ଭୁବନେଶ୍ୱରରୁ ବାଲେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଚିଠି ପହଞ୍ଚିବାକୁ ଲାଗିଗଲା ୪ ମାସ

ଡାକ ବିଭାଗର ଅବହେଳା ନା ଜାଣିଶୁଣି ଚାପି ଦେଇଥିଲେ?

ବାଲେଶ୍ୱର : ଲୋକଙ୍କୁ ସ୍ୱଚ୍ଛ ଶାସନ ଦେବା ନିମନ୍ତେ ‘ ୫ଟି’ ଓ ‘ମୋ ସରକାର’ ବ୍ୟବସ୍ଥା ଲାଗୁ ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଏହି ନିୟମ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପାଇଁ ପ୍ରହସନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଏକ ସମ୍ବେଦନଶୀଳ ଅଭିଯୋଗର ତଦନ୍ତ ପାଇଁ ଆସିଥିବା ଆଦେଶପତ୍ର ପହଞ୍ଚିବାକୁ ୪ ମାସ ଲାଗିଯାଇଛି। ପ୍ରକୃତରେ ପତ୍ର ପହଞ୍ଚିବା ବିଳମ୍ବ ହୋଇଛି କି ଜାଣିଶୁଣି ଚାପି ଦିଆଯାଇଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଅଭିଯୋଗ ଥିଲା ବାଲେଶ୍ବର ଜିଲ୍ଲାର ଅତିରିକ୍ତ ସରକାରୀ ଓକିଲ ଭୁବନାନନ୍ଦ ଦାସଙ୍କ ନାମରେ। ସରକାରୀ ମାମଲା ପରିଚାଳନା କରୁଥିବା ଶ୍ରୀ ଦାସ ଗୋଟିଏ ସମୟରେ ଭୋଗରାଇ, ବାଲିଆପାଳ ଓ ବାଲେଶ୍ବର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ କାମ କରିଥିବା ଦର୍ଶାଇ ନିଜର ପ୍ରାପ୍ୟ ବାବଦରେ ସରକାରୀ ତହବିଲରୁ ଅର୍ଥ ହାତେଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ବସ୍ତା ଅଞ୍ଚଳର ପ୍ରଶାନ୍ତ କୁମାର ପ୍ରଧାନ ଗତ ଜାନୁଆରି ୪ ତାରିଖରେ ଜିଲ୍ଲାପାଳ, ରାଜ୍ୟ ସରକାର ଓ ଭିଜିଲାନ୍ସକୁ ଚିଠି ଲେଖି ଏହାର ତଦନ୍ତ ନିମନ୍ତେ ଅନୁ‌ରୋଧ କରିଥିଲେ। ଶ୍ରୀ ପ୍ରଧାନଙ୍କ ଅଭିଯୋଗ ମୁତାବକ, ୨୦୧୩ ମସିହାରୁ ୨୦୧୭ ମଧ୍ୟରେ ଏକାଦିକ୍ରମେ ଦୁଇଟି ପଦରେ ଥାଇ (ଅତିରିକ୍ତ ଜିପି ଓ ସିଡବ୍ଲୁସି ସଦସ୍ୟ) ଅତିରିକ୍ତ ସରକାରୀ ଓକିଲ ଶ୍ରୀ ଦାସ ମାମଲା ପରିଚାଳନା ବାବଦରେ ଲକ୍ଷାଧିକ ଟଙ୍କା ବେଆଇନ୍‌ ଭାବେ ନେଇଥିଲେ। ସିଡବ୍ଲୁସି ସଦସ୍ୟ ଥିବା ସମୟରେ ଶ୍ରୀ ଦାସ ୬ ଲକ୍ଷ ୩୩ ହଜାର ୫ ଶହ ଓ ବିଭିନ୍ନ ସରକାରୀ ମାମଲା ପରିଚାଳନା ବାବଦରେ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇଥିବା ଉକ୍ତ ଅଭିଯୋଗପତ୍ରରେ ଦର୍ଶାଯାଇଥିଲା।

