ଭୂଦାନର ଗାଁ ‘ବରମୁଣ୍ଡା’ : ଇତିହାସର ଯୋଗନଦୀ ଏବେ ଅପଭ୍ରଂଶ ହୋଇ ଜୋକଲଣ୍ଡି

ବରମୁଣ୍ଡା ଗାଁକୁ ବାଦ୍‌ ଦେଇ ଭୁବନେଶ୍ବରର ଇତିହାସ ଲେଖା ଯାଇପା‌ରେନା। ତ୍ୟାଗ, ତିତିକ୍ଷା, ଦାନ ଓ ବଡ଼ପଣିଆରେ ଏ ଗାଁ କିମ୍ବା ଗ୍ରାମବାସୀଙ୍କୁ କେହି ବଳି ଯାଇପାରିବେନି। ୧୯୪୮ ମସିହା‌ରେ ରାଜଧାନୀ ମାନ୍ୟତା ପାଇବା ପରେ ଭୁବନେଶ୍ବରର କଳେବର ବୃଦ୍ଧି ତଥା ଯାବତୀୟ ବିକାଶମୂଳକ କାର୍ଯ୍ୟ ପାଇଁ ଗାଁର ଯୋଗଦାନ ସର୍ବାଗ୍ରେ। ବିଜୁ ପଟ୍ଟନାୟକ ବିମାନବନ୍ଦର, ଓୟୁଏଟି କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ରାଜ୍ୟ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ କେନ୍ଦ୍ର (ଓଫଡ୍ରା), ରାଜଧାନୀ ମହାବିଦ୍ୟାଳୟ ଆଦି ସବୁ ଏଇ ଗାଁର ମାଟିରେ ଠିଆ ହୋଇଛି। ବିକାଶ ପାଇଁ କେଉଁଠି ଚାଷ ଜମି ବଳି ପଡ଼ିଛି ତ କେଉଁଠି ଶ୍ମଶାନ-ଗୋଚର ଜମି। ତେଣୁ ଭୁବନେଶ୍ବର ସହର ପାଇଁ ଭୂଦାନରେ ଏହି ଗାଁକୁ ଏକ ନମ୍ବର ବୋଲି କୁହାଯାଏ।

ଇତିହାସ ଓ ଲୋକକଥାରେ ‘ଯୋଗନଦୀ’

‘ବରମୁଣ୍ଡା’ର ଅତୀତ ସଂପର୍କରେ ଇତିହାସ ଓ ଲୋକକଥା ଅଲଗା ଅଲଗା ଯୁକ୍ତି ବାଢ଼ନ୍ତି। କିନ୍ତୁ ଉଭୟଙ୍କ ଯୁକ୍ତିରେ ଗୋଟିଏ ସାମଞ୍ଜସ୍ୟ: ‘ଯୋଗନଦୀ’। ଇତିହାସ କହେ, ପୂର୍ବରୁ ଘଞ୍ଚ ଜଙ୍ଗଲଘେରା ଓଡ଼ିଶାରେ ଯୋଗାଯୋଗ ପାଇଁ ନଦୀ, ନାଳ ଉପରେ ବେଶି ଆଶ୍ରା କରାଯାଉଥିଲା। ସେ ସମୟରେ ଗମନାଗମନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପନଦୀ ‘ଯୋଗନଦୀ’ର ତଟବର୍ତ୍ତୀ ଜନପଦ ହେଉଛି ‘ବରମୁଣ୍ଡା’ ଗାଁ। ଚନ୍ଦକା ଜଙ୍ଗଲର ବଡ଼ଯୋରର ନାଳରୁ ଏହି ନଦୀ ସୃଷ୍ଟି ହୋଇଥିଲା। ପରେ ରାଜାରାଜୁଡ଼ା ଶାସନ ସମୟରେ ରାଜା ଗାଁରେ କ୍ଷତ୍ରିୟମାନଙ୍କୁ ଥଇଥାନ କରାଇଥିଲେ ବୋଲି ଐତିହାସିକମାନେ ଆକଳନ କରନ୍ତି। କିନ୍ତୁ କେଉଁ ରାଜାଙ୍କ ଅମଳରେ ହୋଇଥିଲା, ସେ ବାବଦରେ ଇତିହାସ ନିରବ। ଜନଶ୍ରୁତି କହେ, ଅର୍ଜୁନ ଗଛ ମୂଳରୁ ଉତ୍ପତ୍ତି ହୋଇଥିବା ନଦୀ କୂଳରେ ସାଧୁସନ୍ଥମାନେ ଯୋଗ-ତପସ୍ୟା କରୁଥିବାରୁ ତା’ ନାଁ ‘ଯୋଗନଦୀ’ ହୋଇଥିଲା। ସେଇଠି ଜଣେ ସାଧୁ ନିଜ ସାଧନା ବଳରେ ଈଶ୍ବରଙ୍କଠାରୁ ବର ପାଇଥିଲେ। ଈଶ୍ବରଙ୍କ ‘ବର’ (ଆଶୀର୍ବାଦ) ତାଙ୍କ ‘ମୁଣ୍ଡ’ ଉପରେ ଥିବାରୁ, ସେ ବସତି ସ୍ଥାପନ କରୁଥିବା ଜାଗାର ନାଁ ପରେ ‘ବରମୁଣ୍ଡା’ ହୋଇଛି।

ଯୋଗନଦୀର ଅପଭ୍ରଂଶ ନାମ ଜୋକଲଣ୍ଡି

ବର୍ତ୍ତମାନର ଜୋକଲଣ୍ଡିର ପ୍ରକୃତ ନାଁ ହେଉଛି ଯୋଗନଦୀ। ବ୍ରିଟିସ୍‌ ଶାସନ ସମୟରେ କାଗଜପତ୍ରରେ ଏହାକୁ ଜୋକଲଣ୍ଡି କରି ଦିଆଯାଇଥିଲା। ତାହା ଆଜି ପର୍ଯ୍ୟନ୍ତ ସଂଶୋଧନ ହୋଇପାରିନାହିଁ। ଗାଁ ଲୋକଙ୍କ କହିବା କଥା, ଏଇ ଯୋଗନଦୀ କୂଳରେ ସାଧୁସନ୍ଥମାନଙ୍କ ଆଶ୍ରମ ଗଢ଼ି ଉଠିଥିଲା। ଏବେ ବି ସେ ଆଶ୍ରମ ଅଛି। ଗାଁର ଯୁବକ/ ଯୁବତୀମାନେ ସେହି ମଠରେ ବିବାହ ପୂର୍ବରୁ ଗୁରୁନାମ ନିଅନ୍ତି। ଏବେ ବି ସେ ପ୍ରଥା ବଞ୍ଚି ରହିଛି।

ରାଜପଥ କଡ଼ରେ ମା’ କାଳୀଖାଇ

ଗାଁର ଇଷ୍ଟଦେବ ପ୍ରଭୁ ନୀଳକଣ୍ଠେଶ୍ବର ଓ ଇଷ୍ଟଦେବୀ ମା’ ମଙ୍ଗଳା। ଜାତୀୟ ରାଜପଥ କଡ଼ରେ ଥିବା ମା’ କାଳୀଖାଇ (କାଳୀମନ୍ଦିର) ହେଉଛନ୍ତି ଏହି ଗାଁର ପୁରାତନ ବିଗ୍ରହ। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଦ୍ବାରା ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର, ସାଇ ମନ୍ଦିର ଆଦି ନିର୍ମାଣ କରାଯାଇଛି।

ପଥର ଖଣିରେ ରୁଚିକା ମାର୍କେଟ୍‌

eBhubaneswar

୧୯୫୨ ମସିହାରେ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପାଇଁ ସରକାର ଗାଁର ୯ଶହ ଏକର ଚାଷ ଜମି ନେଇ ଯାଇଥିଲେ। ୧୯୬୨ରେ ଏହି ଗାଁର ୭୦ ପ୍ରତିଶତ ଚାଷ ଜମିରେ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ମାଣ ହୋଇଥିଲା। ପରେ ୧୯୭୩ରେ ରାଜ୍ୟ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ କେନ୍ଦ୍ର ଓ ରାଜଧାନୀ ମହାବିଦ୍ୟାଳୟ ଗାଁର ଶ୍ମଶାନ ଜମିରେ ଗଢ଼ି ଉଠିଛି। ୧୯୮୫ ମସିହାରେ ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ ମଧ୍ୟ ଏହି ଗାଁ ଜମିକୁ ସରକାର ନେଇଥିଲେ। ସିଆରିପିଏଫ୍ କ୍ୟାମ୍ପସ୍ ଓ ଏକାମ୍ର କାନନର କିଛି ଅଂଶ ମଧ୍ୟ ଏହି ଗାଁର ଜମିରେ ହୋଇଛି। ଓୟୁଏଟି ଲୋକଙ୍କ ଚାଷ ଜମି ନେଇଯିବା ପରେ ଚଳିବାରେ ଲୋକଙ୍କ ଅସୁବିଧା ହେଲା। ତେଣୁ କିଛି ଲୋକ ବର୍ତ୍ତମାନ ରୁଚିକା ମାର୍କେଟ୍‌ ହୋଇଥିବା ସ୍ଥାନରୁ ପଥର କାଟି ଓ ମୋରମ୍‌ ତାଡ଼ି ବିକ୍ରି କରି ଚଳିଲେ। ବସଷ୍ଟାଣ୍ଡ୍‌ ହେବା ପରେ ଧୀରେଧୀରେ ଲୋକ ବ୍ୟବସାୟ ଓ ଚାକିରି କରି ସ୍ବାବଲମ୍ବୀ ହେଲେ।

ଖେଳ ପଡ଼ିଆରେ ଛିଡ଼ା ହୋଇଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ

The New Indian Express

ଯେଉଁ ସ୍ଥାନରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ଠିଆ ହୋଇଛି, ସେଇଟା ୧୫ ଏକରର ଏକ ବିରାଟ ଖେଳପଡ଼ିଆ ଥିଲା। ସେଠି ଏକ ଅସ୍ଥାୟୀ ସ୍କୁଲ ଘର ବି ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏ ବସଷ୍ଟାଣ୍ଡ୍‌ର ନିଅଁ ପକାଇଥିବା ବେଳେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ତାକୁ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଗ୍ରାମବାସୀ ଖେଳପଡ଼ିଆ ପାଇଁ ବିଜୁ ବାବୁଙ୍କୁ ଗୁହାରି କରିବାରୁ କାଳୀଖାଇ ମନ୍ଦିର ପାଖରେ ୭ ଏକର ଜାଗାକୁ ଖେଳ ପଡ଼ିଆ କରାଯାଇଥିଲା। ତାଙ୍କରି ନାମରେ ତାହା ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଭାବେ ଜଣାଶୁଣା। ଏ ପଡ଼ିଆର ମାଲିକାନା ଏବେ କ୍ରୀଡ଼ା ବିଭାଗ ଅଧୀନକୁ ଚାଲି ଯାଇଛି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନୂଆପଲ୍ଲୀରୁ ଜାଗମରା ଯାଏ

ଗାଁର ପରିସୀମା ଶିରିପୁରଠାରୁ ଆରମ୍ଭ ହୋଇ ନୂଆପଲ୍ଲୀ, ସିଆର୍‌ପି ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେପଟେ ଏକାମ୍ରକାନନ, କଳିଙ୍ଗ ଷ୍ଟୁଡିଓ ଛକ, ଖଣ୍ଡଗିରି ପାହାଡ଼ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ସେହିଭଳି ଜାଗମରା ଗାଁ ପର୍ଯ୍ୟନ୍ତ ଏହାର ପରିସୀମା, ଏବେ ବି ସରକାରୀ ନକ୍ସାରେ ରହିଛି। ପ୍ରଧାନସାହି, ପାଇକରାୟସାହି, ପରିଡ଼ାସାହି, ବେହେରାସାହି, ସ୍ବାଇଁସାହି, ମହାରଣାସାହି ଭଳି ଗାଁରେ ମୋଟ ୧୦ଟି ସାହି ରହିଛି। ଏଥିରେ ୬୦ ଭାଗ ଖଣ୍ଡାୟତ ଥିବା ବେଳେ ୪୦ଭାଗ ଅନ୍ୟ ଜାତିର।

ପେଟ୍ରୋମାକ୍ସ ଲାଇଟ୍‌ ଆଲୁଅରେ ଶଗଡ଼ ଚାଲେ

ଅକ୍ଷୟ ତୃତୀୟା ସମୟରେ ୧୦ ଦିନ ଧରି ବାଦିପାଲା, ଗାଁର ମୁଖ୍ୟପର୍ବ। ପୂର୍ବରୁ ଏହା ୨୧ ଦିନ ହେଉଥିଲା। ପାଲା ଦେଖିବାକୁ ଆଖପାଖ ଗାଁରୁ ଲୋକମାନେ ଶଗଡ଼ ଓ ପେଟ୍ରୋମାକ୍ସ ଲାଇଟ୍ ଧରି ଆସୁଥିଲେ। ପରବର୍ତ୍ତୀ ସମୟରେ ପାଲାରୁ ଲୋକଙ୍କ ଆଗ୍ରହ କମିଯିବାରୁ ଏବେ ୧୦ ରାତି ହେଉଛି। ପାଲା ଦେଖିବା ପାଇଁ କେବଳ ହାତଗଣତି କିଛି ପୁରୁଖା ଲୋକମାନଙ୍କୁ ସେଠାରେ ଦେଖିବାକୁ ମିଳୁଛି। ସେହିଭଳି ଶିବରାତ୍ରୀ ସମୟରେ ନୀଳକଣ୍ଠେଶ୍ବର ମନ୍ଦିରରେ ୫ଦିନ ଧରି ଯଜ୍ଞ ହେଉଛି। ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହାସହ କାଳୀପୂଜାରେ କାଳୀଖାଇ ମନ୍ଦିରରେ ମଧ୍ୟ ଯଜ୍ଞ ହେଉଛି। ରୁକ୍ମିଣୀ ବିବାହ ତିଥିରେ ଯୋଗନଦୀ ମଠରେ ଯଜ୍ଞ ହେଉଛି।

କାଞ୍ଜି ପାଣିରେ ଭଲ ହେଉଥିଲା ରୋଗ

ପୂର୍ବରୁ ଲୋକମାନଙ୍କ ଦେହ ବିଶେଷ ଖରାପ ହେଉ ନଥିଲା। ଯାହା ଛୋଟମୋଟ ରୋଗ‌ ବୈରାଗ ହେଉଥିଲା, ସେମାନେ ଡାକ୍ତରଙ୍କ ପାଖକୁ ଯାଉ ନଥିଲେ। ଯୋଗନଦୀ କୂଳରେ ଥିବା ସାଧୁଙ୍କ କାଞ୍ଜି ପାଣିରେ ରୋଗ ଭଲ ହୋଇଯାଉଥିଲା ବୋଲି ଲୋକଙ୍କ ବିଶ୍ବାସ।

ପ୍ରଥମେ ପ୍ରତିଷ୍ଠା ହୋଇଥିଲା ସୁଗାରକେନ୍ କଲୋନି

ଓୟୁଏଟି କର୍ମଚାରୀଙ୍କ ରହିବା ପାଇଁ ଗାଁରେ ପ୍ରଥମେ ସୁଗାରକେନ୍‌ କଲୋନି ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଗାଁର କିଛି ବଳକା ଚାଷ ଜମିରେ ନାବାର୍ଡ କଲୋନି, ବରମୁଣ୍ଡା ହାଉସିଂବୋର୍ଡ, ଜଗନ୍ନାଥ ବିହାର ଓ ଏକାଧିକ ଆପାର୍ଟମେଣ୍ଟ ଗଢ଼ି ଉଠିଥିଲା।

ଓୟୁଏଟିରେ ଚାଷ କରୁଥିଲେ ଗଞ୍ଜାମ ଚାଷୀ

ଓୟୁଏଟିରେ ସେତେବେଳେ ଆଖୁ, ଧାନ, କପା, ଆଳୁ ଆଦି ବିଭିନ୍ନ ଚାଷ ହେଉଥିଲା। ଚାଷ କରିବାକୁ ସରକାରୀ ଦରରେ ଦିନକୁ ମାତ୍ର ବାରଅଣା ମଜୁରି ମିଳୁଥିଲା। ଏତେ କମ୍‌ ମଜୁରି ପାଇଁ ଗାଁ ଲୋକ ସେଠି କାମ କରିବାକୁ ମଙ୍ଗୁ ନଥିଲେ। ସେଥିପାଇଁ ଗଞ୍ଜାମରୁ କିଛି ଲୋକ ଆସି ସେଠି ଚାଷ କାମ କଲେ। ୭୦ ମସିହାରେ ସେମାନେ ମାଣ୍ଡିଆସାହି କରି ରହିଥିଲେ। ଏବେ ବି ସେ ସାହି ରହିଛି।

ରାସ୍ତାରୁ ମାଛ ଧରୁଥିଲେ ଗାଁ ଲୋକ

୬୦ ବର୍ଷ ତଳେ ଗାଁସାରା ସବୁ ଘର ଚାଳ ଥିଲା। ଅଚ୍ୟୁତ ପାଇକରାୟ ପ୍ରଥମେ କଡ଼ିବରଗା ଛାତଘର କରିଥିଲେ। ଗାଁ ରାସ୍ତା ବି ଅଣଓସାରିଆ ଓ ଖାଲୁଆ ଥିଲା। ଚତୁର୍ମାସ୍ୟାରେ ଗାଁ ରାସ୍ତାରେ ଝର ପଡ଼ୁଥିଲା। ପ୍ରବଳ ମାଛ ହେଉଥିଲେ। ଗାଁ ଲୋକ ସେଇଝରରୁ ମାଛ ଧରୁଥିଲେ।

ଜାଗମରା ପଞ୍ଚାୟତ ଅଧୀନରେ ଥିଲା ବରମୁଣ୍ଡା

ସେତେବେଳେ ବରମୁଣ୍ଡା ଜାଗମରା ପଞ୍ଚାୟତ ଅଧୀନରେ ଆସୁଥିଲା। ସରପଞ୍ଚ ଥିଲେ ଯଦୁମଣି ସ୍ବାଇଁ। ପୌରପରିଷଦ ଗଠନ ହେବା ପରେ ତ୍ରିଲୋଚନ ପ୍ରଧାନ ପ୍ରଥମ କାଉନସିଲର୍ ହେଲେ। ମହାନଗର ନିଗମ ମାନ୍ୟତା ପାଇବା ପରେ ପ୍ରଥମ କର୍ପୋରେଟର୍‌ ହେଲେ ହେମନ୍ତ କୁମାର ସ୍ବାଇଁ।

ଓୟୁଏଟି ଭିତରେ ଥିଲା ପାଦଚଲା ରାସ୍ତା

www.ouat.nic.in

ଓୟୁଏଟି ଭିତରେ ଏକ ପାଦଚଲା ରାସ୍ତା ଥିଲା। ଲୋକମାନେ ସେହି ରାସ୍ତା ଦେଇ ସେତେବେଳେ ବଜାର କରିବା ପାଇଁ ଲିଙ୍ଗରାଜ ହାଟକୁ ଯାଉଥିଲେ। ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ଭୟରେ ରାତି ପୂର୍ବରୁ ସେମାନେ ଫେରି ଆସୁଥିଲେ।

(ଐତିହାସିକ ପୃଷ୍ଠଭୂମିକୁ ନେଇ ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମତ ରଖିଥିବା ବେଳେ ଗାଁର ପୁରୁଖା ଲୋକ ପ୍ରହଲ୍ଲାଦ ରାଉତରାୟ, ଚକ୍ରଧର ପ୍ରଧାନ, ଦେବେନ୍ଦ୍ର ମାର୍ଥା ଓ କର୍ପୋରେଟର ରାମ ରଣସିଂହ ଗାଁର ୫୦-୬୦ ବର୍ଷ ତଳର ଅତୀତ ବିଷୟରେ ସୂଚନା ଦେଇଛନ୍ତି)

ସମ୍ବନ୍ଧିତ ଖବର