ଭୁବନେଶ୍ବର: ଦୀପାବଳି ନାହିଁ କି ବାହାଘର ଋତୁ ଆସିନି। ତଥାପି ଢୋଢା... ଶବ୍ଦରେ ପ୍ରକମ୍ପିତ ହେଉଛି ସହର। ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ଅଣନିଃଶ୍ବାସୀ ହୋଇଗଲେଣି ରାଜଧାନୀବାସୀ। ମାତ୍ର ୨୪ ଘଣ୍ଟା ମଧ୍ୟରେ ବାୟୁର ଗୁଣବତ୍ତା ଭଲରୁ ଖରାପ ହେଲାଣି। କେତେକ ସ୍ଥାନରେ ତ ଗମ୍ଭୀର ସ୍ଥିତିରେ ପହଞ୍ଚିଲାଣି। ଏକଥା ଆମେ କହୁନୁ, ବରଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜଧାନୀର ଦୁଇଟି ସ୍ଥାନ ଲିଙ୍ଗରାଜ ମନ୍ଦିର ଓ ପଟିଆଠାରେ ଲଗାଯାଇଥିବା ଏକ୍ୟୁଆଇ ମେସିନ୍ରେ ଏଭଳି ତଥ୍ୟ ସାମନାକୁ ଆସିଛି। ତେବେ ଆଜି ସନ୍ଧ୍ୟାରୁ ସହରର ବାୟୁ ପ୍ରଦୂଷଣ ଯେଉଁଭଳି ଭାବେ ବଢ଼ିଚାଲିଛି ତାହା ଅଧିକ ଚିନ୍ତାଦାୟକ ପାଲଟିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜି ଭୋର ୫ଟା ଓ ରାତି ୭ଟା ପରେ ଭୁବନେଶ୍ବରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ପର୍ଟିକୁଲେଟ୍ ମ୍ୟାଟର୍ (ପିଏମ୍)-୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସଫୁସରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ଗମ୍ଭୀର ସ୍ତରରେ ପହଞ୍ଚିଛି। ପିଏମ୍୧୦ ମାତ୍ରା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରର ହାରାହାରି ବାୟୁ ପ୍ରଦୂଷଣ (ପିଏମ୍୨.୫) ୨୨୮ରେ ରହିଛି, ଯାହାକି ଖରାପ। ଲିଙ୍ଗରାଜ ମନ୍ଦିର ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ନଭେମ୍ବର ୩ ପର୍ଯ୍ୟନ୍ତ ଏହି ଅଞ୍ଚଳର ବାୟୁମଣ୍ଡଳରେ ପିଏମ୍୨.୫ ମାତ୍ରା
କ୍ଷୁଦ୍ର ଧୂଳିକଣାରେ ରୁନ୍ଧି ହେଉଛନ୍ତି ଲୋକେ
ପିଏମ୍ ୨.୫ ମାତ୍ରା ଖରାପ ସ୍ତରରୁ ଖସୁନି
ରାତିରେ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ସ୍ଥିତି ଗମ୍ଭୀର
ସନ୍ତୋଷଜନକ ସ୍ତରରେ ରହିଥିଲା। ଏମିତିକି ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ଭଲ ସ୍ତରରେ ରହିଥିଲା। ପିଏମ୍୧୦ ମାତ୍ର କେତେବେଳେ ମଧ୍ୟମଧରଣ ତ ଆଉ କେବେ ଭଲ ଓ ସନ୍ତୋଷଜନକ ସ୍ଥିତିରେ ଥିଲା। ତେବେ ଗତକାଲି ପୂର୍ବାହ୍ନଠାରୁ ହଠାତ୍ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରେ ବାୟୁମଣ୍ଡଳରେ ପିଏମ୍୨.୫ ମାତ୍ରା ୨୧୩ ଛୁଇଁଥିଲା, ଯାହାକି ଖରାପ। ପରବର୍ତ୍ତୀ ଦୁଇ ଘଣ୍ଟାରେ ଏହା ବୃଦ୍ଧି ପାଇ ୨୩୭ରେ ପହଞ୍ଚିଥିଲା। ସନ୍ଧ୍ୟା ସମୟରେ ସାମାନ୍ୟ କମିଥିଲେ ମଧ୍ୟ ରାତି ୮ଟା ବେଳକୁ ପୁଣି ଖରାପ ହୋଇଯାଇଥିଲା। ତେବେ ଆଜି ସକାଳ ୬ଟାରୁ ୯ଟା ମଧ୍ୟରେ ପୁରୁଣା ଭୁବନେଶ୍ବର ପ୍ରଦୂଷଣ ବଳୟରେ ରହିଥିଲା। ବିନ୍ଦୁସାଗରରେ ବୋଇତ ବନ୍ଦାଣ ସାଙ୍ଗକୁ ହଜାର ହଜାର ଲୋକଙ୍କ ଚଳପ୍ରଚଳ ଦ୍ବାରା ସୃଷ୍ଟି ହୋଇଥିବା କ୍ଷୁଦ୍ର ଧୂଳିକଣା ବାୟୁମଣ୍ଡଳକୁ ସମ୍ପୂର୍ଣ୍ଣ ଖରାପ କରି ଦେଇଥିଲା। ସକାଳ ୬ଟାରେ ପିଏମ୍୨.୫ ମାତ୍ରା ୨୦୭ରେ ଥିବାବେଳେ ପରବର୍ତ୍ତୀ ତିନି ଘଣ୍ଟାରେ ବୃଦ୍ଧି ପାଇ ୯ଟା ବେଳକୁ ୩୫୨ରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ମଧ୍ୟମଧରଣ ପ୍ରଦୂଷଣ ସ୍ତରରେ ଥିବା ଲିଙ୍ଗରାଜ ଅଞ୍ଚଳର ବାୟୁ ଆଜି ରାତି ୮ଟା ବେଳକୁ ଗମ୍ଭୀର ସ୍ତରରେ ପହଞ୍ଚିଛି। ଉଭୟ ପିଏମ୍୨.୫ ଓ ପିଏମ୍୧୦ ମାତ୍ରା ଯଥାକ୍ରମେ ୪୩୫ ଓ ୪୪୫ ରହିଛି।
ଅନୁରୂପ ଭାବେ ପଟିଆ ଅଞ୍ଚଳ ସ୍ଥିତି ମଧ୍ୟ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ୪ ତାରିଖ ପର୍ଯ୍ୟନ୍ତ ମଧ୍ୟମଧରଣ ଓ ସନ୍ତୋଷଜନକ ସ୍ତରରେ ଥିବା ଏହି ଅଞ୍ଚଳର ବାୟୁ ପ୍ରଦୂଷଣ ଆଜି ପୁଣିଥରେ ଉପରମୁହାଁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ପଟିଆ, ଚନ୍ଦ୍ରଶେଖରପୁର, ଡମଣା, କିଟ୍ ଅଞ୍ଚଳରେ ବାୟୁର ମାନ ଖରାପ ସ୍ତରରେ ରହିଛି। ସନ୍ଧ୍ୟା ୭ଟା ବେଳକୁ ପିଏମ୍୨.୫ର ମାତ୍ରା ୩୦୮ରୁ ବୃଦ୍ଧି ପାଇ ୮ଟା ବେଳକୁ ୩୫୦ରେ ପହଞ୍ଚିଥିଲା। ସେହିପରି ପିଏମ୍୧୦ ମାତ୍ରା ସନ୍ଧ୍ୟା ୭ଟାରେ ୨୦୮ ଓ ୮ଟାରେ ୩୨୦ରେ ରହିଥିବା ଜଣାପଡ଼ିଛି। ଦୀପାବଳି ପରେ ପ୍ରଥମ ଥର ବାୟୁ ଖରାପ ସ୍ତରରେ ପହଞ୍ଚିଛି। ରସୁଲଗଡ଼, ଜୟଦେବ ବିହାର, ପଟିଆ, ହଂସପାଳ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଡମଣା, ପଳାଶୁଣୀ, ପୁରୁଣା ଭୁବନେଶ୍ବର, ୟୁନିଟ୍-୩ ଅଞ୍ଚଳ, କୁଆଖାଇ ନଦୀପଠାରେ ବାୟୁମଣ୍ଡଳ ପ୍ରଦୂଷିତ ହୋଇଛି। ଦିନ ସମୟରେ ସହର ଉପକଣ୍ଠରେ ବୋଇତ ବନ୍ଦାଣ ସାଙ୍ଗକୁ ରାତିରେ ଦୁଇଟି ବାଲିଯାତ୍ରା ଓ ଏକାଧିକ ଉତ୍ସବ, ମହୋତ୍ସବ ହେଉଥିବାରୁ ସହରର ବାୟୁ ପ୍ରଦୂଷିତ ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/dagdaagd-2025-11-06-01-40-07.jpg)