ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ଼

ସମ୍ବଲପୁର : ବୁଧବାର ସନ୍ଧ୍ୟାରେ ଟାଉନ୍‌ ଥାନା ଅନ୍ତର୍ଗତ ସେନ୍‌ପାର୍କ ସମ୍ମୁଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଭୁଜାଲି ମାଡ଼ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଧନୁପାଲି ଥାନା ଜିଲ୍ଲା ସ୍କୁଲ ଛକର ଶେଖ୍‌ ଇମରାନ୍‌(୨୦)। ଇମରାନ୍‌ଙ୍କ ଡାହାଣ ପଟ ପେଟରେ ଗଭୀର ଆଘାତ ଲାଗିଥିବା ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଲେଖାହେବା ଯାଏ ଇମ୍‌ରାନଙ୍କୁ ଅସ୍ତ୍ରୋପଚାର ଗୃହରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ଟାଉନ୍‌ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଇମ୍‌ରାନ ସେନ୍‌ପାର୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଉକ୍ତ ଅଞ୍ଚଳର କିଛି ଯୁବକ ଆସି ସେଠାରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ଘଟଣାସ୍ଥଳରେ ଥିବା ଯୁବକମାନେ ସଂଘବଦ୍ଧ ଭାବେ ଇମ୍‌ରାନ୍‌ଙ୍କୁ ମାଡ଼ ମାରିବା ସହ ଭୁଜାଲି ମାଡ଼ କରି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଇମ୍‌ରାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର