ଆଜି ଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡ଼ିବ ଟ୍ରେନ୍‌, ଘଣ୍ଟାଏ ଭିତ‌ରେ ସରିଗଲା ଟିକେଟ୍‌

ସବୁ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ସାଙ୍ଗରେ ଆଣିବେ ଚାଦର ଓ ତକିଆ, ସାନିଟାଇଜର, ସାବୁନ ଆଣିବାକୁ ପରାମର୍ଶ

ଭୁବନେଶ୍ବର : ମଙ୍ଗଳବାର(ଆଜି)ଠାରୁ ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଦେଶର ବିଭିନ୍ନ ସହରକୁ ଚଳାଚଳ କରିବ। ଏହିକ୍ରମରେ ମେ’ ୧୩ ତାରିଖ ତଥା ବୁଧବାର ସକାଳ ୧୦ଟାରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍(୦୨୮୨୩) ନୂଆଦିଲ୍ଲୀ ଅଭିମୁଖେ ଚାଲିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଏସି ତୃତୀୟ ଶ୍ରେଣୀ/ଦ୍ୱିତୀୟ ଶ୍ରେଣୀ/ପ୍ରଥମ ଶ୍ରେଣୀ ସହ ମୋଟ ୧୭ଟି କୋଚ୍ ରହିବ। ଭୁବନେଶ୍ୱର-ନୂଆଦିଲ୍ଲୀ ଯିବା ବେଳେ ଏହି ଟ୍ରେନ୍‌ ବାଲେଶ୍ୱର, ହିଜିଲି(ଖଡ଼ଗପୁର), ଟାଟା, ବୋକାରୋ ଷ୍ଟିଲ୍ ସିଟି, ଗୟା, ଦିନ୍‌ଦୟାଲ୍ ଉପାଧ୍ୟାୟ ଜଙ୍କସନ୍ ଓ କାନ୍‌ପୁର ସେଣ୍ଟ୍ରାଲ୍‌ରେ ରହଣି(ଷ୍ଟପେଜ୍‌) କରିବ। ସେହିପରି ନୂଆଦିଲ୍ଲୀରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍(୦୨୮୨୪) ମେ’ ୧୪ରୁ ଚଳାଚଳ କରିବ ଏବଂ ଉପରୋକ୍ତ ଷ୍ଟେସନରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ଏହି ଟ୍ରେନ୍‌ର ସମସ୍ତ ଟିକେଟ୍‌ ଏକ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ବିକ୍ରି ହୋଇଯାଇଛି। ତେବେ ତୃତୀୟ ଶ୍ରେଣୀ ଏସିର ୩ଟି ଟିକେଟ୍‌ ବାତିଲ୍‌ ହୋଇଛି। ନୂଆଦିଲ୍ଲୀରୁ ଭୁବନେଶ୍ବରକୁ ଆସିବାକୁ ଥିବା ଟ୍ରେନ୍‌ର ବୁକିଂ ପ୍ରାୟତଃ ଶେଷ ହୋଇଛି। ତୃତୀୟ ଶ୍ରେଣୀ ଏସିରେ ୪୭ଟି ବର୍ଥ ଓ ୯ଟି ଦ୍ବିତୀୟ ଶ୍ରେଣୀ ଏସି ବର୍ଥକୁ ଛାଡ଼ି ଆଉ ସବୁ ବୁକିଂ ହୋଇସାରିଛି। ଏପରିକି ୧୭ ତାରିଖ ପର୍ଯ୍ୟନ୍ତ ଉଭୟ ଟ୍ରେନ୍‌ର ପ୍ରଥମ ଏସି ବର୍ଥ ବୁକିଂ ସରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗୋଟିଏ ଟ୍ରେନ୍‌ରେ ମୋଟ ୯୧୬ଟି ବର୍ଥ ରହିଛି। ପ୍ରଥମ ଏସିରେ ୨୪ଟି ବର୍ଥ ରହିଥିବା ବେଳେ ଦ୍ବିତୀୟ ଏସିରେ ୧୦୪ଟି ବର୍ଥ ଓ ତୃତୀୟ ଏସିରେ ୭୯୨ଟି ବର୍ଥ ଉପଲବ୍ଧ ରହିଛି।

ରେଳପଥର ସୂଚନା ଅନୁଯାୟୀ କେବଳ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ ମାଧ୍ୟମରେ ୭ ଦିନ ପର୍ଯ୍ୟନ୍ତ ଅଗ୍ରୀମ ଟିକେଟ୍ ପ୍ରଦାନ କରାଯିବ। କୌଣସି ୱେଟ୍‌ଲିଷ୍ଟ୍ କିମ୍ବା ଆର୍‌ଏସି ଟିକେଟ୍ ପ୍ରଦାନ କରାଯିବ ନାହିଁ। କେବଳ କନ୍‌ଫର୍ମ ଟିକେଟ୍ ପ୍ରଦାନ କରାଯିବ। ଟ୍ରେନ୍ ଛାଡ଼ିବା ପୂର୍ବରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଟିକେଟ୍ ବାତିଲ୍‌ କରାଯାଇ ପାରିବ। ଟିକେଟ୍ ବାତିଲ ଦେୟ ଶତକଡ଼ା ୫୦ ଭାଗ ଦେବାକୁ ହେବ। ଟ୍ରେନ୍ ଭିତରେ କେବଳ ସୀମିତ ପରିମାଣର ଖାଦ୍ୟ ଓ ପ୍ୟାକେଟ୍‌ ପିଇବା ପାଣି ଦେୟ ପ୍ରଦାନ(ଅନ୍‌ ପେମେଣ୍ଟ) ଦ୍ୱାରା ଉପଲବ୍ଧ ହେବ।

ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ନିଜ ନିଜର ଖାଦ୍ୟ ସାଙ୍ଗରେ ଧରି ଆସିବେ। ବେଡ଼୍‌ରୋଲ୍ ଓ ଲିନେନ୍‌(ଚାଦର ଓ ତକିଆ) କିଛି ପ୍ରଦାନ କରାଯିବ ନାହିଁ। ସୁବିଧା ନିମନ୍ତେ ଯାତ୍ରୀମାନେ ନିଜ ନିଜର ବେଡ଼୍‌ସିଟ୍‌ ଆଣିବାକୁ କୁହାଯାଇଛି। ଏହି ଟ୍ରେନ୍‌ଟି ଭୁବନେଶ୍ୱରର ପ୍ଲାଟ୍‌ଫର୍ମ ନମ୍ବର-୧(ମାଷ୍ଟର କ୍ୟାଣ୍ଟିନ୍‌ ପାର୍ଶ୍ବରୁ) ଛାଡ଼ିବ। ଯାତ୍ରୀମାନେ ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍ ପୂର୍ବରୁ ପ୍ଲାଟ୍‌ଫର୍ମ ନମ୍ବର-୧ରେ ଉପସ୍ଥିତ ରହିବେ। କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ କେବଳ ପ୍ଲାଟ୍‌ଫର୍ମକୁ ଆସିବାକୁ ଅନୁମତି ମିଳିବ। ଟ୍ରେନ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ନିମନ୍ତେ ସମସ୍ତ ଯାତ୍ରୀ ପୂର୍ବରୁ ମେଡ଼ିକାଲ୍ ସ୍କ୍ରିନିଂ(ସ୍ୱାସ୍ଥ୍ୟ ଯାଞ୍ଚ) କରିବା ଆବଶ୍ୟକ। ରୋଗର ଲକ୍ଷ୍ୟଣ ନଥିବା ଯାତ୍ରୀମାନେ କେବଳ ଯାତ୍ରା କରିବାକୁ ଅନୁମତି ପାଇବେ। ସ୍ୱାସ୍ଥ୍ୟପ୍ରଦ ପରିବେଶ ରଖିବା ନିମନ୍ତେ ସମସ୍ତ ଯାତ୍ରୀ ନିଜ ନିଜର ଫେସ୍‌କଭର୍(ମାସ୍କ), ହ୍ୟାଣ୍ଡ ସାନିଟାଇଜର, ସାବୁନ୍ ଆଦି ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି। ଯେହେତୁ ଆଟେଣ୍ଡାଣ୍ଟ୍‌, ପୋର୍ଟର ସେବା ସୁବିଧା ମିଳିବ ନାହିଁ ତେଣୁ ଯାତ୍ରୀମାନେ ଯେତେ କମ୍ ଲଗେଜ୍ ସାଙ୍ଗରେ ଆଣିବା ଉଚିତ। ଦିଲ୍ଲୀ/ଭୁବନେଶ୍ୱରରେ ଓହ୍ଲାଇବା ପରେ ଏହି ଯାତ୍ରୀଙ୍କ ପାଇଁ ଲାଗୁ ହେଉଥିବା ସ୍ଥାନୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର