ଭୁବନେଶ୍ବର ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲଗାତର ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ବାର୍ଷିକ ୨ରୁ ୫ମିଲିଅନ ଯାତ୍ରୀ ଯାତାୟତ କରୁଥିବା ବିମାନବନ୍ଦର ଶ୍ରେଣୀରେ ଭୁବନେଶ୍ବର ବିମାନବନ୍ଦରକୁ ଏହି ପୁରସ୍କାର ମିଳିଛି। ଇଣ୍ଡୋନେସିଆର ବାଲିରେ ଆୟୋଜିତ ଦ୍ବିତୀୟ ଏସିଆଇ କଷ୍ଟମର୍ ଏକ୍ସପେରିଏନ୍ସ ଗ୍ଲୋବାଲ ସମିଟ୍‌ରେ ଶ୍ରେଷ୍ଠ ବିମାନବନ୍ଦରଗୁଡ଼ିକୁ ବିମାନବନ୍ଦର ଗୁଣବତ୍ତା ସେବା-୨୦୧୮ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଯୋଗଦେଇ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା ପରେ ବିମାନବନ୍ଦର ନିର୍ଦ୍ଦେଶକ ସମସ୍ତ ଯାତ୍ରୀ, ସହଯୋଗୀ ଓ ‌‌ଅଂଶୀଦାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଭୁବନେଶ୍ବର ବିମାନବନ୍ଦର ସମେତ ଚଣ୍ଡୀଗଡ଼ ବିମାନବନ୍ଦର, ଇନ୍ଦୋର ବିମାନବନ୍ଦରକୁ ବି ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ସୂଚନାଯୋଗ୍ୟ ଯେ, ବିମାନବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା, ଅଭିଜ୍ଞତା, ମିଳୁଥିବା ସୁବିଧା ସୁଯୋଗ, ସ୍ବଚ୍ଛତାକୁ ଭିତ୍ତିକରି ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର