ଝୁଲିଲା ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ

କ୍ୱାଲାଲମ୍ପୁର ଉଡ଼ାଣ ପାଇଁ ପୁଣି ଆହ୍ଵାନ ହେବ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ

ଏୟାର ଇଣ୍ଡିଆ ପ୍ରସ୍ତାବ ଏୟାର ଏସିଆକୁ କାଳ ହେଲା

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ନେଇ ଏୟାର ଏସିଆ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଥାଇ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ନେଇ ଦେଇଥିବା ପ୍ରସ୍ତାବ ଉପରେ ମୋହର ମାରିଥିଲେ ହେଁ ଅର୍ଥ ବିଭାଗ ଏହି ପ୍ରସ୍ତାବକୁ ଖାରଜ କରିଦେଇଛି। ଫଳରେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଥାଇ ଏୟାର ଏସିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରତି ଉଡ଼ାଣ ପିଛା ୧ଲକ୍ଷ ୭୦ହଜାର ଟଙ୍କା ସବ୍‌ସିଡି ମାଗିଥିଲା। ପର୍ଯ୍ୟଟନ ବିଭାଗ ଏହାକୁ ଗ୍ରହଣ କରିବା ସହ ଏନେଇ ଅନୁମତି ଦେବା ପାଇଁ ଅର୍ଥ ବିଭାଗକୁ ଚିଠି ଲେଖିଥିଲା। ହେଲେ ଏହି ସମୟରେ ଏୟାର ଇଣ୍ଡିଆ ଗୟାରୁ ଭୁବନେଶ୍ୱର ଭାୟା ଦେଇ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କରିବାକୁ ପ୍ରସ୍ତାବ ଦେଇଥିଲା। ଏୟାର ଇଣ୍ଡିଆ ପ୍ରସ୍ତାବରେ କୌଣସି ସବ୍‌ସିଡି ମାଗି ନଥିବାରୁ ରାଜ୍ୟ ସରକାର ବିନା ସବ୍‌ସିଡିରେ କିପରି ଉଡ଼ାଣ ହୋଇପାରିବ ସେନେଇ ଚିନ୍ତା କରୁଛନ୍ତି। ତେଣୁ ଏୟାର ଏସିଆ ପ୍ରସ୍ତାବକୁ ଏବେ ଗ୍ରହଣ କରାଯାଇପାରିବନି ବୋଲି ମୁଖ୍ୟ ଶାସନ ସଚିବ ଓ ଅର୍ଥ ବିଭାଗ ଜଣାଇବା ପରେ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ନିଷ୍ପତ୍ତି ଏବେ ଝୁଲି ରହିଛି।

ଅର୍ଥ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ମଧ୍ୟରେ ହୋଇଥିବା ଆଲୋଚନାରେ ଏବେ ଭୁବନେଶ୍ୱରରୁ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଝୁଲି ରହିଛି। ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିନା ସବ୍‌ସିଡିରେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧା ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିବାରୁ ଆମେ କୌଣସି ସଂସ୍ଥାକୁ ସବ୍‌ସିଡି ଦେଇ ସମାନ ରୁଟ୍‌ରେ ଉଡ଼ାଣ କରିପାରିବୁନି। ଥାଇ ଏୟାର ଏସିଆ ଯଦି ବିନା ସବ୍‌ସିଡିରେ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବ ତେବେ ଆମେ ସହଯୋଗ କରିବୁ। ଅପରପକ୍ଷେ ଏୟାର ଇଣ୍ଡିଆ ଗୟା- ଭୁବନେଶ୍ୱର- ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ଗୃହ ମନ୍ତ୍ରଣାଳୟରୁ ଅନୁମତି ପାଇନଥିବାରୁ ଏୟାର ଇଣ୍ଡିଆ ଉଡ଼ାଣ ନେଇ ଆମେ ଅନୁମତି ଦେଇପାରୁନୁ।

ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟ ସରକାର ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ଉଡ଼ାଣ ପାଇଁ ପ୍ରତି ଉଡ଼ାଣ ପିଛା ଏୟାର ଏସିଆ ବରହାଦ୍‌କୁ ୧ଲକ୍ଷ ୭୦ହଜାର ଟଙ୍କା ଦେଉଛନ୍ତିି। ଏୟାର ଏସିଆ ସଂସ୍ଥା ଏବେ ପ୍ରତିଦିନ ଉଡ଼ାଣ କରୁଥିବାରୁ ସରକାରଙ୍କ ଉପରେ ସବ୍‌ସିଡି ବୋଝ ବଢ଼ିଛି। ଏହାବାଦ୍‌ ଗତ ବର୍ଷକ ମଧ୍ୟରେ ବିମାନ ଭଡ଼ା ବହୁତ କମିଥିବାରୁ ରାଜ୍ୟ ସରକାର ଏତେ ସବ୍‌ସିଡି ଦେବା ଉଚିତ ମଣୁନାହାନ୍ତି। ଆସନ୍ତା ଫେବ୍ରୁଆରିରେ ପର୍ଯ୍ୟଟନ ବିଭାଗ ଏବଂ ଏୟାର ଏସିଆ ବରହାଦ୍‌ ମଧ୍ୟରେ ସବ୍‌ସିଡି ଦେବା ନେଇ ହୋଇଥିବା ଚୁକ୍ତିକୁ ବର୍ଷେ ପୂରୁଥିବାରୁ ଏହାକୁ ବନ୍ଦ କରିବାକୁ କିମ୍ବା କମାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତେଣୁ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ଉଡ଼ାଣ ନେଇ ପୁଣି ଥରେ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ ଆହ୍ଵାନ କରିବାକୁ ଅର୍ଥ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ କହିଛି। ଏଥିରେ ଯେଉଁ ବିମାନ କମ୍ପାନି କମ୍‌ ସବ୍‌ସିଡି କିମ୍ବା ବିନା ସବ୍‌ସିଡିରେ ଉଡ଼ାଣ କରିବ ତାହାକୁ ଗ୍ରହଣ କରିବାକୁ ଯୋଜନା ହେଉଛି।

ସମ୍ବନ୍ଧିତ ଖବର