The Minnesota Daily

ଏହି ଘଟଣା ଜଣାପଡ଼ିବା ପରେ ୨୦୨୦ ଫେବ୍ରୁଆରି ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟକୁ ଏକ ଚିଠି (ନଂ୧୬୫୫/୨୦) ଆସିଥିଲା। ଯେଉଁଥିରେ ସରକାରୀ ମାମଲା ପରିଚାଳନା ବାବଦରେ ଶ୍ରୀ ଦାସ କେତେ ଅର୍ଥ ନେଇଛନ୍ତି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ କୌଣସି ଉତ୍ତର ଦିଆନଯିବାରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପୁଣିଥରେ ଫେବ୍ରୁଆରି ୨୮ ତାରିଖରେ ସ୍ପିଡ୍‌ପୋଷ୍ଟ ଯୋଗେ ଉକ୍ତ ଆଦେଶପତ୍ର (ରିମାଇଣ୍ଡର ଚିଠି ନଂ୨୮୯୭/୨୦) ବାଲେଶ୍ୱର ଜିଲ୍ଲାପାଳଙ୍କୁ ପଠାଇଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସିଏମ୍‌ଓଙ୍କ ଅଫିସରୁ ଆସିଥିବା ଏହି ସାନି ଆଦେଶପତ୍ର ଗତ ମାସ ଅର୍ଥାତ ଜୁନ ୨୨ ତାରିଖ ସୁଦ୍ଧା ବାଲେଶ୍ବର ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିନଥିଲା। ଦୀର୍ଘ ୪ ମାସ ପରେ ବି ଆଦେଶପତ୍ର ପହଞ୍ଚିନଥିବା ଜାଣି ଅସୁବିଧା କୋଉଠି ରହିଲା ସେ ନେଇ ଅଭିଯୋଗକାରୀ ଶ୍ରୀ ପ୍ରଧାନ ଖୋଳତାଡ଼ କରିଥିଲେ। ଆଉ ଅତି ଆଶ୍ଚର୍ଯ୍ୟଜନକ ଭାବେ ସେହିଦିନ ଅର୍ଥାତ୍‌ ୨୨ ତାରିଖରେ ଆଦେଶପତ୍ରଟି ସିଧା ଯାଇ ଜିଲ୍ଲାପାଳଙ୍କ ଟେବୁଲରେ ପହଞ୍ଚିଥିଲା। ଏଠାରେ ପ୍ରଶ୍ନ ଉଠୁଛି ସିଏମଓଙ୍କ ଆଦେଶପତ୍ରଟି ୪ ମାସ ଯାଏ ଥିଲା କୋଉଠି?

ସାଧାରଣତଃ ସ୍ପିଡ୍‌ପୋଷ୍ଟରେ ଆସିଥିବା ଚିଠି ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନରେ ମିଳିଯାଏ। କିନ୍ତୁ ଦୀର୍ଘ ୪ ମାସ ପରେ ଏହା ଜିଲ୍ଲାପାଳଙ୍କ ଟେବୁଲକୁ ଆସିବା କିଛି ଅଲଗା କଥା ବୟାନ କରୁଛି। ଏ ସଂପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାୟିତ୍ବ ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ଡି.କେ.ନାୟକଙ୍କୁ ଦିଆଯାଇଥିଲା। ଇନ୍ସପେକ୍ଟର ଶ୍ରୀ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଏବେ ସେ ଅନ୍ୟ କାମରେ ଅଛନ୍ତି। ତାଙ୍କୁ ଅନେକ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି। ତେଣୁ ସେଗୁଡ଼ିକୁ ଦେଖିବା ପରେ ଯାଇ ସେ ଏହା ଉପରେ କିଛି ମତାମତ ଦେଇପାରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର