ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟବାସୀ ଓ ସ୍ବତନ୍ତ୍ରଭାବେ ଭୁବନେଶ୍ବରବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ। ସେ କହିଛନ୍ତି ଯେ ଭୁବନେଶ୍ବର ସୁରକ୍ଷିତ ଅଛି । କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସେ ସ୍ବଷ୍ଟ ଭାବେ ସୂଚିତ କରିଛନ୍ତି ଯେ ଭୁବନେଶ୍ବରରେ ଯେଭଳି ଭାବେ କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଉଛି ତାହା ଭୁବନେଶ୍ବରକୁ ସୁରକ୍ଷିତ କରିଛି।

Advertisment

ଭୁବନେଶ୍ୱରରେ ପ୍ରତି ଲକ୍ଷେ ଲୋକ ହିସାବରେ ୧୯୦ ଜଣ ଲୋକଙ୍କ ନମୁନା ପରୀକ୍ଷା ହେଉଛି । ଏହା ଦେଶର ଅନ୍ୟ ଯେକୌଣସି ସହର ତୁଳନାରେ ଅଧିକ । କାରଣ ଦିଲ୍ଲୀରେ ଲକ୍ଷେ ଲୋକ ପିଛା ୯୨ ଜଣଙ୍କର ଓ ମୁମ୍ବାଇରେ ଏତିକି ଲୋକସଂଖ୍ୟାରେ ୧୮୮ ଜଣଙ୍କ ନମୁନା ପରୀକ୍ଷା ହେଉଛି । ଏହା ପରେ ବି ଆମେ ଭୁବନେଶ୍ୱରରେ ଅଧକ ଟେଷ୍ଟ କରିବାକୁ ଯୋଜନା କରିଛୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ସେ କହିଛନ୍ତି, ଭୁବନେଶ୍ୱରରେ ଶନିବାର ଠାରୁ ରାପିଡ ଟେଷ୍ଟ ଆରମ୍ଭ ହୋଇଯାଇଛି । ଆମ ଟିମ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ଏବଂ ନମୁନା ସଂଗ୍ରହ କରୁଛନ୍ତି ।

ଶ୍ରୀ ଧଳ କହିଛନ୍ତି ଯେ, ଶୁକ୍ରବାର ୭୮୮ ନମୁନା ସଂଗ୍ରହ ହୋଇଥିଲା । ଆଜି ସକାଳୁ ୭୫୬ଟି ନମୁନା ସଂଗ୍ରହ କରାଯାଇଛି । ରାପିଡ ଟେଷ୍ଟ ପାଇଁ ଶିରାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି  ଏବଂ ଏହାକୁ ପରୀକ୍ଷା କରାଯାଉଛି । ରାପିଡ ଟେଷ୍ଟରେ ୧୫ରୁ ୨୦ ମିନିଟ ଭିତରେ ରିପୋର୍ଟ ମିଳୁଛି । ନମୁନା ଟେଷ୍ଟିଂରେ ରିପୋର୍ଟ ପଜିଟିଭ ଆସିଲେ ଆଉ ଥରେ ସ୍ୱାବ ପରୀକ୍ଷା କରାଯାଉଛି । ଆମେ ଯେତେ ହସ୍ପିଟାଲ ଶଯ୍ୟା ପ୍ରସ୍ତୁତ କରିଛୁ । ତାହାର ଏକ ପ୍ରତିଶତ ମଧ୍ୟ ପୂରଣ ହୋଇପାରି ନାହିଁ । କିନ୍ତୁ ତଥାପି ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ସମ୍ଭାବିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ଧଳ କହିଛନ୍ତି ।

ସେ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ୱରରେ ୧୫ରୁ ଅଧିକ ଆକ୍ରାନ୍ତ ହଟସ୍ପଟ ଅଂଚଳରୁ ହୋଇଥିବାରୁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆକ୍ରାନ୍ତମାନଙ୍କ ଯାତ୍ରା ବିବରଣୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ସେହି ଅନୁସାରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଭୁବନେଶ୍ୱର ଏବେ ସୁରକ୍ଷିତ ଅଛି ।