ତାପମାତ୍ରା: ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ପାରା ୪୩.୬, ଭୁବନେଶ୍ବରରେ ୩୮ ଡିଗ୍ରି ରେକର୍ଡ

ଭୁବନେଶ୍ବର: ବିଗତ କିଛିଦିନ ମଧ୍ୟରେ ରାଜ୍ୟବ୍ୟାପୀ ଅନୁଭୂତ ହୋଇଥିବା ତାପମାତ୍ରା ଜନସାଧରଣକୁ ଅସ୍ତବ୍ୟସ୍ତ କରିପକାଇଛି। ଆଜି ମଧ୍ୟ ପ୍ରବଳ ଖରା ହୋଇଛି। ରାଜଧାନୀ ଭୁବନେଶ୍ବରରେ ଅପରାହ୍ନ ସାଢ଼େ ୨ଟାରେ ୩୮ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହା କୁହାଯାଇଛି। ସେହିପରି ଆଜି ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହି ସମୟରେ ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ସ୍କୁଲ ଓ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ଘୋଷଣା କରି ଦେଇଛନ୍ତି। ତେବେ ପିଲାଙ୍କ ପରୀକ୍ଷା ଯେମିତି ଚାଲିବା କଥା ସେମିତି ଚାଲିବ।  ଜାରି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ସତର୍କ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱା‌ର୍ଣ୍ଣିଂ ଜାରି କରାଯାଇଛି।

ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ଅସୁସ୍ଥ ଓ ବୃଦ୍ଧ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ। ଯଥା ସମ୍ଭବ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ବି ପାଣିପାଗ ବିଭାଗ ପରାମର୍ଶ ଦେବା ସହିତ ଆଖୁ, ଗ୍ରୀଷ୍ମ ମକା, ଡାଲି ଏବଂ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି |ତେବେ ଏହି ଗ୍ରୀଷ୍ମ ପ୍ରବାହ ମଇ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହିତ ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଖରା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର