ପୁଣି ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର, ତାପମାତ୍ରା ୪୦ଂ ଟପିଲା

୬ ତାରିଖ ହେବ ରାଜ୍ୟର ଉତ୍ତପ୍ତ ଦିନ: ଡ. ପଶୁପାଳକ

ଭୁବନେଶ୍ବ : ପାଣିପାଗ କେନ୍ଦ୍ରର ଆକଳନଠାରୁ ଦୁଇ ପାଦ ଆଗରେ ପାରଦ। ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି କେନ୍ଦ୍ର ଆକଳନ କରିଥିଲା। କିନ୍ତୁ ନିର୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି ପାରଦ ୪୦ ଡେଇଁ ଯାଇଛି। ସବୁଠୁ ଉତ୍ତପ୍ତ ସହର ଭାବେ ଗତ ୩ ଦିନ ହେଲା ଦେଶରେ ରେକର୍ଡ କରିଥିବା ଭୁବନେଶ୍ୱର ଆଜି ବି ନିଜ ରେକର୍ଡ ବଜାୟ ରଖିଛି।

ଆଜି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀରେ ଆଜି ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବି ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ଏହା ପଛକୁ ରାଜ୍ୟର ୪ଟି ସହରର ତାପମାତ୍ରା ୩୮ ଡିଗ୍ରି ରହିଥିବା ବେଳେ ୯ ସହର‌ରେ ୩୭ ଡିଗ୍ରି ରେକର୍ଡ ହୋଇଛି। ଫଳରେ ମାଘ ନ ଯାଉଣୁ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

‌ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଫେବ୍ରୁଆରିରେ ଏଭଳି ଗ୍ରୀଷ୍ମ ପ୍ରକୋପ କିଛି ନୂଆ ନୁହେଁ। ଗତ ୧୦ ବର୍ଷ ଭିତରେ ୨୦୧୬ ଫେବ୍ରୁଆରି ୨୦ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରି ରେକର୍ଡ ହୋଇଥିଲା। ଆଉ ପଛକୁ ଗଲେ, ୧୯୬୩ ‌ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା, ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତବର୍ଷ ଗରମ ଶୀଘ୍ର ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ଆଜି ପାରଦ ୪୦.୪ ଡିଗ୍ରି ଛୁଇଁଛି। ଅନୁମାନ କରାଯାଉଛି ଯେ ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ବର ତାପମାତ୍ରା ସାମୟିକ ଭାବେ କିଛି କମିବ। କିନ୍ତୁ ରାଜ୍ୟରେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଆହୁରି ବଢ଼ିବ। ଆକଳନ କରାଯାଉଛି, ଭୁବନେଶ୍ବରର ତାପମାତ୍ରା ୨୮ ତାରିଖରେ ୪୧ ଡିଗ୍ରି ପାଖାପାଖି ରହିବ। ମାର୍ଚ୍ଚ ୧ରେ ବାୟୁର ଦିଗ ପରିବର୍ତ୍ତନ ହେବ। ଉତ୍ତରା-ପଶ୍ଚିମା ପବନ ପରିବର୍ତ୍ତେ ଦକ୍ଷିଣ ପଟୁ ବଙ୍ଗୋପସାଗରୀୟ ପବନ ବହିବ। ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୁରୁଚାପବଳୟ ହେତୁ ଖରା ଅଧିକ ରହିଲେ ସୁଦ୍ଧା ପ୍ରଖରତା କମ୍‌ ରହିବ। ବାୟୁର ଆର୍ଦ୍ରତା ଅଧିକ ଯୋଗୁଁ ତାପମାତ୍ରା ପ୍ରାୟ ୨ ଡିଗ୍ରି କମିପାରେ। ଏହି ପାଗ ଉପକୂଳ ଓଡ଼ିଶାରେ ପ୍ରାୟ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହି ପୁଣି ମାର୍ଚ୍ଚ ୬ ତାରିଖରୁ ତାପମାତ୍ରା ବଢ଼ିବା ଆରମ୍ଭ ହେବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୨୮ ତାରିଖ ସୁଦ୍ଧା ପ୍ରାୟ ୧ ଡିଗ୍ରି ବଢ଼ି ପରବର୍ତ୍ତୀ ୪ ଦିନରେ ବି‌ଶେଷ ବଢ଼ିପାରେ। ତେବେ‌ ମାର୍ଚ୍ଚ ୫ ସୁଦ୍ଧା ଆଉ ୨ ଡିଗ୍ରି ବଢ଼ିପାରେ। ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ। ୫ରୁ ୬ ତାରିଖ ସୁଦ୍ଧା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ଅନ୍ୟପଟେ ମାର୍ଚ୍ଚ ୨ସୁଦ୍ଧା ଅନୁଗୁଳ, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବ। ମାର୍ଚ୍ଚ ୬ ରା‌ଜ୍ୟର ସବୁଠୁ ଉତ୍ତପ୍ତ ଦିନ ହୋଇପାରେ। ସେହିଦିନ ଉପକୂଳ ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୧ଡିଗ୍ରି ପାଖାପାଖି ଓ କେତେକ ସ୍ଥାନରେ ୪୨ଡିଗ୍ରି ତାପମାତ୍ରା ରେକର୍ଡ ହେବ। ତେବେ ଭୁବନେଶ୍ବରର ତାପମାତ୍ରା ୪୦ରୁ ୪୧ଭିତରେ ରହିବ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ। ସ୍ଥଳବିଶେଷରେ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ରାତ୍ରି ତାପମାତ୍ରା ବଢ଼ିପାରେ। ଉପକୂଳ ଜିଲ୍ଲାରେ ଅପେକ୍ଷାକୃତ ଅଧିକ ବଢ଼ିବ। ଏଣୁ ରାଜ୍ୟରେ ଥଣ୍ଡା ପ୍ରାୟତଃ ଅପରିବର୍ତ୍ତିତ ରହିବ ବୋଲି ଡ. ପଶୁପାଳକ କହିଛନ୍ତି।

୮ ଅତିକ୍ରମ କଲାଣି ୟୁଭି ଇଡେକ୍ସ: ଆଗକୁ ଆହୁରି ବଢ଼ିବ
ଲଗାତାର ୩ ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ ତାପମାତ୍ରା ସ୍ଥିର ରହିଛି। ତାପମାତ୍ରାରେ ହଠାତ୍‌ ଏଭଳି ବୃଦ୍ଧି ଏବଂ ଦିନ ଓ ରାତ୍ରି ତାପମାତ୍ରା ଭିତରେ ବିରାଟ ତାରତମ୍ୟ ପାଣିପାଗ ବିଶେଷଜ୍ଞମାନଙ୍କୁ ଚିନ୍ତିତ କରିଛି। ମାଘ ମାସରେ ଏଭଳି ତାପମାତ୍ରାକୁ ନେଇ ସାଧାରଣ ଜନତାଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସମସ୍ତ ସ୍ଥିତି ଅନୁଧ୍ୟାନ କରି କହିଛନ୍ତି, ମାଘ ମାସ ସରିନାହିଁ। ବସନ୍ତ ଆସିବାକୁ ସମୟ ଅଛି। ସୂର୍ଯ୍ୟଙ୍କର ପ୍ରତୀୟମାନ ସ୍ଥିତି ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧରେ ରହିଛି। ଏଣୁ ରାଜ୍ୟକୁ ସୂର୍ଯ୍ୟଙ୍କ ରଶ୍ମି ସିଧା ଓ ଲମ୍ବ ଭାବେ ନ ପଡ଼ି ତେର୍‌ଛା ପଡ଼ୁଛି। ଫଳରେ ଖରା ସେତେ ଟାଣ ଅନୁଭୂତ ହେବା କଥା ନୁହେଁ। ଦ୍ବିତୀୟତଃ ଏବେ ରାଜ୍ୟକୁ ପାକିସ୍ତାନରୁ ରାଜସ୍ଥାନ, ଗୁଜରାଟ ଓ କେନ୍ଦ୍ରୀୟ ଭାରତ ଦେଇ ଉତ୍ତରା-ପଶ୍ଚିମା ପବନ ବହୁଛି। ଏପ୍ରିଲ ଓ ମେ’ ମାସରେ ରାଜ୍ୟକୁ ସେହି ଅଞ୍ଚଳରୁ ଗରମ ପବନ ବହିଥାଏ। ଫଳରେ ରାଜ୍ୟରେ ତାପମାତ୍ରା ବଢ଼ିବା ସହିତ ବେଳେବେଳେ ଲୁ’ ବହିଥାଏ। କିନ୍ତୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତର ତାପମାତ୍ରା ଅପେକ୍ଷାକୃତ କମ୍‌ ରହୁଛି। ତୃତୀୟତଃ ଭୁବନେଶ୍ବର ସ‌ମେତ ଉପକୂଳ ଅଞ୍ଚଳକୁ ପୂର୍ବରୁ ଉପରବେଳା ସାମୁଦ୍ରିକ ପବନ ବହୁଥିଲା। ଫଳରେ ତାପମାତ୍ରା ବିଶେଷ ବଢ଼ୁନଥିଲା। ସ୍ବାଭାବିକ ଭାବେ ଏହି ସମୟରେ ତାପମାତ୍ରା ବଢ଼ି ନଥାଏ। କିନ୍ତୁ ଗତ କିଛି ବର୍ଷ ହେଲା ଭୁବନେଶ୍ବର ତାପମାତ୍ରା ବିଶେଷ ଭାବେ ବଢ଼ିଯାଉଛି ଏବଂ ଗ୍ରୀଷ୍ମ ଋତୁ ଶୀଘ୍ର ଆରମ୍ଭ ହୋଇଯାଉଛି।

ତାପମାତ୍ରା ବଢ଼ିବାର କାରଣ ସମ୍ପର୍କରେ ଶ୍ରୀ ପଶୁପାଳକ କହିଛନ୍ତି, ଏବେ ରାଜ୍ୟରେ ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ରହିଛି। ଫଳରେ ଖରା ଅଧିକ ଟାଣ ଲାଗୁଛି। ‌ସୂର୍ଯ୍ୟକିରଣର ପ୍ରଖରତା ଅତି ବାଇଗଣୀ ରଶ୍ମି ସୂଚକାଙ୍କ (ୟୁଭି ଇନ୍‌ଡେକ୍ସ) ବା ସୂର୍ଯ୍ୟ ସୂଚକାଙ୍କ (ସନ୍‌ ଇନ୍‌ଡେକ୍ସ)ରୁ ଜଣା ପଡ଼ିଥାଏ। ସୂଚନା ମୁତାବକ, ଆଜି ଭୁବନେଶ୍ବରରେ ୟୁଭି ଇନ୍‌ଡେକ୍ସ ୮ରୁ ଅଧିକ ରହିଥିଲା। ଆସନ୍ତାକାଲି ଏହା ୯ ରହିବାର ସମ୍ଭାବନା ରହିଛି, ଯାହାକି ଖୁବ୍‌ ଅଧିକ। ଅନ୍ୟପଟେ ଗତ ୩ ମାସ ହେ‌ଲା ରାଜ୍ୟରେ ବର୍ଷା ପ୍ରାୟ ହୋଇନାହିଁ। ମାଟି ଶୁଖିଲା ରହିଛି। ଏଣୁ ଭୂପୃଷ୍ଠ ଶୀଘ୍ର ଉତ୍ତପ୍ତ ହେବା ସହ ଅଧିକ ବିକିରଣ କରୁଛି। ଏଣୁ ସଂଲଗ୍ନ ନିମ୍ନ ବାୟୁମଣ୍ଡଳ ଅଧିକ ଗରମ ହେଉଛି। ମାଟି ଆର୍ଦ୍ର ରହିଲେ କିଛି ଉତ୍ତାପ ବାଷ୍ପୀକରଣ ଉପଯୋଗ ହେତୁ ବିକିରଣ କମ୍‌ ହୋଇଥାଏ। ଏଥିସହ ଏବେ ବାୟୁର ବେଗ କମ୍‌ ରହୁଛି। ଏଣୁ ଉତ୍ତାପ ବାୟୁ ପ୍ରବାହ ଦ୍ବାରା ପ୍ରଶମିତ ହୋଇ ନ ପାରି ସେହି ସ୍ଥାନରେ ଜମି ରହୁଛି। ବର୍ତ୍ତମାନ ଉତ୍ତରା-ପଶ୍ଚିମା ପବନ ରାଜ୍ୟ ଦେଇ ସିଧା ବଙ୍ଗୋପସାଗରକୁ ପ୍ରବାହିତ ହେଉଛି ଓ ସାମୁଦ୍ରିକ ପବନ ଦୁର୍ବଳ ରହୁଛି। ଫଳରେ ରାଜଧାନୀ‌ର ତାପମାତ୍ରା କମୁନାହିଁ ଓ ବାୟୁମଣ୍ଡଳର ଆର୍ଦ୍ରତା ୧୫%ରୁ ବି କମ୍‌ ରହୁଛି। ଅନ୍ୟପଟେ ରାଜଧାନୀର କଂକ୍ରିଟ ଜଙ୍ଗଲ ଯୋଗୁଁ ଆସନ୍ତା ବର୍ଷଗୁଡ଼ିକରେ ରାଜଧାନୀ ଆହୁରି ଉତ୍ତପ୍ତ ହେବାର ଆଶଙ୍କା ପ୍ରକାଶ ପାଇଲାଣି।

ସମ୍ବନ୍ଧିତ ଖବର