ରାଜଧାନୀ ତାପମାତ୍ରା ୪୦.୬ଂ ଛୁଇଁଲା, ଆହୁରି ପ୍ରଖର ହେବ ଗ୍ରୀଷ୍ମ ପ୍ରକୋପ

ଚତୁର୍ଥ ଦିନ ପାଇଁ ଦେଶର ଉତ୍ତପ୍ତ ସହର ଭୁବନେଶ୍ବର

ପ୍ରଥମ ପାଞ୍ଚ ତତଲା ଜିଲ୍ଲା ଭିତରେ ଓଡ଼ିଶାର ୩ସ୍ଥାନ
୮ ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର : ରାଜ୍ୟର ୮ ଜିଲ୍ଲାରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗି ରହିବ। ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଅନୁଗୁଳ ଓ ମୟୂରଭଞ୍ଜ। ଏସବୁ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ। ଏଠାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବାର ଆଶଙ୍କା ରହିଛି। ସାଧାରଣତଃ ଏହି ସମୟରେ ରାଜଧାନୀର ତାପମାତ୍ରା ୩୫ ଡିଗ୍ରି ମଧ୍ୟରେ ରହିଥାଏ। କିନ୍ତୁ ଲଗାତାର କିଛି ଦିନ ହେଲା ରାଜଧାନୀର ତାପମାତ୍ରା ଅଶାତୀତ ଭାବେ ବଢ଼ି ଚାଲିଥିବା ବେଳେ ଗତ ୨ ଦିନ ହେଲା ରାଜଧାନୀର ପାରଦ ୪୦ ଡିଗ୍ରି ଡେଇଁଛି। ଆଜି ଏହା ୪୦.୬ ଡିଗ୍ରି ଅତିକ୍ରମ କରିଛି। ଲଗାତର ଭାବେ ଚତୁର୍ଥ ଦିନ ପାଇଁ ଦେଶର ସର୍ବାଧିକ ତାପମାତ୍ରା ଓଡ଼ିଶାର ରାଜଧାନୀରେ ରେକର୍ଡ ହୋଇଛି। ଦେଶର ସର୍ବାଧିକ ତାପପାତ୍ରା କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ଅନୁଗୁଳ। ସେଠାରେ ତାପମାତ୍ର ୩୮.୯ ଡିଗ୍ରି ରେକର୍ଡ କରାଯାଇଛି। ଚତୁର୍ଥ ସ୍ଥାନରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ତାପମାତ୍ରା ୩୮.୬ ଡିଗ୍ରି ରହିଛି। ଏହାବ୍ୟତୀତ କଟକ ତାପମାତ୍ରା ୩୮.୧ ଡିଗ୍ରି, ଟିଟିଲାଗଡ଼ର, ତାଳଚେର ଓ ନୟାଗଡ଼ର ତାପମାତ୍ରା ୩୮ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି।

ବାଲେଶ୍ବର ଓ ଚାନ୍ଦବାଲିର ତାପମାତ୍ରା ଗତକାଲି ଅପେକ୍ଷା ଅପେକ୍ଷାକୃତ କମ ରେକର୍ଡ ହୋଇଛି। ବାଲେଶ୍ବର ଓ ଚାନ୍ଦବାଲିରେ ଆଜି ତାପମାତ୍ରା ୩୬.୨ ଡିଗ୍ରି ଥିବା ଜଣାପଡ଼ିଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ଲଗାତାର ବଢ଼ିବ ଓ ଆସନ୍ତାକାଲି ରାଜଧାନୀର ତାପମାତ୍ରା ୪୧ ଡିଗ୍ରି ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ଏଥିପାଇଁ ମଧ୍ୟାହ୍ନ ସମୟରେ ଖରାରୁ ଦୂରେଇ ରହିବା ତଥା ଆବଶ୍ୟକ ପଡ଼ିଲେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ ବାହାରକୁ ବାହାରିବାକୁ ଉକ୍ତ ୮ ଜିଲ୍ଲାର ବାସିନ୍ଦାଙ୍କୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଓ ଖରାର ପ୍ରକୋପ ଏହି ଭଳି ଜାରି ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ରାତିର ପରିବେଶ ଥଣ୍ଡା ରହିବ। ଏବେ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି। ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶା‌ରେ ରାତି ତାପମାତ୍ରା ସ୍ବାଭାବିକ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳ ସମେତ ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ଟିକେ ଅଧିକ ରହିଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏହିଭଳି ରହିବ ବୋଲି କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର