ସାଇବର ଠକେଇରେ ରେକର୍ଡ କଲା ଭୁବନେଶ୍ୱର: ବ‌ର୍ଷକରେ ଲୁଟିଲେ ୮କୋଟିରୁ ଅଧିକ

ପ୍ରତିଦିନ ୧୯ଜଣଙ୍କ ଠାରୁ ୨ଲକ୍ଷ ୨୧ହଜାର ଠକୁଛନ୍ତି ସାଇବର ଠକ
୫ବର୍ଷର ମାମଲାକୁ ଅତିକ୍ରମ କଲା ୨୦୨୧

ଭୁବନେଶ୍ବର : ସାଇବର ଠକେଇ ମାମଲାରେ ବର୍ଷ ୨୦୨୧ରେ ରେକର୍ଡ କରିଛି ସ୍ମାର୍ଟସିଟି ଭୁବନେଶ୍ବର। ଗତ ୫ ବର୍ଷରେ ଅର୍ଥାତ୍ ୨୦୧୬ରୁ ୨୦୨୦ ମଧ୍ୟରେ ରାଜ୍ୟରେ ରୁଜୁ ହୋଇଥିବା ସମୁଦାୟ ସାଇବର ଠକେଇ ମାମଲାକୁ ଟପିଯାଇଛି ଏହି ବର୍ଷ। ଜାତୀୟ ଅପରାଧ ନଥି ସଂସ୍ଥା(ଏନ୍‌ସିଆରବି)ର ରିପୋର୍ଟ ଅନୁଯାୟୀ, ୨୦୧୬-୨୦ ମଧ୍ୟରେ ରାଜ୍ୟରେ ମୋଟ ୫୩୯୦ଟି ସାଇବର ଠକେଇ ଅପରାଧ ହୋଇଥିଲା। ମାତ୍ର ୨୦୨୧ରେ ଭୁବନେଶ୍ବର ସାଇବର ହେଲ୍ପ ଡେସ୍କରେ କେବଳ ୬୭୧୯ଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ହେଲ୍ପ ଡେସ୍କର ସୂଚନାନୁଯାୟୀ, ଗତବର୍ଷ ଡିସେମ୍ବର ମାସରେ ୪୧୪ଟି ସାଇବର ଠକେଇ ଅଭିଯୋଗ ହୋଇଥିବା ବେଳେ ୬୦ଲକ୍ଷ ୫୯ହଜାର ୬୪୯ ଟଙ୍କା ଚଳୁ କରିଛନ୍ତି ସାଇବର ଠକ। ଏହି କ୍ରମରେ ୨୦୨୧ରେ ମୋଟ ୮କୋଟି ୬ଲକ୍ଷ ୮୬ହଜାର ୮ଶହ ୪୯ଟଙ୍କା ଠକେଇ କରିଥିବା ଜଣାପଡ଼ିଛି।

ତେବେ ଏନ୍‌ସିଆର୍‌ବିର ୨୦୨୦ ରିପୋର୍ଟକୁ ଅନୁଶୀଳନ କଲେ ରାଜ୍ୟରେ ମୋଟ ୧୯୩୧ଟି ସାଇବର ଠକେଇ ମାମଲା ରୁଜୁ ହୋଇଥିଲା। ୨୦୨୧ରେ ପ୍ରାୟ ସାଢ଼େ ୩ଗୁଣା ଅଧିକ ସାଇବର ଠକେଇ ହୋଇଛି। ହେଲ୍ପ ଡେସ୍କ୍ ଦ୍ବାରା ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ବର୍ଷତମାମ ୬୭୧୯ଜଣ ଲୋକଙ୍କଠାରୁ ପ୍ରାୟ ୮କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି। ରାଜ୍ୟରୁ ପ୍ରତିଦିନ ପ୍ରାୟ ୧୯ଜଣ ଲୋକଙ୍କ ଠାରୁ ୨ଲକ୍ଷ ୨୧ହଜାର ୫୯ଟଙ୍କା ଠକିନେଉଛନ୍ତି ସାଇବର ଠକ। ସେହିଭଳି ଗତ ଡିସେମ୍ବର ମାସରେ ରୁଜୁ ହୋଇଥିବା ୪୧୪ ମାମଲାରୁ ୨୧୩ଟି ସାଇବର ଠକେଇ ଭୁବନେଶ୍ବରର ବୋଲି ଜଣାପଡ଼ିଛି। ୟୁପିଆଇଜନିତ ଠକେଇ ସର୍ବାଧିକ ୧୦୦ଟି ହୋଇଥିବା ବେଳେ କ୍ରେଡିଟ୍/ଡେବିଟ୍ କାର୍ଡକୁ ମାଧ୍ୟମ କରି ୬୬ଜଣଙ୍କୁ ଲୁଟିଛନ୍ତି ସାଇବର ଠକ। ଲୁଟ୍ ହୋଇଥିବା ପ୍ରାୟ ୬୦ଲକ୍ଷ ଟଙ୍କା ମଧ୍ୟରୁ ପ୍ରାୟ ୧୯ଲକ୍ଷ ୭୨ହଜାର ଟଙ୍କା ସାଇବର ସେଲ ଫେରସ୍ତ/ବ୍ଲକ କରିଛି।

