ଭୁବନେଶ୍ୱର: ଶନିବାର ସକାଳ ଆଠଟା ପାଖାପାଖି ରାଜଧାନୀ ବାହାର କପିଳେଶ୍ୱର କେନାଲ ବନ୍ଧ ନିକଟ ଶ୍ରୀରାମ ନଗର ଅଞ୍ଚଳରେ ବାସ କରୁଥିବା ଗୋଟିଏ ପରିବାରର ତିନି ଜଣ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇ ଗୁରୁତର ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆହତମାନେ ହେଉଛନ୍ତି ୪୦ ବର୍ଷୀୟ ସ୍ୱାମୀ ଅଜୟ ଦାସ, ତାଙ୍କର ୩୨ ବର୍ଷୀୟ ସ୍ତ୍ରୀ ଜାନକୀ ଦାସ ଓ ସେମାନଙ୍କ ସବା ସାନ ଝିଅ ୩ ବର୍ଷୀୟ ରାନୁ। ଅତି ସାଙ୍ଘାତିକ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ପତ୍ନୀ ଜାନକୀଙ୍କ ଅବସ୍ଥା ସଂକଟାପନ୍ନ ଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ଘରୋଇ କଳିରୁ ସେମାନେ ଏ ଭଳି କାଣ୍ଡ କରିଥିବା କଥା ଜଣାପଡ଼ିଛି। ଅଜୟ ଜଣେ ନିଶା ସେବନକାରୀ ହୋଇଥିବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଜିଆ ଲାଗୁଥିଲା। ଗତ ୪ ଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇ ମାଡ଼ପିଟ ଗତକାଲି ଯାଏ କଥା ଯାଇଥିଲା। ସେମାନେ ଲହୁଲୁହାଣ ହୋଇ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ ରହିଥିବା କଥା ଅଭିଯୋଗ ହେଉଛି।
ଟଙ୍କା ଓ ସୁନା ଅଳଙ୍କାର ଦେଇ ଘରୁ ବାହାରି ଯାଆ ବୋଲି ସ୍ୱାମୀ ଅଜୟ କହୁଥିବାରୁ ଉଭୟଙ୍କ ମଧ୍ୟରେ କଜିଆ ଲାଗୁଥିବା କଥା ପଡ଼ୋଶୀମାନେ କହୁଛନ୍ତି। ଗତକାଲି ଠାରୁ ସେମାନଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ଉଗ୍ରରୂପ ଧାରଣ କରିବା ପରେ ଅଜୟ କିରାସିନି ଢାଳି ଜାନକୀଙ୍କ ଦେହରେ ନିଆଁ ଲଗାଉଥିବା ବେଳେ କିରାସିନ ପଡ଼ିଯାଇଥିବାରୁ ସାନଝିଅ ଓ ନିଜେ ଅଜୟ ମଧ୍ୟ ପୋଡ଼ିଯାଇଥିବା ଅନୁମାନ କରାଯାଉଛି। ଘରେ ଅନ୍ୟତ୍ର ଶୋଇଥିବା ଅଜୟଙ୍କ ମାଆ ଓ ଅନ୍ୟ ଦୁଇ ଝିଅ ନିରାପଦ ଅଛନ୍ତି।
ଲିଙ୍ଗରାଜ ଥାନା ପୁଲିସ ଘଟନାର ତଦନ୍ତ କରୁଛି।