ଭୁବନେଶ୍ୱର : ଏସୀୟ ଦୌଡ଼କୁଦ, ହକି ଚାମ୍ପିଅନ୍ସ ଟ୍ରଫି, ବିଶ୍ବକପ୍ ହକି ଏବଂ ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ସମଗ୍ର ବିଶ୍ବରୁ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା ଓଡ଼ିଶା। ଏବେ ଆଉ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଛି ରାଜ୍ୟ। ଏହା ହେଉଛି ୨୦୨୩ ପୁରୁଷ ହକି ବିଶ୍ବକପ୍। ଏହି ବିଶ୍ବ କପ୍ ଓଡ଼ିଶାରେ ଖେଳାଯିବ ବୋଲି ବୁଧବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଆୟୋଜିତ ଏକ ସ୍ବତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ପରେ ଓଡ଼ିଶା ଯେ ବିଶ୍ବହକିର ପ୍ରମୁଖ କେନ୍ଦ୍ର ପାଲଟିସାରିଛି ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଏହି ହକି ବିଶ୍ବକପ୍ ୨୦୨୩ ମସିହା ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୩ ହକି ବିଶ୍ବକପ୍ ଓଡ଼ିଶାରେ ହେବ। ସେଥିପାଇଁ ମୁଁ ବହୁତ ଖୁସି, ଆପଣମାନେ ଖୁସି ତ? ଏଥର ବିଶ୍ବକପ୍ ରାଉରକେଲା ଏବଂ ଭୁବନେଶ୍ବରରେ ହେବ। ଏହାକୁ ଷ୍ଟାଡିୟମରେ ଉପସ୍ଥିତ ଥିବା ପାଖାପାଖି ୧୫ ହଜାର ହକି ପ୍ରେମୀ କରତାଳି ମାରି ସ୍ବାଗତ କରିଥିଲେ।
ହକି ବିଶ୍ବକପ୍ର ଏହି ସଂସ୍କରଣ ରାଜଧାନୀ ଭୁବନେଶ୍ବର ସହ ଓଡ଼ିଶା ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ମଧ୍ୟ ଖେଳାଯିବ। ଓଡ଼ିଶା ମଧ୍ୟ ଲାଗାତାର ଦୁଇଟି ବିଶ୍ବକପ୍ ଆୟୋଜନ କରିଥିବା ହାତଗଣତି ଭାରତୀୟ ପ୍ରଦେଶ ମଧ୍ୟରେ ସ୍ଥାନ ପାଇବ। ଦେଶର କ୍ରୀଡ଼ା ରାଜଧାନୀ ମାନ୍ୟତା ପାଇଥିବା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ବିଶ୍ବକପ୍ ୨୦୨୩ ଖେଳାଯିବ। ତା’ ସହ ଭୁବନେଶ୍ବର ପରେ ରାଉରକେଲା ହକି ବିଶ୍ବକପ୍ ଆୟୋଜନ କରିବାରେ ରାଜ୍ୟର ଦ୍ବିତୀୟ ସହର ହେବ। ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକରେ ୧୭ ସିନ୍ଥେଟିକ୍ ଟର୍ଫ ବିଛାଇବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ସେ ୨୦୧୮ ହକି ବିଶ୍ବକପ୍ର ସଫଳତାକୁ ନେଇ ଏକ ପ୍ରମାଣିକ ଚ୍ଚିତ୍ର ଏବଂ କଫି ଟେବୁଲ ବୁକର ଉନ୍ମୋଚନ କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୨୩ ହକି ବିଶ୍ବକପ୍ ଆୟୋଜନ ଦୌଡ଼ରେ ଭାରତ ସହ ମାଲେସିଆ ଏବଂ ବେଲଜିୟମ ମଧ୍ୟ ଥିଲେ। ହେଲେ ଏଫ୍ଆଇଏଚ୍ (ଆନ୍ତର୍ଜାତିକ ହକି ମହାସଂଘ) ଭାରତକୁ ବାଛିଥିଲା। ଓଡ଼ିଶାର ହକି ପ୍ରେମ ଏବଂ ୨୦୧୮ ବିଶ୍ବକପ୍ର ମନ୍ତ୍ରମୁଗ୍ଧ ଆୟୋଜନକୁ ଆଖି ଆଗରେ ରଖି ହକି ଇଣ୍ଡିଆ ଓଡ଼ିଶାରେ ପୁଣି ଥରେ ବିଶ୍ବକପ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ସରକାରଙ୍କ ସହଭାଗିତାରେ ବିଶ୍ବକପ୍ ପୁଣିଥରେ ଲୋକପ୍ରିୟତାର ନୂଆ କୀର୍ତ୍ତିମାନ ଛୁଇଁବ ବୋଲି ବାତ୍ରା ଆଶା ପ୍ରକାଶ କରିଥିଲେ। ଓଡ଼ିଶାକୁ ପୁଣି ଥରେ ବିଶ୍ବକପ୍ ଆୟୋଜକ ଭାବେ ବାଛିବା ନେଇ ବାତ୍ରା କହିଥିଲେ ଯେ ଭାରତ ଆୟୋଜନ ଅଧିକାର ପାଇବା ପରେ ବିଶ୍ବକପ୍ ପାଇଁ ରାୟପୁର ଏବଂ ଦିଲ୍ଲୀକୁ ବିଚାରକୁ ନେଇଥିଲୁ। ତେବେ ଭୁବନେଶ୍ବର ସବୁଦୃଷ୍ଟିରୁ ଭଲ ବୋଲି ହୃଦୟଙ୍ଗମ କଲୁ। ଏବେ ରାଉରକେଲା ଏଥିରେ ସାମିଲ ହୋଇଛି। ସେଠାକାର ଭିତ୍ତିଭୂମିକୁ ମଧ୍ୟ ଓଡ଼ିଶା ସରକାର ବିଶ୍ବ ସ୍ତରୀୟ କରିବେ ବୋଲି ମୋର ଦୃଢ଼ ଆଶା ରହିଛି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେେହରାଙ୍କ ସହ ଶାସକ ଏବଂ ବିରୋଧୀ ଦଳର ଅନେକ ନେତା ଏବଂ ଅଧିକାରୀ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ରେ ୧୭ ସିନ୍ଥେଟିକ୍ ଟର୍ଫ
ରାଜ୍ୟ ହକିର ଗଡ଼ ସୁନ୍ଦରଗଡ଼ରେ ହକିର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ହକି ତୃଣମୂଳ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସୁନ୍ଦରଗଡ଼ର ସମସ୍ତ ୧୭ ବ୍ଲକରେ ୧୭ ସିନ୍ଥେଟିକ୍ ଟର୍ଫ ବିଛାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳିଙ୍ଗ ହକି କଂପ୍ଲେକ୍ସରେ ରଖା ଯାଇଥିବା ଫଳକ ଉପରୁ ପରଦା ଉଠାଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସିନ୍ଥେଟିକ୍ ଟର୍ଫଗୁଡ଼ିକ ସ୍ୟାଣ୍ଡ୍ ବେସଡ୍ ହେବ ଏବଂ ଏଥିଲାଗି ୨ରୁ ୨.୫ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ ମତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ସ୍ଥାପିତ ହେବାକୁ ଥିବା ହକି ହାଇପର୍ଫମାନ୍ସ କେନ୍ଦ୍ର ବିଲ୍ଡିଂର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।