ଅପରପକ୍ଷରେ ଗତବର୍ଷ ନଭେମ୍ବରର ଅଭିଯୋଗ ହୋଇଥିବା ୪୬୦ମାମଲାରୁ ୯ଟି ମାମଲା ପଂଜୀକୃତ ହୋଇଛି। ସାଇବର ଠକ ଯେଉଁ ନମ୍ବର ତଥା ଆକାଉଣ୍ଟ ଦେଇ ଲୋକଙ୍କୁ ଲୁଟିଛନ୍ତି ସେଥିମଧ୍ୟରୁ ୪୮ଟି ସାଇବର ସେଫ୍ ଟିକେଟ୍ ସୃଷ୍ଟି କରାଯାଇ ଆକାଉଣ୍ଟଗୁଡ଼ିକୁ ଅଚଳ କରିଦିଆଯାଇଛି।

Image Courtesy of Ottawa Citizen

ଓମିକ୍ରନକୁ ମାଧ୍ୟମ କଲେଣି ସାଇବର ଠକ
ମହାମାରୀ କରୋନା ଲୋକଙ୍କୁ ଭୟଭୀତ କରୁଥିବା ବେଳେ ଏସମ୍ପର୍କରେ ଜାଣିବା ପାଇଁ ପ୍ରତିଦିନ ଶହ ଶହ ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ତେବେ ଏହାରି ଆଳରେ ସାଇବର ଠକ ନକଲି ସାଇଟ୍ ଖୋଲି କୋଭିଡ୍‌-୧୯ର ଓମିକ୍ରନ୍ ଭାରିଆଣ୍ଟ୍‌ ଆପଣଙ୍କ ଦେହରେ ଅଛି କି ନାହିଁ ଜାଣିବା ପାଇଁ ଆର୍‌ଟିପିଆର୍ ପରୀକ୍ଷା ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ମେଲ୍ ନଚେତ୍ ମୋବାଇଲକୁ ମେସେଜ କରୁଛନ୍ତି। ଯେଉଁଥିରେ କରୋନା ଟେଷ୍ଟିଂ ପାଇଁ ମାଲୱେର୍ ଲିଙ୍କ୍‌ ପଠାଉଥିବା ଜଣାପଡ଼ିଛି। ଏହି ଲିଙ୍କ୍‌ରେ କ୍ଲିକ୍ କଲେ, ସାଇବର ଠକ ଦ୍ବାରା ତିଆରି ହୋଇଥିବା ଫିସିଂ ସାଇଟ୍‌ ଖୋଲିଥାଏ। ଏହା ପରେ ନିଶୁଳ୍କ ବା ମାଗଣାରେ ଓମିକ୍ରନ୍ ଭାରିଆଣ୍ଟ୍‌ର ଟେଷ୍ଟିଂ କରିବା ପାଇଁ ପଂଜୀକରଣ କରିବାକୁ ନିର୍ଦ୍ଦେଶ ଥାଏ। ପଂଜୀକରଣ କରିବା ପାଇଁ ବ୍ୟକ୍ତିଗତ ତଥ୍ୟଠୁ ଆରମ୍ଭ କରି ଆଧାର କାର୍ଡ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ଆଦି ସଂଯୁକ୍ତ କରିବାକୁ କୁହାଯାଏ। ପଂଜୀକରଣ କରିବା ପରେ ସାଇବର ଠକ ଫୋନ୍‌ କରି ପଂଜୀକରଣ ନିଶ୍ଚିତ କରିବା ପାଇଁ ମୋବାଇଲକୁ ଓଟିପି ପଠାଇଥାଏ। ପରେ ଫୋନ୍ କରି ଉକ୍ତ ଓଟିପି ଦେବାକୁ କହିଥାଏ। ଓଟିପି ନେବା ପରେ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଟଙ୍କା ଲୁଟିନେଇଥାଏ। ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, କୌଣସି ଅଜଣା ମେଲ୍ ବା ନମ୍ବରରୁ ଆସିଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ। ଯଦି କେହି କୋଭିଡ୍ ପରୀକ୍ଷଣ ପାଇଁ ସୂଚନା ଦିଏ, ତେବେ ନିଜର ବ୍ୟକ୍ତିଗତ ତଥ୍ୟ ଅନ୍‌ଲାଇନ୍‌ରେ ଦିଅନ୍ତୁ ନାହିଁ। ନଚେତ୍ ପରବର୍ତ୍ତୀ ସମୟରେ ଠକେଇରେ ପଡ଼ିବାର ବହୁତ ସମ୍ଭାବନା ଥାଏ।

ସମ୍ବନ୍ଧିତ ଖବର