ଗୋଟିଏ ଲଗାଣ ବର୍ଷାରେ କାନ୍ଦିଲେ ଭୁବନେଶ୍ୱରବାସୀ: ବହୁ ଅଞ୍ଚଳ ଜଳବନ୍ଦୀ, ଘରେ ପଶିଗଲାଣି ପାଣି

ଭୁବନେଶ୍ୱର: ନିକଟରେ ଆନ୍ତର୍ଜତିକସ୍ତରରେ ଭୁବନେଶ୍ୱରକୁ ପୃଥିବୀର ଶ୍ରେଷ୍ଠ ୧୦୦ ସହର ମଧ୍ୟରେ ସ୍ଥାନୀତ କରାଯାଇଥିିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଭବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନାଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟରମାନେ ଖୁସି ମନାଇଥିିଲେ। ମାତ୍ର  ଏକ ସପ୍ତାହ ନ ପୁରୁଣୁ ଭୁବନେଶ୍ୱରର ବାସ୍ତବ ଚିତ୍ର ଏତେ ଦୁଃଖଦ ଯେ ସ୍ଥିତିକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ବାହାରକୁ ଚହଟ ଚିକ୍‌କଣ ଦିଶୁଥିବା ଭୁବନେଶ୍ୱର ଗୋଟିଏ ଲଗାଣ ବର୍ଷା ଯେ ସହିବାକୁ ଅସମର୍ଥ ତାହା ଆଜି ଧରାପଡ଼ିଯାଇଛି। ସହରରଏ ମୁଣ୍ଡରୁ ଆରମ୍ଭ କରି ସେ ମୁଣ୍ଡ ଯାଏ ସବୁଆଡ଼େ ଦେଖିବାକୁ ମିଳିଛି ଜଳବନ୍ଦୀର ଚିତ୍ର। କେଉଁଠି ଘର ଭିତରେ ପାଣି ପଶିଗଲାଣି ତ କେଉଁଠି ରାସ୍ତା ବୁଡ଼ି ଯାଇଥିିବାରୁ ଲୋକେ ପଦାକୁ ବାହାରି ପାରୁ ନାହାଁନ୍ତି। କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଗୋଟିଏ ଲଗାଣ ବର୍ଷାରେ ଆଜି ରାଜଧାନୀ ଭୁବନେଶ୍ୱରର ଲୋକେ ଆଖିରୁ ଲୁହ ଗଡ଼ାଉଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ସହରର ପୁରୁଣା ଭୁବନେଶ୍ୱର ଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ଡମାଣା ଯାଏ, ଏପଟେ ରସୁଲଗଡ଼, ପଳାଶୁଣି ଠାରୁ ଆରମ୍ଭ କରି ଜୟଦେବ ବିହାର, ନୂଆପଲ୍ଲୀ ସବୁ ଅଞ୍ଚଳରେ ବର୍ଷା ପାଣିକୁ ନେଇ ଭାଳେଣି। ଗତକାଲି ଠାରୁ ଚାଲିଥିବା ତୁହାକୁ ତୁହା ବର୍ଷା ଆଜି ସକାଳୁ ଲଗାଣ ବର୍ଷାରେ ପରିଣତ ହୋଇଛି। ବର୍ଷା ଯୋଗୁଁ ଡମଣାଛକରେ ଥିବା ପଦ୍ମାବତୀ ବିହାରର ଲୋକେ ଜଳବନ୍ଦୀ ଥିବା ବେଳେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ବିଷ୍ଣୁପ୍ରିୟାନଗରର ଲୋକେ ଜଳବନ୍ଦୀଯୋଗୁଁ ବାହାରକୁ ଯାଇ ପାରୁ ନାହଁନ୍ତି।


ସେହିପରି ପୁରୁଣା ଭୁବନେଶ୍ୱରର ଗୌରୀ ନଗରରେ ମଧ୍ୟ ସମାନ ଅବସ୍ଥା। ଜୟଦେବ ବିହାର ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଗଲାଣି। ନୟାପଲ୍ଲୀ ଅଞ୍ଚଳରେ ମଧ୍ୟ ସେଇ ଅବସ୍ଥା। ଓ୍ୱାର୍ଡ ନମ୍ବର ୬ ଅନ୍ତର୍ଗତ ଶାଶ୍ବତ ନଗର ମଧ୍ୟ ଜଳବନ୍ଦୀ ହୋଇଛି। ଜାତୀୟ ରାଜପଥର ଇସ୍କନ ମନ୍ଦିର ପାଖରେ ବର୍ଷାଜଳ ଠିକ୍‌ ଭାବେ ନିଷ୍କାସନ ହୋଇ ପାରୁ ନ ଥିବାରୁ ସେଠାରେ ମଝି ରାସ୍ତାରେ ଏକ ଘରୋଇ ବସ ଅଟକି ରହିବା ଘଟଣା ଭୁବନେଶ୍ୱରର କଦର୍ଯ୍ୟ ଚିତ୍ରକୁ ବଖାଣୁଛି।

ସେହିପରି ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଗନ୍ନାଥନଗର ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଉବୁଟୁବୁ। ଜଗନ୍ନାଥନଗରର ଓ ଝାରାପଡ଼ାକୁ ସଂଯୋଗ କରୁଥିବା ଏକ ନମ୍ବର ରୋଡ୍‌ ଉପରେ ପ୍ରାୟ ଅଣ୍ଟାଏ ଉଚ୍ଚର ପାଣି। ଏଭଳି ପରିସ୍ଥିତିରେ ଲୋକେ କ’ଣ କରିବେ ତାହା ସ୍ଥିର କରି ପାରୁ ନାହାଁନ୍ତି। ବିଭିନ୍ନ ସ୍ଥାନରେ ଡ୍ରେନ ନିର୍ମାଣ ଅଧପନ୍ତରିଆ, ଡ୍ରେନ ସଫା ହୋଇ ନ ଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ଏପରି କଦର୍ଯ୍ୟ ଅବସ୍ଥା ସୃଷ୍ଟି କରିଛି। ତୁରନ୍ତ ବର୍ଷାଜଳ ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି।

ସମ୍ବନ୍ଧିତ ଖବର