ଭୁବନେଶ୍ବର: ଅନ୍ତର୍ଜାତୀୟ ବିମାନ ସେବା କ୍ଷେତ୍ରରେ ଓଡ଼ିଶାକୁ ପୁଣି ଝଟ୍କା ଲାଗିଛି। ଡିସେମ୍ବର ୬, ୨୦୧୮ରେ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଆରମ୍ଭ ହୋଇଥିବାବେଳେ ପ୍ରାୟ ୯ମାସ ପରେ ଏହି ସେବା ବନ୍ଦ ହେବାକୁ ଯାଉଛି। ସେପ୍ଟେମ୍ବର ୨୨ରୁ ଏୟାର ଏସିଆ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ଉଡ଼ାଣ କରିବନି ବୋଲି ନିଷ୍ପତ୍ତି ନେଇଛି। ହଠାତ୍ ବିମାନ ଉଡ଼ାଣ ବନ୍ଦ କରିବା ନେଇ ଏୟାର ଏସିଆ ପକ୍ଷରୁ କୁହାଯାଇଛି ଯେ, ଟେକନିକାଲ୍ ରିଓରିଏଣ୍ଟେସନ୍ ପାଇଁ ଏହି ରୁଟ୍ରେ ବିମାନ ସେବା ବନ୍ଦ କରାଯାଉଛି।
ଏୟାର ଏସିଆ ସପ୍ତାହକୁ ଚାରିଦିନ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଯୋଗାଉଥିବାବେଳେ ହଠାତ୍ ସେେପ୍ଟମ୍ବର ୨୨ରୁ ଆଉ ଏହି ରୁଟ୍ରେ ବୁକିଂ ରଖିବନି ବୋଲି ଏହାର ୱେବସାଇଟ୍ରୁ ସୂଚନା ମିଳିଛି। ସେପ୍ଟେମ୍ବର ୨୧ରେ ବ୍ୟାଙ୍କକ୍ରୁ ଶେଷ ବିମାନ ଆସିବାକୁ ଥିବାବେଳେ ୨୨ରେ ଏଠାରୁ ଶେଷ ବିମାନ ଯିବ। ଯେଉଁ ଯାତ୍ରୀମାନେ ଏହି ତାରିଖ ପରେ ବ୍ୟାଙ୍କକ୍ ଯିବା ପାଇଁ ଟିକେଟ୍ ବୁକିଂ କରିଛନ୍ତି ସେମାନେ ଭୁବନେଶ୍ବରରୁ ଭାୟା କ୍ବାଲାଲମ୍ପୁର ହୋଇ ବ୍ୟାଙ୍କକ୍ ଯିବେ ବୋଲି ଜଣାପଡ଼ିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭୁବନେଶ୍ବର ବ୍ୟାଙ୍କକ୍ ବିମାନ ସେବା ପାଇଁ ଯେଉଁ ଟେଣ୍ଡର ଆହ୍ବାନ କରିଥିଲେ ସେଥିରେ ଏୟାର ଏସିଆ ପ୍ରତି ଉଡ଼ାଣ ପିଛା ୧ଲକ୍ଷ ୭୦ହଜାର ଟଙ୍କା ସବ୍ସିଡ୍ ନେବାକୁ ସର୍ତ୍ତ ରଖିଥିଲା। ରାଜ୍ୟ ସରକାର ମଧ୍ୟ ଏଥିରେ ରାଜି ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ଏୟାର ଇଣ୍ଡିଆ କିଛି ଦିନ ପାଇଁ ବିନା ସବ୍ସିଡ୍ରେ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଆରମ୍ଭ କରିଥିବାରୁ ରାଜ୍ୟ ସରକାର କାହିଁକି ଏୟାର ଏସିଆକୁ ସବ୍ସିଡ୍ ଦେବେ ବୋଲି ସେତେେବଳେ ପ୍ରଶ୍ନ ଉଠିଥିଲା। ବହୁ ବିଚାର ବିମର୍ଷ ପରେ ଏୟାର ଏସିଆର ଭୁବନେଶ୍ବର- କ୍ବାଲାଲମ୍ପୁର ବିମାନ ପାଇଁ ଆଉ ବର୍ଷେ ୧ଲକ୍ଷ ଟଙ୍କାର ସବ୍ସିଡ୍ ଦେବାକୁ ରାଜ୍ୟ ସରକାର ସହମତି ଦେବା ପରେ ଏୟାର ଏସିଆ କର୍ତ୍ତୃପକ୍ଷ ବ୍ୟାଙ୍କକ୍କୁ ବିନା ସବ୍ସିଡ୍ରେ ବିମାନ ଉଡ଼ାଣ କରିବାକୁ ରାଜି ହୋଇଥିଲେ। ସର୍ତ୍ତ ଅନୁଯାୟୀ ଗତ ଏପ୍ରିଲ୍ ୨୪ରୁ ରାଜ୍ୟ ସରକାର ଭୁବନେଶ୍ବର-କ୍ବାଲାଲମ୍ପୁର ବିମାନକୁ ଆଉ ସବ୍ସିଡ୍ ଦେଉନଥିବାବେଳେ ଏୟାର ଏସିଆ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଭୁବନେଶ୍ବର-ବ୍ୟାଙ୍କକ୍ ପାଇଁ ସବ୍ସିଡ୍ ମାଗୁଥିଲେ। କିନ୍ତୁ ରାଜ୍ୟ ସରକାର ଏନେଇ କିଛି ନିଷ୍ପତ୍ତି ନନେବାରୁ ଏୟାର ଏସିଆ କର୍ତ୍ତୃପକ୍ଷ ହଠାତ୍ ଭୁବନେଶ୍ବର-ବ୍ୟାଙ୍କକ୍ ବିମାନ ଉଡ଼ାଣ ବନ୍ଦ କରିଦେଇଛନ୍ତି।
ସେହିପରି ଏୟାର ଏସିଆ ସହ ସଂପୃକ୍ତ ଅନ୍ୟ ଏକ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବର-ବ୍ୟାଙ୍କକ୍ ରୁଟ୍ରେ ସବୁ ଟିକେଟ୍ ବୁକିଂ ହେଉନି। ୮୦ରୁ ୯୦% ଟିକେଟ୍ ବୁକିଂ ହେଲେ ଏବେ ଯେତିକି ଭଡ଼ାରେ ବିମାନ ସେବା ଯୋଗାଯାଉଛି ସେଥିରେ ବିମାନ ଚଳାଇବା ସମ୍ଭବ ହେବ। ହେଲେ ଅଧିକାଂଶ ସମୟ ୫୦ରୁ ୬୦% ବୁକିଂ ରହୁଥିବାରୁ ଏୟାର ଏସିଆକୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ରାଜ୍ୟ ସରକାରଙ୍କୁ ଏନେଇ ସବ୍ସିଡ୍ ଦେବାକୁ କୁହାଯାଇଥିଲା। ହେଲେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ କମ୍ପାନି ଆଉ ଅଧିକ କ୍ଷତି ନକରିବାକୁ ଏହିଭଳି ନିଷ୍ପତ୍ତି ନେଇଛି। ବ୍ୟାଙ୍କକ୍ ପାଇଁ ଟିକେଟ୍ ବୁକିଂ କରିଥିବା ଯାତ୍ରୀମାେନ ଭାୟା କ୍ବାଲାଲମ୍ପୁର ହୋଇ ଯାତାୟତ କରିବେ। ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଓଡ଼ିଶାକୁ ଆକର୍ଷଣ କରିବା ଏବଂ ବୌଦ୍ଧ ପର୍ଯ୍ୟଟକଙ୍କୁ ଓଡ଼ିଶା ମୁହାଁ କରିବା ପାଇଁ ଭୁବନେଶ୍ବର-ବ୍ୟାଙ୍କକ୍ ବିମାନ ଉଡ଼ାଣ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ହଠାତ୍ ବିମାନ ସେବା ବନ୍ଦ ହେବା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପାଇଁ ବଡ଼ ଧରଣର କ୍ଷତି ହୋଇପାରେ।
ରାଜ୍ୟ ସରକାର ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବହୁ ଗୁରୁତ୍ବ ଦେଉଥିବା କହୁଥିଲେ। ହେଲେ ଏବେ ଏୟାର ଏସିଆ ବ୍ୟାଙ୍କକ୍ ବିମାନ ସେବା ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତିି ନେଇଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏୟାର ଏସିଆ କର୍ତ୍ତୃପକ୍ଷଙ୍କୁ ଡାକି କିଛି ବି ଆଲୋଚନା କରାଯାଇନି। ଯଦି ରାଜ୍ୟ ସରକାର ତୁରନ୍ତ କିଛି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବା ପାଇଁ ଅନ୍ୟ ବିମାନ ଉଡ଼ାଣ ସଂସ୍ଥା ଉପରେ ଏହା ନକରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଉଛି।
ଅପରପକ୍ଷେ ଏୟାର ଏସିଆ ପୂର୍ବରୁ ଏୟାର ଇଣ୍ଡିଆ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଆରମ୍ଭ କରିଥିଲେ ହେଁ ହଠାତ୍ ବିମାନ ସେବା ବନ୍ଦ କରିଦେଇଥିଲା। ଏୟାର ଇଣ୍ଡିଆ ଡିସେମ୍ବର ୧୦, ୨୦୧୭ରେ ଭୁବନେଶ୍ବରରୁ ବ୍ୟାଙ୍କକ୍କୁ ସିଧା ବିମାନ ସେବା ଆରମ୍ଭ କରିଥିବାବେଳେ ଜୁଲାଇ ୧୬, ୨୦୧୮ରୁ ହଠାତ୍ ସେପ୍ଟେମ୍ବର ୩୦, ୨୦୧୮ ତାରିଖ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରିଦେଇଥିଲା। ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ। ପରବର୍ତ୍ତୀ ସମୟରେ କୁହାଯାଇଥିଲା ଯେ, ଡିସେମ୍ବର ୧, ୨୦୧୮ରୁ ପୁଣି ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ ହେବ। ହେଲେ ଆଜି ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଭୁବନେଶ୍ବରରୁ ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କଲାନି।
ସୂଚନାଯୋଗ୍ୟ ଯେ, ଏୟାର ଏସିଆ ବିମାନ ଭୁବନେଶ୍ବରରୁ ରାତି ୧୨ଟା ୧୫ରେ ବାହାରି ଥାଇଲାଣ୍ଡର ସମୟ ଅନୁଯାୟୀ ରାତି ୪ଟା ୩୦ରେ ଅବତରଣ କରୁଥିଲା। ଯିବା ପାଇଁ ୨ଘଣ୍ଟା ୪୫ମିନିଟ ଲାଗୁଥିଲା। ବ୍ୟାଙ୍କକ୍ରୁ ବିମାନଟି ସ୍ଥାନୀୟ ସମୟ ରାତି ୧୦ଟା ୩୫ରେ ବାହାରି ଭୁବନେଶ୍ବରରେ ସ୍ଥାନୀୟ ସମୟ ଅନୁଯାୟୀ ରାତି ୧୧ଟା ୪୫ରେ ଅବତରଣ କରୁଥିଲା। ଆସିବାକୁ ୨ଘଣ୍ଟା ୪୦ମିନିଟ ଲାଗୁଥିଲା। ନିକଟରେ ଏୟାର ଏସିଆ କର୍ତ୍ତୃପକ୍ଷ ଫେୟାର ସେଲ୍ ମେଳା କରି ଭୁବନେଶ୍ବର ବ୍ୟାଙ୍କକ୍ ରୁଟ୍ରେ ବହୁ ଟିକେଟ୍ ବୁକିଂ କରିଥିବାବେଳେ କିଛି ଦିନ ତଳେ ବିଭିନ୍ନ ଖବରକାଗଜରେ ଏହି ରୁଟ୍ରେ ରିହାତି ଭଡ଼ାରେ ଟିକେଟ୍ ବୁକିଂ କରିବାର ବିଜ୍ଞାପନ ଦେଇଥିଲେ। ସଂସ୍ଥା ଟିକେଟ୍ ବିକ୍ରି ପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଥିବାବେଳେ ହଠାତ୍ ଏହି ରୁଟ୍ରେ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଚକିତ କରିଛି।