କାଳବୈଶାଖୀର ପ୍ରଭାବ: ବର୍ଷାରେ ଭିଜିଲା ଭୁବନେଶ୍ବର, ରାଜଧାନୀବାସୀଙ୍କୁ ମିଳିଲା ଆଶ୍ବସ୍ତି, ବହୁ ଅଞ୍ଚଳ ଅନ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହିତ ବର୍ଷା ହୋଇଛି। ଭୁବନେଶ୍ବର, କଟକ, ବାଲେଶ୍ବର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ହୋଇଛି। ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବରରେ ସନ୍ଧ୍ୟା ସାଢ଼େ ୭ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଛି। ବିଦ୍ୟୁତ୍‌ କାଟ୍‌ ହେବା କାରଣରୁ ଭୁବନେଶ୍ବରର ଏକାଧିକ ଅଞ୍ଚଳରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡ଼ିଛି। ତେବେ ବର୍ଷା ବଡ଼ଧରଣର ହୋଇଥିଲେ ବି ଆଗାମୀ ଦିନ‌େ ଦୁଇ ଦିନ ପାଇଁ ଲୋକଙ୍କୁ ତାପମାତ୍ରାରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ।

ଫଟୋ: ବିଭୂତି, ଭୁବନେଶ୍ବର

ଭୁବନେଶ୍ବର ଭଳି ରାଜ୍ୟର ଅନ୍ୟ କିଛି ସ୍ଥାନରେ ବର୍ଷା ହୋଇଥିବାରୁ‌ ସେଠାରେ ମଧ୍ୟ ଲୋକଙ୍କୁ ଗରମରୁ ଆଶ୍ବସ୍ତି ମିଳିବ। ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଛକରେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପରିଚୟ ମିଳିପାରି ନଥିବା ବ୍ୟକ୍ତି ଜଣକ ବର୍ଷା ଛାଡ଼ିବା ପରେ ବଜାରରୁ ଘରକୁ ଫେରୁଥିବା ବାଟରେ  ବଜ୍ରପାତର ଶିକାର ହୋଇଥିଲେ। ସେହିପରି ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଛି। ମନୁପାଲି ଗାଁରେ ଝଡ଼ବର୍ଷା ଯୋଗୁଁ  ବାହାଘର ପାଇଁ ବନ୍ଧା ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଟେଣ୍ଟର ଲୁହା ପାଇପ ତଳେ ଚାପି ହୋଇ ଜଣେ ୧୨ ବର୍ଷର ବାଳକ ଗୁରୁତର ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର