ଭୁବନେଶ୍ୱର ଅର୍ବାନ୍‌ ବ୍ୟାଙ୍କ ଜମାକାରୀଙ୍କୁ ଆଶା ଦେଖାଇଲେ

ଅଗଷ୍ଟରୁ ଆରମ୍ଭ ହେବ ଫେରସ୍ତ ପ୍ରକ୍ରିୟା, ଋଣ ନ ସୁଝିଲେ ଖିଲାପକାରୀଙ୍କ ବନ୍ଧକ ବ୍ୟାଜ୍ୟାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଅର୍ବାନ୍‌ ବ୍ୟାଙ୍କ ଜମାକାରୀଙ୍କୁ ପୁଣି ଆଶା ଦେଖାଇଛନ୍ତି ସରକାର। ସେମାନଙ୍କ ଜମା ଟଙ୍କା ଫେରିପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍‌ ଶୀଘ୍ର ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଏକ ଲକ୍ଷ ଟଙ୍କାରୁ କମ୍‌ ଜମା ରଖିଥିବା ଜମାକାରୀଙ୍କୁ ପ୍ରଥମେ ଜମା ଅର୍ଥ ଫେରାଇ ଦିଆଯିବ। ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ୩ ବର୍ଷ ତଳେ ବ୍ୟାଙ୍କ ସମ୍ପୂର୍ଣ୍ଣ ବନ୍ଦ ହେଲା ପରେ ହତାଶ ହୋଇ ପଡ଼ିଥିବା ଜମାକାରୀମାନଙ୍କ ମଧ୍ୟରେ ଏହି ଘୋଷଣା ପୁଣି ଆଶା ସଞ୍ଚାର କରିଛି। ଜମାକାରୀଙ୍କୁ ଆଶା ଦେଖାଇବା ସହ ସରକାର ଋଣ ଖିଲାପକାରୀଙ୍କୁ ବି ନାଲି ଆଖି ଦେଖାଇଛନ୍ତି। ତୁରନ୍ତ ଋଣ ନ ସୁଝିଲେ ସେମାନଙ୍କ ବନ୍ଧକ ବ୍ୟାଜ୍ୟାପ୍ତି ହେବ ବୋଲି ଧମକ ଦେଇଛନ୍ତି। ଅର୍ବାନ୍‌ ବ୍ୟାଙ୍କର ମୋଟ୍‌ ଜମାକାରୀଙ୍କ ସଂଖ୍ୟା ୭ ହଜାରରରୁ ଅଧିକ। ସରକାରଙ୍କୁ ମୂଳ ଜମା ଓ ସୁଧକୁ ମିଶାଇ ୩୨ କୋଟି ଟଙ୍କା ଫେରାଇବାକୁ ପଡ଼ିବ। ୧ ଲକ୍ଷରୁ କମ୍‌ ଅର୍ଥ ଜମା ରଖିଥିବା ଜମାକାରୀଙ୍କ ସଂଖ୍ୟା ପାଖାପାଖି ୬୫୦୦। ଏମାନଙ୍କ ମୋଟ୍‌ ଜମାର ପରିମାଣ ପ୍ରାୟ ୧୬ କୋଟି ଟଙ୍କା। ଏହି ଟଙ୍କାକୁ ପ୍ରଥମ ପର୍ଯ୍ୟାୟରେ ଫେରାଯିବ। ବର୍ତ୍ତମାନ ଅର୍ବାନ୍‌ ବ୍ୟାଙ୍କରେ ୨୦ କୋଟି ଟଙ୍କା ଗଚ୍ଛିତ ଥିବାରୁ ଫେରସ୍ତରେ ସମସ୍ୟା ହେବ ନାହିଁ ବୋଲି କୁହାଯାଉଛି।

ସେହିପରି ବ୍ୟାଙ୍କ ଋଣ ଗ୍ରହୀତାମାନଙ୍କ ଠାରୁ ପାଇବାକୁ ଅଛି ପ୍ରାୟ ୪୨ କୋଟି ଟଙ୍କା। ତାହା ମଧ୍ୟରୁ କିଛି ସଂଗ୍ରହ ହୋଇଥିଲା ବେଳେ ଏହି ପ୍ରକ୍ରିୟା ଜାରି ରହିବା ସହ ଋଣ ଖିଲାପକାରୀଙ୍କୁ ନୋଟିସ୍‌ ଜାରି କରାଯାଉଛି। ଏ ନେଇ କିଛି ମାମଲା ଭିଜିଲାନ୍ସ, କ୍ରାଇମ୍‌ବ୍ରାଞ୍ଚରେ ଚାଲିଛି। ତେଣୁ ବହୁ ଋଣ ଫାଇଲ୍‌ ତଦନ୍ତକାରୀ ସଂସ୍ଥା ପାଖରେ ଥିବା ସୂଚନା ମିଳିଛି। ମନ୍ତ୍ରୀ ଶ୍ରୀ ପାତ୍ର ଆଜି କହିଥିଲେ, ଅର୍ବାନ୍‌ ବ୍ୟାଙ୍କର ତତ୍‌କାଳୀନ ମ୍ୟାନେଜର୍‌ ଉଦୟ ନାଥ ସାହୁ ୨୧ଟି ଗୁରୁତ୍ୱପୂର୍ଣ୍ଣ ଋଣ ଫାଇଲ୍‌ ଗାଏବ୍‌ କରିଦେଇଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା। ସେ ଗିରଫ ହୋଇଥିଲେ। ପରେ ହାଇକୋର୍ଟରୁ ଜାମିନ୍‌ ପାଇଥିଲେ। ତାଙ୍କ ଜାମିନ୍‌ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା କରାଯିବ। ୨୦୦୦ ମସିହାରେ ଭୁବନେଶ୍ୱର ଅର୍ବାନ୍‌ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଲା। ତଥାପି କିଛି କିଛି କାରବାର ଚାଲିଥିଲା। ୨୦୦୬ ମସିହାରେ ଏହି ବ୍ୟାଙ୍କରେ ଜମା ସଂଗ୍ରହ ଉପରେ ରିଜର୍ଭ ବ୍ୟାଙ୍କ ରୋକ୍‌ ଲଗାଇଲେ। ଏହା ପରେ ଅର୍ବାନ୍‌ ବ୍ୟାଙ୍କ ସ୍ଥିତି ସଜାଡ଼ିବାକୁ ସରକାରୀ ସ୍ତରରେ ବହୁବାର ଉଦ୍ୟମ ହେଲା। ୨୦୦୭ରେ ସରକାର ୬ କୋଟି ଟଙ୍କା ଦେଇ ବ୍ୟାଙ୍କକୁ ସକ୍ରିୟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିଲା। ପରେ ପୁନେର କସ୍‌ମସ୍‌ ବ୍ୟାଙ୍କ ସହ ଅର୍ବାନ୍‌ ବ୍ୟାଙ୍କର ମିଶ୍ରଣ ନେଇ ପ୍ରକ୍ରିୟା ଆରମ୍ଭ ହେଲା। କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ। ୨୦୧୩ ମସିହାରେ ଚେନ୍ନାଇର ‘ଗଭର୍ନମେଣ୍ଟ୍‌ ଟେଲି-କମ୍ୟୁନିକେସନ୍‌ ଏମ୍ପ୍ଲଇଜ୍‌ କୋ-ଅପରେଟିଭ୍‌ ସୋସାଇଟି’ ସହ ବ୍ୟାଙ୍କର ମିଶ୍ରଣ ନେଇ ପ୍ରସ୍ତାବ ଦିଆଯାଇଥିଲେ ବି ଆର୍‌ବିଆଇ ତାହାକୁ ଗ୍ରହଣ କରି ନ ଥିଲା। ଶେଷରେ ୨୦୧୪ ଫେବ୍ରୁଆରି ୧୭ ତାରିଖରେ ଆର୍‌ବିଆଇ ଅର୍ବାନ୍‌ ବ୍ୟାଙ୍କର ପଞ୍ଜିକୃତ ଲାଇସେନ୍‌ସ ରଦ୍ଦ କରିଦେଲା। ୨୦୧୫ରେ ଆର୍‌ବିଆଇର ଗାଇଡ୍‌ଲାଇନ୍‌ ଅନୁଯାୟୀ ବନ୍ଦ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ସମବାୟ ନିବନ୍ଧକଙ୍କୁ ନିର୍ଦେଶ ଦେଲେ। ତାହା ପରେ ବ୍ୟାଙ୍କରେ ସବୁ ଦିନ ପାଇଁ ତାଲା ପଡ଼ିଗଲା। ବ୍ୟାଙ୍କ ବନ୍ଦ ହେଲା ପରେ ୬୦ରୁ ଅଧିକ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିଲା। ଏବେ ୟୁନିଟ୍‌-୩ସ୍ଥିତ ଅର୍ବାନ୍‌ ବ୍ୟାଙ୍କ କାର୍ଯ୍ୟାଳୟରେ ୭/୮ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସମ୍ଭବତଃ ଅଗଷ୍ଟ ମାସରୁ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର