ତାତିରେ ନୂତନ ରେକର୍ଡ ସୃଷ୍ଟିକଲା ଭୁବନେଶ୍ୱର; ସ୍ଥାପନା ପରଠାରୁ ୭ ଦଶନ୍ଧି ମଧ୍ୟରେ ଏମିତି ତାତି ଦେଖି ନଥିଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର ତାପମାତ୍ରାରେ ସୃଷ୍ଟି କରିଛି ଏକ ନୂତନ ସର୍ବକାଳୀନ ରେକର୍ଡ। ବିଗତ ୪୮ ଘଣ୍ଟା ଧରି ସମଗ୍ର ରାଜ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ବେଳେ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଥିଲା ୪୪.୨ ଡିଗ୍ରି ସେଲସିୟସ। ଯାହାକି ଏକ ସର୍ବକାଳୀନ ରେକର୍ଡ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ।

ମାର୍ଚ୍ଚ ମାସରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଏକ ନୂତନ ରେକର୍ଡ ସୃଷ୍ଟି କରିଥିବା ଟୁଇଟ କରି କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ପୂର୍ବରୁ ୨୦୧୬ ମାର୍ଚ୍ଚ ୨୧ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨.୨ ଡିଗ୍ରି ସେଲସିୟସ୍‌ ରେକର୍ଡ କରା ଯାଇଥିଲା। ୧୯୪୮ରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପିତ ହେବା ପରଠାରୁ ଏହା ଏଯାବତ୍‌ ଏକ ସର୍ବକାଳୀନ ରେକର୍ଡ ରୂପେ ପରିଗଣିତ ହୋଇ ଆସୁଥିଲା।

ହେଲେ, ଆଜି ମାର୍ଚ୍ଚ ୩୧ ତାରିଖରେ ଦିନ ରାଜଧାନୀ ଭୁବନେଶ୍ୱରରେ ଦିନର ତାପମାତ୍ରା ସର୍ବୋଚ୍ଚ ୪୪.୨ ଡିଗ୍ରି ସେଲସିୟସ୍‌ ରେକର୍ଡ ହେବାପରେ ଏହା ଅତୀତର ସବୁ ରେକର୍ଡକୁ ଭାଙ୍ଗି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଆଜି ରାଜଧାନୀ ଭୁବନେଶ୍ୱର କେବଳ ମାତ୍ର ରାଜ୍ୟ କିମ୍ବା ଦେଶର ନୁହେଁ ବରଂ ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତକାଲି (ମଙ୍ଗଳବାର) ବାରିପଦା ଦିନର ତାପମାତ୍ରା ୪୪.୬ ଡିଗ୍ରି ସେଲସିୟସ ସହ ରାଜ୍ୟ ତଥା ଦେଶ ଓ ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ୪୩.୬ ଡିଗ୍ରି ସେଲସିୟସ ତାପମାତ୍ରା ସହ ବିଶ୍ବର ଦ୍ବିତୀୟ ଉତ୍ତପ୍ତ ଓ ୪୩ ଡିଗ୍ରି ସେଲସିୟସ ତାପମାତ୍ରା ସହ ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ପାଲଟିଛି।

ସମ୍ବନ୍ଧିତ ଖବର