୟୁଷ ଯେ, ବେଶି ଦିନ ନୁହେଁ ତାହା ମଧ୍ୟ ସ୍ପଷ୍ଟ ହୋଇଯାଉଛି। ମହାପ୍ରଭୁଙ୍କ ନବକଳେବର ପାଇଁ ପୁରୀ-ଭୁବନେଶ୍ୱର ୪ ଥାକିଆ ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରାୟ ୬୨୫ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ୬୦୦ ଦିନ ପୁରୁଣୁ ଏଭଳି ସ୍ଥିତି ଉପୁଜିବା ଘଟଣା ଏଥିରେ ହୋଇଥିବା କେଳେଙ୍କାରିକୁ ପଦାରେ ପକାଇଛି। ଏ ସଂପର୍କରେ ଜାତୀୟ ରାଜପଥ ପ୍ରାଧୀକରଣର ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରେ ରାସ୍ତା କାମ କରିଥିବା ଠିକାଦାରଙ୍କୁ ବହୁ ଦିନ ପୂର୍ବରୁ କଳାତାଲିକା ଭୂକ୍ତ କରାଯାଇଥିବା କରାଯାଇଛି। ତେବେ ରାସ୍ତାରେ ଏତେ ବଡ ଫାଟ ହୋଇଥିବା ନେଇ ସେ ଅବଗତ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର