ଭୁବନେଶ୍ବର: ଭୁବନେଶ୍ବରରେ ଟ୍ରାଫିକ୍ ଶୃଙ୍ଖଳା ପାଇଁ ଜଣେ ଆଇପିଏସ୍ ଅଫିସର ଦାୟିତ୍ବରେ ଅଛନ୍ତି। ଟ୍ରାଫିକ୍ ଶୃଙ୍ଖଳାକୁ ନେଇ ଦୀର୍ଘ ଦିନ ହେବ ତନାଘନା ଚାଲିଛି। ଭିଡ଼ରେ ନ ପଶି ରଙ୍ଗ୍ରୁଟ୍ରେ ଚାଲି ଆସିଲେ ପୁଲିସ ଗାଡ଼ି ଜବତ କରୁଛି। ଘଡ଼ିକୁ ଘଡ଼ି ନିର୍ଦ୍ଦେଶାବଳୀ ଜାରି ହେଉଛି। ଲେନ୍ ଡ୍ରାଇଭିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏତେ ସବୁ ବ୍ୟବସ୍ଥା ଭିତରେ ବି ଆଜି ଏକ ବଡ଼ ଅଘଟଣ ଘଟିଛି। ଟ୍ରାଫିକ୍ ଭିଡ଼ ଏକ ୫ବର୍ଷୀୟ ଶିଶୁପୁତ୍ରର ଜୀବନ ନେଇ ଯାଇଛି। ଉନ୍ନତ ଚିକିତ୍ସା ପାଇଁ ଶିଶୁପୁତ୍ରକୁ କ୍ୟାପିଟାଲ ହସ୍ପିଟାଲ୍ରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନେଇ ଯାଉଥିବା ଆମ୍ବୁଲାନ୍ସ ଭିଡ଼ ଭିତରେ ଫସି ଯିବାରୁ ଏହି ଅଘଟଣ ଘଟିଛି। ଆମ୍ବୁଲାନ୍ସରୁ ଓହ୍ଲାଇ ଶିଶୁପୁତ୍ରର ପରିଜନ ବାଟ ଛାଡ଼ିବାକୁ ଅନ୍ୟମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ। ଏହି ଘଟଣାରେ ଶିଶୁର ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଘଟଣାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।
ସୂଚନା ମୁତାବକ, ପୁରୁଣା ଭୁବନେଶ୍ବରରେ ରହୁଥିବା କେନ୍ଦ୍ରାପଡ଼ାର ନିରୋଦ ନାୟକଙ୍କ ୫ବର୍ଷର ଶିଶୁପୁତ୍ର ନୀଲ ନିତେଶ ନାୟକ ଗତ ରାତିରେ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରବଳ ବାନ୍ତି ହେଉଥିଲା। ବାନ୍ତି ବନ୍ଦ ନ ହେବାରୁ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତିରେ ସେ ସୁସ୍ଥ ଅନୁଭବ କରିବାରୁ ପରିବାରଲୋକ ତାଙ୍କୁ ଘରକୁ ନେଇ ଯାଇଥିଲେ। ତେବେ ସକାଳେ ସେ ପୁଣି ଅସୁସ୍ଥ ହୋଇପଡ଼ିବାରୁ ପୁଣି ଥରେ କ୍ୟାପିଟାଲ ହସ୍ପିଟାଲ ଆରଇଥିଲେ। ଦିନ ୧୦ଟା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ରାଜଭବନ ଛକ, ଜୟଦେବ ବିହାର, ଏକ୍ସଆଇଏମ୍ବି ଛକ, ନାଲ୍କୋ ଛକ ପଟିଆ ଦେଇ କିମ୍ସ ନିଆଯାଇଥାନ୍ତା। ଆମ୍ବୁଲାନ୍ସ ପ୍ରଥମେ ଜୟଦେବ ବିହାର ଛକ, ଏକ୍ସଆଇଏମ୍ବି ଓ ନାଲ୍କୋ ଛକରେ ଫସି ଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ଆମ୍ବୁଲାନ୍ସକୁ ଭିଡ଼ରୁ ଖସାଇବାକୁ ସକ୍ଷମ ହୋଇଥିଲେ। ନାଲ୍କୋ ଛକରେ କିନ୍ତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଆମ୍ବୁଲାନ୍ସ ଆଗରେ ଶହ ଶହ ଗାଡ଼ି ଛିଡ଼ା ହୋଇ ରହିଥିଲା। ପଛରେ ସାଇରନ୍ ଦେଉଥିଲେ ମଧ୍ୟ କେହି ଆମ୍ବୁଲାନ୍ସକୁ ବାଟ ଛାଡ଼ି ନଥିଲେ। ଏହା କାହାରିକୁ ପ୍ରଭାବିତ କରିନଥିଲା। ଟ୍ରାଫିକ୍ ସଙ୍କେତ ସବୁଜ ହେବା ପରେ ସମସ୍ତ ଗାଡ଼ି ସହ ଆମ୍ବୁଲାନ୍ସ ବାହାରିଥିଲା। ହେଲେ ଏହି ଛକ ଅତିକ୍ରମ କରିବା ପରେ ଭିଡ଼ ଏତେ ଥିଲା ଯେ ଆମ୍ବୁଲାନ୍ସଟି ଯିବା ପାଇଁ ବାଟ ପାଇ ନ ଥିଲା। ଶିଶୁର ପରିଜନମାନେ ଓହ୍ଲାଇ ଗାଡ଼ିଗୁଡ଼ିକୁ ହଟାଇବା ପାଇଁ ନେହୁରା ହେଉଥିଲେ ମଧ୍ୟ କିଛି ଲାଭ ହୋଇନଥିଲା। ଅନ୍ୟ ଗାଡ଼ିଗୁଡ଼ିକ ସହ ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇରହିଥିଲା। ପରିସ୍ଥିତି ବିଗିଡ଼ିଯିବା ଆଶଙ୍କାରେ ସେମାନେ କଟକ ଯିବା ପରିବର୍ତ୍ତେ ଶିଶୁପୁତ୍ରକୁ କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଆରମ୍ଭ ପାଇଁ ବ୍ୟବସ୍ଥା କରିବା ବେଳେ ଶିଶୁପୁତ୍ରର ଜୀବନ ଚାଲି ଯାଇଥିଲା।
ଏନେଇ ଶିଶୁପୁତ୍ରର ବାପା ନିରୋଦ କହିଛନ୍ତି ଯେ ବାଟରେ ପାଖାପାଖି ଅଧଘଣ୍ଟାଏ ବିଳମ୍ବ ହୋଇଗଲା। ଏତେ ନେହୁରା ହେଲି, ହେଲେ କେହି ବାଟ ଛାଡ଼ିଲେନି। ଏହି ସମୟରେ ଯଦି ଘରୋଇ ହସ୍ପିଟାଲରେ ପହଞ୍ଚି ଯାଇଥାନ୍ତା, ତେବେ ବଞ୍ଚି ଯାଇଥାନ୍ତା। ମୋ ଆଖି ଆଗରେ ପିଲାର ଜୀବନ ଚାଲିଗଲା। ଟ୍ରାଫିକ୍ ପୋଷ୍ଟ ପାଖରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ରାସ୍ତା ଜାମ୍ ହଟାଇବା ପାଇଁ କେହି ଆସି ନଥିଲେ। ଆମ୍ବୁଲାନ୍ସ ଚାଳକ ଆଲୋକ ଖୁଣ୍ଟିଆ କହିଛନ୍ତି ଯେ ଶିଶୁପୁତ୍ରକୁ ତୁରନ୍ତ ପହଞ୍ଚାଇବାକୁ ମୁଁ ଶତଚେଷ୍ଟା କରିଥିଲି। ହେଲେ ଭିଡ଼ ଏମିତି ହେଇଗଲା ଯେ ମୁଁ ବାଟ ପାଇଲିନି। ସେଥିପାଇଁ ବିଳମ୍ବ ହୋଇଗଲା। ମୁଁ ଆଉ କ’ଣ କରିପାରିଥାନ୍ତି ବୋଲି ସେ କହିଛନ୍ତି। କିନ୍ତୁ ଟ୍ରାଫିକ୍ ଡିସିପି ସାଗରିକାନାଥ ଏହାକୁ ମାନିବାକୁ ନାରାଜ। ସେ ଟ୍ବିଟ୍ କରି କହିଛନ୍ତି, ସକାଳ ୧୦ଟାରୁ ଦିନ ୧ଟା ଭିତରେ ନାଲ୍କୋ ଛକ ଦେଇ ୮ଟି ଆମ୍ବୁଲାନ୍ସ ଅତିକ୍ରମ କରିଥିଲା। ସିସିଟିଭି ଫୁଟେଜ୍ରେ କୌଣସି ଆମ୍ବୁଲାନ୍ସ ଫସି ନଥିବା ଆମେ ଦେଖିବାକୁ ପାଇଛୁ। ସେହିପରି କ୍ୟାପିଟାଲ ହସ୍ପିଟାଲରୁ ନାଲ୍କୋ ଛକ ୪୦ ମିନିଟ୍ର ରାସ୍ତା। କିନ୍ତୁ ମୃତ ଶିଶୁର ପରିବାରଲୋକ ଏହାକୁ ୧ଘଣ୍ଟା ବୋଲି କହିବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।