ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର

ଭୁବନେଶ୍ୱର: ଗତ ୧୪ ତାରିଖରେ ଟିଟିଲାଗଡ଼ ଦେଶର ଉତ୍ତପ୍ତ ସହର ପାଲଟିଥିଲା ବେଳେ ଆଜି ଭୁବନେଶ୍ୱରରେ ଦେଶର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜିର ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା। ଦେଶର ଆଉ କୌଣସି ସ୍ଥାନରେ ଏଭଳି ତାତି ଅନୁଭୂତ ହୋଇ ନ ଥିବା ଜଣାପଡ଼ିଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ୩୭ରୁ ୩୯.୮ ଡିଗ୍ରି ମଧ୍ୟରେ ରହିଥିଲା। ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ପବନର ବେଗ କମ୍‌ ରହୁଥିବାରୁ ତାପମାତ୍ରା ବଢ଼ିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଭୁବନେଶ୍ୱର ନୁହେଁ, ଓଡ଼ିଶାର ତାଳଚେର ଆଜି ଦେଶର ଅନ୍ୟତମ ତତଲା ସହର ପାଲଟିଛି। ଏଠାରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ କରାଯାଇଛି। ଏହି ସମୟରେ ଓଡ଼ିଶାର ତାପମାତ୍ରା ସାଧାରଣତଃ ୩୫ରୁ ୩୬ ଡିଗ୍ରି ରହିବା କଥା। ହେଲେ ଏବେ ସାଧାରଣ ତାପମାତ୍ରାଠାରୁ ଏହା ୩ ଡିଗ୍ରି ଅଧିକ ରହିଛି। ଓଡ଼ିଶା ବ୍ୟତୀତ ପୂର୍ବ ରାଜସ୍ଥାନ, ଉପକୂଳ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ସୌରାଷ୍ଟ୍ର, କୋଙ୍କଣ, ଗୋଆ, ମଧ୍ୟପ୍ରଦେଶ, ଆଣ୍ଡାମାନ ଓ ନିକୋବରର ତାମପାତ୍ରା ସାଧାରଣ ତାପମାତ୍ରାଠାରୁ ୧.୬ ଡିଗ୍ରିରୁ ୩ ଡିଗ୍ରି ଅଧିକ ରହିଛି। ଜାମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳ ଏବଂ ପଞ୍ଜାବର ଅଳ୍ପ କିଛି ସ୍ଥାନର ତାପମାତ୍ରା ବର୍ତମାନ ସମୟରେ ଯେତିକି ରହିବା କଥା ତା’ଠାରୁ ୫.୧ ଡିଗ୍ରିରୁ ଅଧିକ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାର ୪ଟି ସହରର ତାପମାତ୍ରା ଆଜି ୩୯ ଡିଗ୍ରି ଉପରେ ରହିଥିଲା। ଭୁବନେଶ୍ୱର, ତଳଚେର ବ୍ୟତୀତ ଅନୁଗୁଳରେ ୩୯.୧ ଓ ଟିଟିଲାଗଡ଼ରେ ୩୯ ଡିଗ୍ର୍ରି ରେକର୍ଡ ହୋଇଛି। ରାଜ୍ୟର ମୋଟ ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ଥିଲା। ହୀରାକୁଦରେ ୩୮.୯, ମାଲକାନଗିରିରେ ୩୮.୮, ଝାରସୁଗୁଡ଼ାରେ ୩୮.୫, ବଲାଙ୍ଗୀରରେ ୩୮.୪, ସୋନପୁରରେ ୩୭.୮, ସମ୍ବଲପୁର ଓ ଢେଙ୍କାନାଳରେ ୩୭.୭, କଟକ ଓ ଚାନ୍ଦବାଲିରେ ୩୭.୨, ସୁନ୍ଦରଗଡ଼ରେ ୩୭ ଡିଗ୍ରି ରେକର୍ଡ କରାଯାଇଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବ। ୨୩ ଓ ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର କେତେକ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବ। ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା ବୃଦ୍ଧି ପାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର