ଭୁବନେଶ୍ୱର ବହୁ ଚର୍ଚ୍ଚିତ ଭିଡିଓ ଭାଇରାଲ୍‌ ଘଟଣା : ଭିଡିଓ ଡିଲିଟ୍‌ ପାଇଁ କ୍ରାଇମ୍‌ବ୍ରାଞ୍ଚରେ ପୀଡ଼ିତା

ସାଇବର୍‌ ଏକ୍ସପର୍ଟଙ୍କ ସହଯୋଗ ନେବ କମିସନରେଟ୍‌ ପୁଲିସ!

ଉନ୍ମୟଙ୍କୁ ହତ୍ୟା କଲା କିଏ?

କଟକ : ବିଦେଶର ୭ଟି ପର୍ଣ୍ଣ ଓ୍ଵବ୍‌ସାଇଟ୍‌ରେ ଭୁବନେଶ୍ୱରର ଜଣେ ଓଡ଼ିଆ ଯୁବତୀଙ୍କ ୩୪୨ ନଗ୍ନ ଭିଡିଓ ଭାଇରାଲ୍‌ ମାମଲା ଆଜି କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର୍‌ ସେଲ୍‌ରେ ପହଞ୍ଚିଛି। ପୀଡ଼ିତା ଯୁବତୀ ସାଇବର୍‌ ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ବହୁ ଚର୍ଚ୍ଚିତ ଘଟଣାରେ ତାଙ୍କ ନଗ୍ନ ଭିଡିଓ ପର୍ଣ୍ଣ ଓ୍ଵବ୍‌ସାଇଟ୍‌ରୁ ଏବେ ଏକାଧିକ ହ୍ଵାଟସ୍‌ଅପ୍‌ ଗ୍ରୁପ ଓ ଫେସ୍‌ବୁକ୍‌କୁ ଡେଇଁବାରେ ଲାଗିଛି। ସମସ୍ତ ପର୍ଣ୍ଣ ଓ୍ଵବ୍‌ସାଇଟ୍‌ ଓ ସୋସିଆଲ୍‌ ମିଡିଆରୁ ଭିଡିଓକୁ ଯଥାଶୀଘ୍ର ଡିଲିଟ୍‌ କରିବାକୁ ସେ ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏହି ଘଟଣାକୁ କ୍ରାଇମ୍‌ବ୍ରାଞ୍ଚ ଗୁରୁତର ସହିତ ଗ୍ରହଣ କରିଛି। କମିସନରେଟ୍‌ ପୁଲିସର ମଞ୍ଚେଶ୍ୱର ଥାନା ମୂଳ ମାମଲାର ତଦନ୍ତ ଚଳାଇଥିବା ବେଳେ ଭିଡିଓ ଭାଇରାଲ୍‌କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କୁହାଯାଉଛି। ଏବେ ସାଇବର୍‌ ସେଲ୍‌ର ଏକ୍ସପର୍ଟଙ୍କ ସହଯୋଗ ନେବାକୁ ପୁଲିସ ଯୋଜନା କରୁଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ୨୩ ବର୍ଷିୟା ଯୁବତୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସେହି ସଂସ୍ଥାର ମାଲିକ ଥିଲେ ଉନ୍ମୟ ପାଢ଼ୀ। ତାଙ୍କୁ ୨୦୧୭ ମାର୍ଚ୍ଚ ୧୨ ତାରିଖରେ ଖାରବେଳନଗର ଥାନା ପୁଲିସ ସମ୍ପୃକ୍ତ ଯୁବତୀଙ୍କ ସହିତ ଅଶ୍ଳୀଳ ଭିଡ଼ିଓ ରେକର୍ଡ ଓ ଭାଇରାଲ୍‌ ଘଟଣାରେ ତାଙ୍କୁ ଗିରଫ କରିଥିଲା। ପୁଣି ଏହି ଭିଡିଓର ଘଣ୍ଟା ଘଣ୍ଟା କ୍ଲିପ୍ସ ଗତ ୨୦ ତାରିଖରେ ପର୍ଣ୍ଣ ଓ୍ଵବ୍‌ସାଇଟ୍‌ରେ ଭାଇରାଲ୍‌ ହୋଇଯାଇଥିଲା। ୨୧ ତାରିଖରେ ଉନ୍ମୟଙ୍କ ଅର୍ଧଦଗ୍ଧ ଶବ ମଞ୍ଚେଶ୍ୱର ଥାନା ନହରକଣ୍ଟା କୁଆଖାଇ ନଦୀପଠାରୁ ମିଳିବା ପରେ ପୁରା ଘଟଣାର ମୋଡ଼ ବଦଳିଯାଇଛି। ଗୋଟେ ପଟେ ପୁଲିସ ପୀଡ଼ିିତା ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ହତ୍ୟା ସନ୍ଦେହରେ ଧରି ଛାଡ଼ି ଦେଇଥିବା ବେଳେ ଆଜି କ୍ରାଇମ୍‌ବ୍ରାଞ୍ଚରେ ଖୋଦ ପୀଡ଼ିତା ପହଞ୍ଚିଛନ୍ତି। ଭିଡ଼ିଓ ଭାଇରାଲ୍‌ ପଛରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବାକୁ ସେ କ୍ରାଇମ୍‌ବ୍ରାଞ୍ଚର ସହାୟତା ଲୋଡ଼ିଛନ୍ତି। ସାଇବର୍‌ ସେଲ୍‌ ପକ୍ଷରୁ ଏକ ଷ୍ଟେସନ୍‌ ଡାଏରୀ ଏଣ୍ଟ୍ରି କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବହୁ ଚର୍ଚ୍ଚିତ ଭିଡିଓ ଭାଇରାଲ୍‌ର ମୂଳ ମାମଲା କମିସନରେଟ୍‌ ପୁଲିସ ତଦନ୍ତ କରୁଥିବା ବେଳେ ଏବେ କ୍ରାଇମ୍‌ବ୍ରାଞ୍ଚ ଆଉ ଗୋଟେ ମାମଲା ରୁଜୁ ସମ୍ପର୍କରେ ପୁଲିସ ଡିଜିଙ୍କ ସହିତ ଆଲୋଚନା କରୁଛି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଯୁବତୀଙ୍କ ଭିଡିଓ ଅପଲୋଡ୍‌ ହୋଇଥିବା ପର୍ଣ୍ଣ ଓ୍ଵବ୍‌ସାଇଟ୍‌ରୁ ହଟାଇବାକୁ କମିସନରେଟ୍‌ ପୁଲିସକୁ ସହଯୋଗ କରିବ। ସାଇବର୍‌ ଥାନା ପକ୍ଷରୁ ମଞ୍ଚେଶ୍ୱର ଥାନା ପୁଲିସକୁ ସହଯୋଗ କରିବାକୁ ସାଇବର୍‌ ଏକ୍ସପର୍ଟ ଯୋଗାଇ ଦିଆଯିବ ବୋଲି ସମ୍ପୃକ୍ତ ପୁଲିସ ଅଫିସର କହିଛନ୍ତି।

ଅନ୍ୟପଟେ ମୃତ ଉନ୍ମୟଙ୍କ ଭାଇ ଚିନ୍ମୟ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ କହୁଥିବା ବେଳେ ପୁଲିସ ଉଭୟ ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଛାଡ଼ିଦେବା ପରେ ପୁଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଚାଲିଆସିଛି। ଉନ୍ମୟଙ୍କୁ ହତ୍ୟା କଲା କିଏ, ସେନେଇ ସନ୍ଦେହ ଜାରି ରହିଛି। ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ମୃତ ଉନ୍ମୟଙ୍କ ପରିବାର ଲୋକେ ଦାବି କରିଛନ୍ତି। ଆଜି ପୀଡ଼ିତାଙ୍କ ସହିତ ସାମାଜିକ କର୍ମୀ ସଶ୍ମିତା ଦାସ କ୍ରାଇମ୍‌ବ୍ରାଞ୍ଚରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର