ଭୁବନେଶ୍ବର : କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। କିନ୍ତୁ ରାଜ୍ୟ ବାହାରୁ ଆସୁଛି ରାଜଧାନୀ ବଜାରର ସବୁ ପରିବା। ରାଜ୍ୟ ସରକାର ଆଳୁ ଉତ୍ପାଦନ ନାଁରେ କୋଟିକୋଟି ଟଙ୍କାର ଯୋଜନା ପ୍ରସ୍ତୁତ କହୁଥିଲେ ମଧ୍ୟ ଆଳୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଛି। ସେହିଭଳି ପିଆଜ ଓ ଟମାଟୋ ନାସିକ ଏବଂ ରାୟପୁରରୁ, ପୋଟଳ, ଜହ୍ନି, ବାଇଗଣ କୋଲକାତାରୁ, କଖାରୁ ତାମିଲନାଡ଼ୁରୁ, ବିନ୍‌ସ ରାଞ୍ଚିରୁ ଆସୁଛି। ବର୍ତ୍ତମାନ ଆପଣ ବଜାରରୁ ଯେକୌଣସି ପରିବା ଉଠାଇ ଦେଖନ୍ତୁ, ବିକ୍ରେତାଙ୍କୁ ପଚାରିଲେ ସେମାନେ କହିଦେବେ ରାଜ୍ୟ ବାହାରର କେଉଁ ସହରରୁ ଆସିଛି। ପରନିର୍ଭରଶୀଳତା ଯୋଗୁଁ ପ୍ରଥମେ ଲେମ୍ବୁ ଏବଂ ବର୍ତ୍ତମାନ ଟମାଟୋ ଦର ୧୦୦ ଟଙ୍କା ପାର୍‌ କରିଛି। ଅନ୍ୟ ପରିବା ଦର ମଧ୍ୟ ବାକି ସମୟ ଅପେକ୍ଷା ବୃଦ୍ଧି ପାଇଛି। ପରନିର୍ଭରଶୀଳତା ଯୋଗୁଁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ପରିବା ଉପରେ ପଡ଼ୁଛି। ଯେଉଁ ପରିବା ଯେତେ ଦୂରରୁ ଆସୁଛି, ତା’ର ଦର ସେତେ ଅଧିକ ରହୁଛି। ଦ୍ବିତୀୟତଃ ପରିବା ଦର ନିର୍ଧାରଣ ବ୍ୟବସାୟୀଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି। ଅନେକ ସମୟରେ ଜାଣିଶୁଣି ଆମଦାନି ହ୍ରାସ କରାଯାଇ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି ଏବଂ ମାତ୍ରାଧିକ ଟଙ୍କା ଗ୍ରାହକଙ୍କ ଠାରୁ ସଂଗ୍ରହ ହେଉଛି।

Advertisment

publive-image

କୃଷି ବିଭାଗର ସୂଚନାନୁସାରେ, ରାଜ୍ୟରେ ୨ ଲକ୍ଷ ୯୬ ହଜାର ୮୪୮ ମେଟ୍ରିକ୍‌ ଟନ୍‌ର ଆଳୁ, ୩ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ୍‌ର ପିଆଜ, ୪ ଲକ୍ଷ ୬୫ ହଜାର ମେଟ୍ରିକ୍‌ ଟନ୍‌ର କଖାରୁ, ୧୪ ଲକ୍ଷ ୩୨ ହଜାର ମେଟ୍ରିକ୍‌ ଟନ୍‌ର ଟମାଟୋ, ୧ ଲକ୍ଷ ୨୭ ହଜାର ମେଟ୍ରିକ୍‌ ଟନ୍‌ର କଞ୍ଚା କଦଳୀ, ୫୭ ହଜାର ୫୪୨ ମେଟ୍ରିକ୍‌ ଟନ୍‌ର ବିନ୍‌ସ, ୧ ଲକ୍ଷ ୧୬ ହଜାର ମେଟ୍ରିକ୍‌ ଟନ୍‌ର କଲରା, ୧ ଲକ୍ଷ ୪୬ ହଜାର ମେଟ୍ରିକ୍‌ ଟନ୍‌ର ଲାଉ, ୨୧ ଲକ୍ଷ ୨୭ ହଜାର ମେଟ୍ରିକ୍‌ ଟନ୍‌ର ବାଇଗଣ, ୪୯୬୩ ମେଟ୍ରିକ୍‌ ଟନ୍‌ର ଗାଜର, ୧୦ ହଜାର ୬୧୧ ମେଟ୍ରିକ୍‌ ଟନ୍‌ର କୁନ୍ଦୁରି, ୫୪ ହଜାର ୫୭୬ ମେଟ୍ରିକ୍‌ ଟନ୍‌ର କାକୁଡ଼ି, ୬ ଲକ୍ଷ ୬୨ ହଜାର ମେଟ୍ରିକ୍‌ ଟନ୍‌ର ଭେଣ୍ଡି ଉତ୍ପାଦିତ ହୁଏ। ଏହି ପରିବାଗୁଡ଼ିକ ମଧ୍ୟରୁ ଟମାଟୋ ଭଳି ଅନେକ ପରିବା ବର୍ଷ ତମାମ୍‌ ଚାଷ ହୋଇ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରେ। ଚାଷୀ ମଧ୍ୟ ଏଥିପାଇଁ ଆଗ୍ରହ କରନ୍ତି। କିନ୍ତୁ ପ୍ରାପ୍ୟ ନମିଳିବା ଭୟ ଯୋଗୁଁ ସେମାନେ ଧାନକୁ ଗୁରୁତ୍ବ ଦିଅନ୍ତି। ପ୍ରାକୃତିକ ଦୁର୍ବିପାକରେ ପରିବା ଫସଲ ବେଶି କ୍ଷତିଗ୍ରସ୍ତ ହୁଏ। କିନ୍ତୁ କ୍ଷତିପୂରଣ ଚାଷୀଙ୍କୁ ମିଳେନାହିଁ। ଡିସେମ୍ବରରୁ ଜାନୁଆରି ମାସରେ ଏହି ଦେଶୀ ପରିବା ଉତ୍ପାଦନ ହୁଏ, ନାମମାତ୍ର ମୂଲ୍ୟରେ ବିକ୍ରି ହୁଏ। ଭେଣ୍ଡି, ଟମାଟୋ, କଖାରୁ, ବାଇଗଣ, କଲରା ଭଳି ପରିବା ଚାଷୀ ନାମମାତ୍ର ମୂଲ୍ୟରେ ଗ୍ରାହକଙ୍କୁ ଦେଇ ଦିଅନ୍ତି। ଗାଁ ଦାଣ୍ଡରେ ଦର ୨ ଟଙ୍କାରୁ ୫ ଟଙ୍କା ମଧ୍ୟରେ ଥାଏ। ବିଭିନ୍ନ ସମୟରେ ରାସ୍ତାରେ ଟମାଟୋ, ଭେଣ୍ଡି ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳେ। ପରିବା ବିକ୍ରିର ଆଉ ଏକ ଚିତ୍ର ଦେଖିବାକୁ ମିଳେ ଯେ ଶୀତ ଋତୁରେ ବ୍ୟବସାୟୀ ନାମମାତ୍ର ମୂଲ୍ୟରେ ଚାଷୀଙ୍କ ଠାରୁ କ୍ରୟ କରେ ଏବଂ ଅଧିକ ଦାମରେ ଗ୍ରାହକଙ୍କୁ ବିକ୍ରି କରେ।

publive-image

ଏଥିଯୋଗୁଁ ଉଭୟ ଚାଷୀ କିମ୍ବା ଗ୍ରାହକ କେହି ଲାଭାନ୍ବିତ ହୁଅନ୍ତି ନାହିଁ। କୃଷି ବିଭାଗ ଅନୁସାରେ, ରାଜ୍ୟରେ ଚାଷୀମାନେ ଧାନ ଚାଷକୁ ଗୁରୁତ୍ବ ଦେଇ କେବଳ ଗୋଟିଏ ସମୟରେ ହିଁ ପରିବା ଚାଷ କରୁଥିବାରୁ ପ୍ରତିବର୍ଷ ଖରା ଦିନରେ ପରିବା ଦର ବୃଦ୍ଧି ପାଏ। ଚାଷୀଙ୍କ ଅନୁସାରେ, ସେମାନେ ପରିବା ପାଇଁ ଯେଉଁଭଳି ଖର୍ଚ କରନ୍ତି, ସେହି ଅନୁଯାୟୀ ମାର୍କେଟିଂ ହୋଇପାରେ ନାହିଁ ଏବଂ ଅନେକ ବର୍ଷ କ୍ଷତି ମଧ୍ୟ ସହିବାକୁ ପଡ଼େ। ବର୍ଷ ତମାମ ପରିବା ଚାଷ ସେମାନଙ୍କ ପାଇଁ କ୍ଷତିଜନକ ବୋଲି କୁହାଯାଏ। ଯେଉଁ ଜିଲ୍ଲାରେ ଯେଉଁ ପରିବା ଉତ୍ପାଦିତ ହେଉଛି, ତା’ର ପ୍ରୋତ୍ସାହନ ପାଇଁ ପ୍ରୋସେସିଂ ୟୁନିଟ୍‌ କରାଗଲେ, ଚାଷୀ ଲାଭ ପାଆନ୍ତେ ଏବଂ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହିତ ହୁଅନ୍ତେ ବୋଲି ଚାଷୀମାନେ ମତ ଦିଅନ୍ତି। କୃଷି ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ ଉଦ୍ୟାନ କୃଷି ପ୍ରୋତ୍ସାହନ ପାଇଁ ଠୋସ୍‌ ନୀତି ପ୍ରସ୍ତୁତି ଦିଗରେ ସରକାର ଗୁରୁତ୍ବ ଦିଅନ୍ତି ନାହିଁ। ନିର୍ଦିଷ୍ଟ ସମୟରେ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରି ମାତ୍ରାଧିକ ଖର୍ଚ, ମାର୍କେଟିଂ କରନ୍ତି ଓ ଅନ୍ୟ ଫସଲକୁ ଗୌଣ କରି ଦିଅନ୍ତି। ତୃଣମୂଳସ୍ତରରେ ଚାଷୀଙ୍କ ଆବଶ୍ୟକତା ପୂରଣ ପାଇଁ ଧ୍ୟାନ ଦିଆଯାଏ ନାହିଁ।