ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଉତ୍ସବ ତଥା ଛୁଟି ସମୟରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଓ ପରୀକ୍ଷା ପାଇଁ ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ଆନନ୍ଦ ବିହାର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଦିଲ୍ଲୀ ଅଞ୍ଚଳ ସହ ଉତ୍ତର ଭାରତର ଅନ୍ୟ ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ସହାୟକ ହେବ।

ଭୁବନେଶ୍ୱର-ଆନନ୍ଦବିହାର (ନୂଆଦିଲ୍ଲୀ)- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (୮୨୪୧୯/୮୨୪୨୦) ଅକ୍ଟୋବର ୨୭ରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ଭୁବନେଶ୍ୱରରୁ ପ୍ରତି ରବିବାର ରାତି ୧୧ଟା ୫୫ରେ ଛାଡ଼ି ମଙ୍ଗଳବାର ସକାଳ ୭ଟାରେ ଆନନ୍ଦବିହାରରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ୍ ଅକ୍ଟୋବର ୨୯ରୁ ନଭେମ୍ବର ୧୨ ତାରିଖ ମଧ୍ୟରେ ଆନନ୍ଦବିହାରଠାରୁ ପ୍ରତି ମଙ୍ଗଳବାର ଅପରାହ୍ନ ୧୨ଟା ୫୫ରେ ଛାଡ଼ି ବୁଧବାର ସନ୍ଧ୍ୟା ୫ଟା ୪୫ରେ ଭୁବନେଶ୍ବରରେ ପହଞ୍ଚିବ। ଏହି ଟ୍ରେନ୍ ଦିଲ୍ଲୀ ସହିତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳ ଯଥା ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ। ଏହା କଟକ, ଭଦ୍ରକ, ବାଲେଶ୍ୱର, ହିଜଲି(ଖଡ଼ଗପୁର), ବାଙ୍କୁରା, ଆଦ୍ରା, ଗୋମୋ, କୋଦରମା, ଗୟା, ସାସାରାମ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ(ମୋଗଲ ସରାଇ), ଆହ୍ଲାବାଦ ଓ କାନପୁର ଷ୍ଟେସନ‌ରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥ ବାଣିଜ୍ୟ ବିଭାଗର ପାସେଞ୍ଜର ପ୍ରୋଫାଇଲ ମ୍ୟା‌ନେଜମେଣ୍ଟ ଦ୍ୱାରା ନିୟମିତ ଭାବେ ଟ୍ରେନଗୁଡ଼ିକର ଯାତ୍ରୀ ଭିଡ଼କୁ ପରିଚାଳନା କରାଯାଉଛି। ଫଳରେ ଯାତ୍ରୀ ଭିଡ଼ ହେଉଥିବା ଟ୍ରେନ୍‌ଗୁଡ଼ିକରେ ଅତିରିକ୍ତ ବଗି ସଂଯୋଗ କରାଯିବା ସହ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା ହେଉଛି। ଏହି ଟ୍ରେନ୍‌ ଚଳାଚଳକୁ ନଜରରେ ରଖି ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର