ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଜଗଦଲପୁରକୁ  ୨ଟି ପୃଥକ ଟ୍ରେନ୍‌ ଚାଳିବ;  ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ଟ୍ରେନ୍‌ ଚଳଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଏହି ବ୍ୟବସ୍ଥା ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଗୁରୁତ୍ୱପୂର୍ଣ ଭୂମିକା ନେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଗୋଏଲଙ୍କ ପତ୍ରର ପ୍ରତ୍ୟୁତ୍ତରରେ କହିଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଟ୍ରେନ୍‌ ନମ୍ବର ୧୮୪୩୭/୧୮୪୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ ଏକ୍ସପ୍ରେସ୍‌ ଭୁବନେଶ୍ୱର ଓ ଜୁନାଗଡ଼ ମଧ୍ୟରେ ଏବଂ ଟ୍ରେନ୍‌ ନମ୍ବର ୧୮୪୪୭/୧୮୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇ ପାରିବେ ବୋଲି ଗୋଏଲ ଆଶାବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡ଼କୁ ଦୁଇଟି ପୃଥକପୃଥକ ଟ୍ରେନ୍‌ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍‌ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ଼ ଅଞ୍ଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ଜଣାଇଥିଲେ।

ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ଭୁବନେଶ୍ୱରରୁ  ଯାଉଥିବା ଟ୍ରେନ୍‌ରୁ ୧୦ଟି ବଗି ରାୟଗଡା ଷ୍ଟେସନ୍‌ରେ ଅଲଗା ହୋଇ ଜୁନାଗଡ଼ ଅଭିମୁଖେ ଯାଉଛି। ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି। ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡ଼ରୁ ଆସୁଥିବା ଭିନ୍ନଭିନ୍ନ ଟ୍ରେନ୍‌ ରାୟଗଡ଼ା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି।

ଉପରୋକ୍ତ ବ୍ୟବସ୍ଥା ବିଶେଷ ଭାବରେ କଳାହାଣ୍ଡି ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଜଟିଳ ବ୍ୟବସ୍ଥା ସମ୍ପର୍କରେ ସଚେତନ ନଥିବା ଯାତ୍ରୀମାନେ ଅନେକ ସମୟରେ ସଠିକ ବଗିରେ ଚଢ଼ି ପାରୁ ନାହାନ୍ତି। ତେଣୁ ଉପରୋକ୍ତ ପ୍ରସ୍ତାବ ସ୍ୱୀକୃତ ହେଲେ ରାଜଧାନୀ ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ଯାତାୟତ ଲାଗି ଯାତ୍ରୀଙ୍କ ଆଗ୍ରହ ଅଧିକ ଥିବାରୁ ଟ୍ରେନରେ ଯାତ୍ରୀ ଭିଡ ଅଧିକ ରହିବ ଏବଂ ପୂର୍ଣ୍ଣ ଯାତ୍ରୀ କ୍ଷମତାରେ ଚଳାଚଳ କରିବ। ଏହାବ୍ୟତୀତ ଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ସଂରକ୍ଷିତ ବଗି ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର