ଭୁବନେଶ୍ୱର : ମଣିଷକୁ ମନୁଷତ୍ବ ଶିଖାଇବା ଥିଲା ଗୌତମ ବୁଦ୍ଧଙ୍କ ପ୍ରଧାନ ଲକ୍ଷ୍ୟ। ସେ ସମାଜରେ ଥିବା ଜାତିଭେଦକୁ ଦୂର କରି ସମାନତା ରଖିବାକୁ ସର୍ବଦା ଚେଷ୍ଟା କରୁଥିଲେ। ଏପରିକି ବାବା ସାହେବ ଆମ୍ୱେଦକର ମଧ୍ୟ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅସୀମ ଉଦ୍ୟମ କରିଥିଲେ। ମହାବୋଧି ସୋସାଇଟି ଅଫ୍‌ ଇଣ୍ଡିଆ, ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ବୁଦ୍ଧ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଵ‌ଲେ।

Advertisment

ଏହି ଅବସରରେ ସେ ମନ୍ଦିର ପରିସରରେ ଥିବା ମହାବୋଧି ଶାନ୍ତିସ୍ତୂପର ଶିଳାନ୍ୟାସ କରିଥିଲେ। ସେହିପରି ସଂଧ୍ୟା ଅଧିବେଶନରେ ଓଡ଼ିଶା ମାନବାଧିକାର କମିସନର ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାହାରୀ ଯୋଗଦେଇ ଭଗବାନ ବୁଦ୍ଧଙ୍କ ମାହତ୍ମ୍ୟ ଉପରେ ଆଲୋଚନା କରିଥିଲେ। ସମସ୍ତେ ବୁଦ୍ଧଙ୍କ ମାର୍ଗ ଅନୁସରଣ କଲେ, ସମାଜରେ ଶାନ୍ତି ଓ ଭାଇଚାରା ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ। ଉଭୟ କାର୍ଯ୍ୟକ୍ରମରେ ଓଡ଼ିଶା ଶାଖାର ସଭାପତି ନରେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରି ବୁଦ୍ଧଙ୍କ ଜୀବନ କାଳ ଓ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ଶାଖା ସଂପାଦକ ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସିଦ୍ଧାର୍ଥ ପଣ୍ଡା, ନମ୍ରତା ଚଢ଼ା, ଜଗବନ୍ଧୁ ଜେନା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।