୧୦ରୁ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ସପ୍ତାହକୁ ଦୁଇ ଦିନ ଉଡ଼ାଣ କରିବ ଏୟାର ଇଣ୍ଡିଆ

ଭୁବନେଶ୍ୱର: ଆସନ୍ତା ୧୦ତାରିଖରୁ ଭୁବନେଶ୍ୱରରୁ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବ। ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧା ବିମାନ ଉଡ଼ାଣ କରିବ। ଏଥିପାଇଁ ଏୟାର ଇଣ୍ଡିଆକୁ ଡିଜିସିଏ ଅନୁମତି ମିଳିଥିବା ବେଳେ ବିମାନ ଉଡ଼ାଣ ସୂଚୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି। ଏୟାର ଇଣ୍ଡିଆ ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆଜି ଟ୍ଵିଟ୍‌ କରି ଜଣାଇଛନ୍ତି।

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ବିମାନ ଏଆଇ-୩୩୮ ସପ୍ତାହକୁ ଦୁଇ ଦିନ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ାଣ କରିବ। ପ୍ରତ୍ୟେକ ରବିବାର ଓ ଗୁରୁବାର ବିମାନଟି ଉଡ଼ାଣ କରିବ। ବିମାନ ଏଆଇ-୩୩୮ ଭୁବନେଶ୍ୱରରୁ ଅପରାହ୍ନ ୩ଟା ୪୫ରେ ଉଡ଼ାଣ ଆରମ୍ଭ କରି ବ୍ୟାଙ୍କକ୍‌ରେ ସ୍ଥାନୀୟ ସମୟ ୭ଟା ୫୦ରେ ଅବତରଣ କରିବ। ରବିବାର ବିମାନଟି ବ୍ୟାଙ୍କକ୍‌ରେ ପହଞ୍ଚିବାକୁ ୨ଘଣ୍ଟା ୩୫ମିନିଟ ନେବାକୁ ଥିବାବେଳେ ଗୁରୁବାର ବ୍ୟାଙ୍କକ୍‌ରେ ପହଞ୍ଚିବାକୁ ୩ଘଣ୍ଟା ଲାଗିବ।

ପୂର୍ବରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଗୟା-ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା ଆରମ୍ଭ କରିବେ ବୋଲି ପ୍ରସ୍ତାବ ଦେଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହାକୁ ବେଙ୍ଗାଲୁର-ଭୁବନେଶ୍ୱର-ବ୍ୟାଙ୍କକ୍‌ ରୁଟ୍‌ରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଆଇ-୩୩୯ବିମାନଟି ବ୍ୟାଙ୍କକ୍‌ରୁ ସ୍ଥାନୀୟ ସମୟରେ ସକାଳ ୫ଟା ୪୦ରେ ବାହାରି ଭୁବନେଶ୍ୱରରେ ସକାଳ ୭ଟାରେ ପହଞ୍ଚିବ। ଏଠାରୁ ୮ଟା ୪୫ରେ ବେଙ୍ଗାଲୁର୍‌ ଅଭିମୁଖେ ଯିବ। ସେହିପରି ଏଆଇ-୩୩୮ ବିମାନ ବେଙ୍ଗାଲୁରରୁ ପୂର୍ବାହ୍ନ ୧୧ଟା ୪୦ରେ ବାହାରି ଭୁବନେଶ୍ୱରରେ ଅପରାହ୍ନ ୧ଟା ୫୦ରେ ପହଞ୍ଚିବ। ଏଠାରୁ ଅପରାହ୍ନ ୩ଟା ୪୫ରେ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ କରିବ। ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ୧୬୨ ଯାତ୍ରୀ ବିଶିଷ୍ଟ ବିମାନ ଉଡ଼ାଣ କରିବ। ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଏବେ ବିମାନ ଭଡ଼ା ୮,୭୨୩ଟଙ୍କା ରଖାଯାଇଛି।

ଏୟାର ଇଣ୍ଡିଆର ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରିଛନ୍ତି ଯେ, ଏହି ଉଡ଼ାଣ ଦ୍ୱାରା ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକ ସହ ପର୍ଯ୍ୟଟନ, ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବ। ଅପରପକ୍ଷେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ପାଇଁ ଥାଇ ଏୟାର ଏସିଆ ୧ଲକ୍ଷ ୭୦ହଜାର ଟଙ୍କା ସବ୍‌ସିଡି ମାଗିଥିବାବେଳେ ଏହାକୁ ପର୍ଯ୍ୟଟନ ବିଭାଗ ସମ୍ମତି ଦେଇଥିଲା। କିନ୍ତୁ ଏୟାର ଇଣ୍ଡିଆ ବିନା ସବ୍‌ସିଡିରେ ଉଡ଼ାଣ କରିବାକୁ ପ୍ରସ୍ତାବ ଦେବାରୁ ଏୟାର ଏସିଆ ପ୍ରସ୍ତାବ ଉପରେ ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଇନାହାନ୍ତି। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩୧,୨୦୧୦ରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା। ଦୀର୍ଘ ୭ବର୍ଷ ପରେ ଏପ୍ରିଲ ୨୬, ୨୦୧୭ରେ ଏୟାର ଏସିଆ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର