ଭୁବନେଶ୍ବର: ପ୍ରଶାସନିକ ସୁବିଧା ଓ ଜନସଂଖ୍ୟା ବୃଦ୍ଧି କାରଣରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରାଯାଉ। ଭୁବନେଶ୍ବର ଜିଲ୍ଲା ଗଠନ ସଂଘ ପକ୍ଷରୁ ଶୁକ୍ରବାର ଏହି ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଶାର ୧୩ଟି ରାଜସ୍ୱ ଜିଲାକୁ ୩୦ଟି ଜିଲାରେ ପରିଣତ କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଯିବାର ପ୍ରସ୍ତାବ ଥିଲା। କିନ୍ତୁ କୌଣସି କାରଣରୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ଏ ଭିତରେ ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ, ଏହି ଦୀର୍ଘଦିନର ଦାବି ଉପଯୁକ୍ତ ଗୁରୁତ୍ୱ ପାଇ ନାହିଁ।
ଭୁବନେଶ୍ୱରକୁ ଏକ ଜିଲ୍ଲା କରିବା ନିମନ୍ତେ, ତତ୍କାଳୀନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତି ପ୍ରଥମେ ପ୍ରସ୍ତାବ ରଖି ବହୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଭୁବନେଶ୍ୱରରେ ସ୍ଥାପନ କରିଥିଲେ। ପରବର୍ତ୍ତୀ କାଳରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଏକ ଜିଲାର ମାନ୍ୟତା ଦେବା ନିମନ୍ତେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତି (ଜଷ୍ଟିସ୍ ଦାସ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲାର ମାନ୍ୟତା ଦେବା ନିମନ୍ତେ ସେହି କମିଟି ମଧ୍ୟ ତତ୍କାଳୀନ ସରକାରଙ୍କୁ ସୁପାରିସ କରିଥିଲେ। ପୂର୍ବତନ ମୁଖ୍ୟଶାସନ ସଚିବ ତଥା ନିର୍ବାଚନ କମିସନର ଅଜିତ କୁମାର ତ୍ରିପାଠୀ ଏବଂ ପୂର୍ବତନ ରାଜସ୍ୱମନ୍ତ୍ରୀ ତଥା ଉପବାଚସ୍ପତି ସୁରେନ୍ଦ୍ରନାଥ ନାୟକ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ଏକଦା ପ୍ରସ୍ତାବ ରଖିଥିଲେ ବୋଲି ସଂଘ କହିଛି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସଭାପତି ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ, ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି, ସଂଗଠନ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ ଗୀତିକାର ରଜନୀରଂଜନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ୧୯୯୩ ମସିହାରେ ଭୁବନେଶ୍ୱରର ଲୋକସଂଖ୍ୟା ୧୧ ଲକ୍ଷ ଥିଲା। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ତାହା ୧୫ ଲକ୍ଷ ୩୯ ହଜାର ୯୭୭ରେ ପହଞ୍ଚିଥିଲା। ଏ ଭିତରେ ଦୀର୍ଘ ୧୨ ବର୍ଷ ବିତିଯାଇଛି ଏବଂ ଭୁବନେଶ୍ୱରର ଲୋକସଂଖ୍ୟା ଏବେ ୨୨ ଲକ୍ଷରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଲୋକସଂଖ୍ୟା ବଢ଼ିବା କାରଣରୁ ପ୍ରାଶାସନିକ କାର୍ଯ୍ୟଚାପ ମଧ୍ୟ ଦୁଇଗୁଣ ବା ଅଧିକ ବୃଦ୍ଧି ପାଇଛି। ଏଣୁ ଜନସାଧାରଣ ଅକଥନୀୟ ଅସୁବିଧା ଭୋଗ କରୁଛନ୍ତି। ଫଳରେ ଶାସନର ସୁବିଧା ଦୃଷ୍ଟିରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲା କରିବା ପାଇଁ ଦାବି ହୋଇଆସୁଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଥିଲା। ୨୦୦୯ ମସିହାଠାରୁ ଏହା ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପରିଣତ ହୋଇଛି। ଖୋର୍ଦ୍ଧା ଜିଲା ଅଧୀନରେ ଭୁବନେଶ୍ୱର ମହାନଗର ସମେତ ରହିଛି ଏକ ସୁବିସ୍ତୃତ କ୍ଷେତ୍ର। ଆୟତନ ଦୃଷ୍ଟିରୁ କଟକ ଜିଲାର ନିଆଳି ନିକଟସ୍ଥ ନରିଶୋଗ୍ରାମ ରହିଛି ଖୋର୍ଦ୍ଧା ଜିଲାରେ। ସେଠାରୁ ଜିଲାର ସଦର ମହକୁମା ଖୋର୍ଦ୍ଧାର ଦୂରତା ପ୍ରାୟ ୭୦ କିଲୋମିଟର। ଏହିପରି ଅନ୍ୟାନ୍ୟ ଅନେକ ସ୍ଥାନ ମଧ୍ୟ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି । ପୁଣି ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ୨୦ କିଲୋମିଟରରୁ ଊର୍ଦ୍ଧ୍ୱ। ଏ ନେଇ ପ୍ରତିଦିନ ଭୁବନେଶ୍ୱର ମହାନଗରବାସୀ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ବିଶେଷକରି ଲୋକସେବା ଭବନ (ରାଜ୍ୟ ସଚିବାଳୟ) ସମେତ ଓଡ଼ିଶା ଶାସନର ପ୍ରାୟ ସମସ୍ତ ମୁଖ୍ୟାଳୟ ଭୁବନେଶ୍ୱରରେ ଥିବାବେଳେ, ଜିଲାପାଳଙ୍କ ଦପ୍ତର ଖୋର୍ଦ୍ଧାରେ ଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ଅଧିକାର ଆଇନସେବା ପ୍ରଦାନ କ୍ଷେତ୍ରରେ ମଧ୍ୟ ଏଥିପାଇଁ ବହୁ ଅସୁବିଧା ସୃଷ୍ଟି ହେଉଛି। ଏବେ ଭୁବନେଶ୍ୱର କୋର୍ଟ ପରିସରରେ ଏକ ବୃହତ୍ ‘ଜୁଡ଼ିସିଆଲ୍ କଂପ୍ଲେକ୍ସ’ ନିର୍ମାଣାଧୀନ ରହିଛି। ସମସ୍ତ ‘ଜୁଡ଼ିସିଆଲ୍ କୋର୍ଟ’ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବାପାଇଁ ଏହା ରାଜ୍ୟ ପ୍ରଶାସନର ଏକ ଉଲ୍ଲେଖନୀୟ ପଦକ୍ଷେପ। ସେହିପରି, ସମସ୍ତ ‘ଏକ୍ଜିକ୍ୟୁଟିଭ୍ କୋର୍ଟ’ର କାର୍ଯ୍ୟକୁ ଗୋଟିଏ ସ୍ଥାନରେ ସଂପନ୍ନ କରାଇବାପାଇଁ, ସାଧାରଣ ପ୍ରଶାସନ (ଜି.ଏ.) ବିଭାଗ ମଧ୍ୟ ଏ ଭିତରେ ୪ ଏକର ୯୩୩ ଡେସିମିଲର ଏକ ଜମି ରାଜସ୍ୱ ବିଭାଗକୁ ପ୍ରଦାନ କରିଛନ୍ତି । ଏହା ଜନସାଧାରଣଙ୍କୁ ସେମାନଙ୍କର ହାତ ପାଆନ୍ତାରେ ନ୍ୟାୟ ପ୍ରଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କିନ୍ତୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ନକଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଜନସାଧାରଣଙ୍କୁ ଉପଯୁକ୍ତ
ସୁଫଳ ପ୍ରଦାନ କରିପାରିବ ନାହିଁ। ଏ ଦୃଷ୍ଟିରୁ ଭୁବନେଶ୍ୱର କୋର୍ଟର ଆଇନଜୀବୀମାନେ ମଧ୍ୟ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲା କରିବାପାଇଁ ଏ ଦିଗରେ କ୍ରମାଗତ ଭାବରେ ଦୀର୍ଘଦିନ ଧରି ଦାବି ଜଣାଇ ଆସୁଛନ୍ତି। ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ବରଗଡ଼ଠାରେ ଏକ ଜନସଭାରେ, ସେହି ଜିଲାର ପଦମପୁର ସବ୍ଡିଭିଜନକୁ ଏକ ସ୍ୱତନ୍ତ୍ର ଜିଲାର ମାନ୍ୟତା ଦେବା କଥା ଘୋଷଣା କରିଛନ୍ତି । ଏଣୁ, ଏହି ସବୁ ଦୀର୍ଘଦିନର ଦାବି, ଆବଶ୍ୟକତା ଏବଂ ଜନସାଧାରଣଙ୍କ ପ୍ରୟୋଜନର ସହୃଦୟ ବିଚାର କରି ଭୁବନେଶ୍ୱରକୁ ଯଥାଶୀଘ୍ର ଏକ ନୂତନ ଜିଲ୍ଲା ରୂପେ ଘୋଷଣା କରିବାପାଇଁ ଆମେ ଦାବି କରୁଛୁ।