ଭୁବନେଶ୍ବର : ଭୁବନେଶ୍ବରରୁ ସୁରଟକୁ ବିମାନସେବା ଆରମ୍ଭ ହେବ ବୋଲି ଘୋଷଣା ହେବା ପରେ ଏହାର ଶ୍ରେୟକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଗତକାଲି ସୁରଟ ମହୋତ୍ସବରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବିମାନସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଥିବାବେଳେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେଇଛି। ଅନ୍ୟପକ୍ଷ‌ରେ ସାମ୍ବିଧାନିକ ପଦରେ ରହି ବାଚସ୍ପତି ଏପରି ମନ୍ତବ୍ୟ ଦେବା ଉଚିତ ହୋଇନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Advertisment

ଗତ ୨୦ ତାରିଖରେ ଭୁବନେଶ୍ବରରୁ ସୁରଟକୁ ବିମାନସେବା ଆରମ୍ଭ ହୋଇଛି। ଏ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଏହି ବିମାନସେବା ଆରମ୍ଭ କରିବା ପଛରେ କେନ୍ଦ୍ରମନ୍ଦ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ପାଖରେ ଅହରହ ଉଦ୍ୟମ କରି ଆସୁଥିଲେ। ସୁରଟରେ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ଯାହା କହିଛନ୍ତି ତାହା ଭୁଲ। ବିଜେପିକୁ ଜବାବ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଯେଉଁଦିନ ସୁରଟକୁ ପ୍ରଥମ ବିମାନ ଚଳାଚଳ ଆରମ୍ଭ ହେଲା ସେହିଦିନ ବିମାନରେ ଯାତ୍ରା କରି ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁସି ଜାହିର କଲେ। ଏ ବାବଦରେ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପୂର୍ବରୁ ଜଣାଇଥିବା ନେଇ ତାଙ୍କ ଟୁଇଟର୍‌ରେ ଉଲ୍ଲେଖ କରିଥିଲେ। ସେହିଦିନ ପୁଣି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଟୁଇଟ୍‌ କରି ୨୦୧୭ରେ ଏହି ପ୍ରସଙ୍ଗରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଜଣାଇଥିବା ନେଇ ଲେଖିଥିଲେ। ବାସ୍ତବରେ ମୁଖ୍ୟମନ୍ତ୍ରୀ ହିଁ ଏହି ଶ୍ରେୟର ପାତ୍ର। ଏହି ବିମାନସେବା ପାଇଁ କେନ୍ଦ୍ର ସରକାରଙ୍କୁ ସେ ବାରମ୍ବାର ଚିଠି ଲେଖିବା ସହ ଦିଲ୍ଲୀ ଗସ୍ତବେଳେ ଆଲୋଚନା କରିଥିଲେ ବୋଲି ଶ୍ରୀ ଘଡ଼େଇ କହିଛନ୍ତି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ସୁରଟରେ ଥିବା ୧୦ ଲକ୍ଷ ଓଡ଼ିଆଙ୍କ ଭୋଟ ବ୍ୟାଙ୍କକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି। ବାସ୍ତବରେ କାହାକୁ ଶ୍ରେୟ ମିଳିବ ସେ ନେଇ କନ୍ଦଳ କରିବା ବଦଳରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ କାମ କରିବା ଦରକାର। ତେବେ ବିମାନସେବା ଆରମ୍ଭକୁ ନେଇ ବାଚସ୍ପତି ଶ୍ରୀ ପାତ୍ର ସୁରଟରେ ଏପରି ମନ୍ତବ୍ୟ ରଖିବା ଉଚିତ ନଥିଲା ବୋଲି ଶ୍ରୀ ମାଝୀ କହିଥିଲେ।