ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ବୁଧବାର ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ପ୍ରଥମ ଅଧିବେଶନରେ ‘ସନ୍ତୁଳନର ଆହ୍ୱାନ: ଜଳବାୟୁ, ବିକାଶ ଏବଂ ସହରୀକରଣ’ ଶୀର୍ଷକ ଆାଲୋଚନାରେ ଆଇ ଫରେଷ୍ଟ ସିଇଓ ତଥା ସଭାପତି ଚନ୍ଦ୍ର ଭୂଷଣ କହିଲେ, ଜଳବାୟୁ ସମସ୍ୟା ନେଇ ସମ୍ବାଦ ପକ୍ଷରୁ ଆଯୋଜନ କରାଯାଉଥିବା ଜଳବାୟୁ ପଞ୍ଚାୟତ  ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ଶିମଲା, ଦାର୍ଜିଲିଂ, ନେପାଳ ଆଦି ସ୍ଥାନରେ ଭୂସ୍ଖଳନ ହୋଇଛି। ଏହା ଆମକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଗତ ୧୦ ହଜାର ବର୍ଷ ଧରି ଜଳବାୟୁ ଉପଯୋଗୀ ଥିଲା। ମାତ୍ର ଏହା ଲଗାତାର ଖରାପ ହେବାରେ ଲାଗିଛି। ତେବେ ଜଳବାୟୁ ପରିବର୍ତ୍ତନର ଧାରାକୁ ବଦଳାଯାଇ ପାରିବ।

Advertisment

କିଛି ଦିନ ତଳେ ଭୁବନେଶ୍ବର ତାପମାତ୍ରା ନେଇ ପଦକ୍ଷେପ ଗ୍ରହଣ ସମ୍ପର୍କିତ ଏକ ଯୋଜନା କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା। ଭୁବନେଶ୍ବର ତାପମାତ୍ରା ସମସ୍ୟା ଦ୍ବାରା କବଳିତ ହୋଇଛି। ତେବେ ଓଡ଼ିଶା ବର୍ଷା ଏବଂ ଅନ୍ୟ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହେଉଛି। ରାଜ୍ୟର ସହରାଞ୍ଚଳ ଜନସଂଖ୍ୟା ୮୦% ରହିଛି। ଗତ ୨୦ ବର୍ଷ ଧରି ରାଜ୍ୟର ସହରାଞ୍ଚଳ ଜନସଂଖ୍ୟାରେ ବୃଦ୍ଧି ଘଟିଛି।  

ସହରାଞ୍ଚଳରେ ଅଧିକ ଜମି ଏବଂ ଅଧିକ ଜଳର ଆବଶ୍ୟକତା ରହିଥାଏ। ସହରରେ କୋଠା, ଫ୍ଲାଏ ଓଭର ତଥା ରାସ୍ତାଘାଟର ଆବଶ୍ୟକ ହୋଇଥାଏ। ଫଳରେ ସହରାଞ୍ଚଳର ତାପମାତ୍ରା, ବାୟୁ ଗୁଣବତ୍ତା ତଥା ଅନ୍ୟ ପରିବେଶ ସମସ୍ୟା ବୃଦ୍ଧି ପାଇଥାଏ। ସିଙ୍ଗାପୁର ଭଳି ଆଧୁନିକ ସହରରେ ୫୦ ପ୍ରତିଶତ ଜମି ବର୍ଷାଜଳ ସଂରକ୍ଷଣ ପାଇଁ ଉପଯୋଗ ହୋଇଥାଏ। ଏହା ଏକ ବଡ଼ ସହରରେ ହୋଇଥିଲେ ମଧ୍ୟ ପ୍ରକୃତି ସହିତ ତାଳମେଳ ପାଇଁ ପାରମ୍ପରିକ ପଦ୍ଧତିକୁ ଗ୍ରହଣ କରିଛି।

ଭୁବନେଶ୍ବରରେ ତାପରୁ ସୁରକ୍ଷା ପାଇଁ ଛାତ ଉପରେ ପିଚୁ ପକାଯାଇଥାଏ। ଏହା ଦ୍ବାରା ଘରର ତାପମାତ୍ରା ବୃଦ୍ଧି ପାଇଥାଏ। ତେବେ ପ୍ରକୃତି ସହିତ ତାଳମେଳ ପାଇଁ ଭୁବନେଶ୍ବରରେ ପାରମ୍ପରିକ ପଦ୍ଧତିକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଆମେ ଆମର ସହରକୁ ଭଲ ଭାବେ ଡିଜାଇନିଂ କରିବା ଜରୁରୀ। ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ବାସଗୃହ କଂକ୍ରିଟରେ ନିର୍ମାଣ କରାଯାଇଛି। ଏସବୁ ଘରେ ନିମ୍ନ ଆୟବର୍ଗର ଲୋକେ ଅତ୍ୟଧିକ ତାପମାତ୍ରାରେ ରହିବା କଷ୍ଟକର। ସେମାନେ ବିନା ଏସିରେ ଘରେ ରହିବା ଅସମ୍ଭବ ବୋଲି ସେ କହିଛନ୍ତି।

ଆମର ବର୍ତ୍ତମାନର ସହର ପୁରୁଣା ସହର। ଧିରେ ଧିରେ ସହରର ପରିସୀମା ବଢ଼ିବାରେ ଲାଗିଛି। ଦ୍ରୁତ ସହରୀକରଣ ହେବା ସମୟରେ ସହର ଯୋଜନା ବିଭାଗ ଦୁର୍ବଳ ଭାବେ କାର୍ଯ୍ୟ କରୁଛି। ନିର୍ମାଣ ଆଇନ, ପରିବହନ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ।

ମ୍ୟୁନିସପାଲିଟି ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ତେବେ ଏନେଇ ମ୍ୟୁନିସପାଲିଟିକୁ ଅଧିକ କ୍ଷମତା ଦେବାର ଆବଶ୍ୟକତା ରହିଛି। ତେବେ ରାଜ୍ୟ ସରକାରଙ୍କର ସହର ପରିଚାଳନା ନେଇ ବିଶେଷ ଭୂମିକା ନାହିଁ। ଏହାକୁ ପୌର ସଂସ୍ଥା ହିଁ ପରିଚାଳନା କରିଥାଏ।

ଭୁବନେଶ୍ବରରେ ତାପମାତ୍ରା ବଢ଼ିବାରେ ଲାଗିଛି। ସହରର କୋଠାର ଛାତ କଳା କରିବା ପରିବର୍ତ୍ତେ ଏହାକୁ ଧଳା ରଙ୍ଗରେ କରାଗଲେ ତାପମାତ୍ରା ହ୍ରାସ ପାଇବ। ଭୁବନେଶ୍ବରରେ ସବୁଜିମା ଏବଂ ଜଳ ଉତ୍ସ ସଂଖ୍ୟା କମିବା ସହିତ କଂକ୍ରିଟ ବୃଦ୍ଧି ପାଉଛି। ଅଧିକ ସବୁଜିମା ଦ୍ବାରା ସହରର ତାପମାତ୍ରାକୁ ହ୍ରାସ କରାଯାଇ ପାରିବ।

ସୂଚନାଯୋଗ୍ୟ, ଚନ୍ଦ୍ର ଭୂଷଣ ଭାରତର ଜଣେ ପ୍ରମୁଖ ସାର୍ବଜନୀନ ନୀତି ବିଶେଷଜ୍ଞ ଏବଂ ପରିବେଶ, ସ୍ଥାୟୀତ୍ୱ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଆନ୍ତର୍ଜାତୀୟ ଫୋରମ୍ (ଆଇଫରେଷ୍ଟ)ର ସଭାପତି ଏବଂ ସିଇଓ।

ଗତ ଅଢ଼େଇ ଦଶନ୍ଧି ଧରି, ଭୂଷଣ ଗବେଷଣା ଏବଂ ଲେଖା ମାଧ୍ୟମରେ ବିଭିନ୍ନ ପରିବେଶଗତ ପ୍ରସଙ୍ଗରେ ଜଡିତ ଅଛନ୍ତି ଏବଂ ଅନେକ ସାର୍ବଜନୀନ ନୀତି ଅଭିଯାନର ଅଗ୍ରଭାଗରେ ରହିଛନ୍ତି। ତାଲିମ ଦ୍ୱାରା ଜଣେ ଇଞ୍ଜିନିୟର ଏବଂ ପରିବେଶ ଯୋଜନାକାରୀ, ଭୂଷଣ ବହୁ-ପରିମାଣୀୟ ପରିବେଶଗତ ଏବଂ ବିକାଶମୂଳକ ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ପାଇଁ ସାମାଜିକ-ଅର୍ଥନୈତିକ ବାସ୍ତବତାକୁ ବୁଝିବା ସହିତ ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞତାକୁ ଏକୀକୃତ କରନ୍ତି। ତାଙ୍କର କାର୍ଯ୍ୟ ପରିସର ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନ ଠାରୁ ଆରମ୍ଭ କରି ଖଣି ପ୍ରଭାବିତ ଲୋକଙ୍କ ଅଧିକାର ଏବଂ ପରିବେଶଗତ ଶାସନ ପର୍ଯ୍ୟନ୍ତ ବିଶ୍ୱ ଏବଂ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଅନ୍ତର୍ଭୁକ୍ତ କରେ। ସେ ୨୦ଟି ପୁସ୍ତକ, 60ରୁ ଅଧିକ ରିପୋର୍ଟ ଏବଂ ଅନେକ ପ୍ରବନ୍ଧ ଲେଖିଛନ୍ତି / ସହ-ଲେଖନ କରିଛନ୍ତି।

ସେ ବିଶ୍ୱବ୍ୟାପୀ ଅନେକ ପ୍ରସିଦ୍ଧ ପ୍ରତିଷ୍ଠାନକୁ ପରାମର୍ଶ ଦିଅନ୍ତି। ସେ ଜଳବାୟୁ ପରିବର୍ତ୍ତନ ଉପରେ ଦେଶଗୁଡ଼ିକର ବିଏଏସଆଇସି (ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ, ଚୀନ୍) ଗୋଷ୍ଠୀର ଜଣେ ବିଶେଷଜ୍ଞ ସଦସ୍ୟ। ସେ ଭବିଷ୍ୟତ ପୃଥିବୀର ଏନଗେଜମେଣ୍ଟ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ୨୦୧୭ ମସିହାରେ, ମଣ୍ଟ୍ରିଆଲ୍ ପ୍ରୋଟୋକଲରେ କିଗାଲି ସଂଶୋଧନ ଗଠନରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୟୁଏନ-ପରିବେଶ ଦ୍ୱାରା ଓଜୋନ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସେ ଭାରତର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଯଥା ଟାଇମ୍ସ ଅଫ୍ ଇଣ୍ଡିଆ, ମାଲାୟାଲା ମନୋରମା, ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଏବଂ ଗାଁ କନେକ୍ସନ୍ ପାଇଁ ଜଣେ ସ୍ତମ୍ଭକାର।