ଭୂପେନ୍ଦ୍ର ସିଂ ପୁନିଆ ଯୁକ୍ତ ୨ ପରିଷଦର ନୂତନ ଅଧ୍ୟକ୍ଷ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଉତ୍ତରଖାତା ମୂଲ୍ୟାୟନ ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପରିଷଦ ଅଧ୍ୟକ୍ଷ ବଦଳିଛନ୍ତି। ଦୀର୍ଘ ଅଢ଼େଇ ବର୍ଷ ଧରି ପରିଷଦର ଅଧ୍ୟକ୍ଷ ରହିଥିବା ଅମରେନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଶ୍ରୀ ପଟ୍ଟନାୟକଙ୍କ ଅବସର ପରେ ତାଙ୍କ ସ୍ଥାନରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଆଇଏଏସ୍‌ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ସୋମବାର ସେ କାର୍ଯ୍ୟରେ ଯୋଗଦେବେ।

ନୂତନ ଦାୟିତ୍ବ ମିଳିବା ନେଇ ଶ୍ରୀ ପୁନିଆ କହିଛନ୍ତି ଯେ ଯୁକ୍ତ୨ ଖାତା ମୂଲ୍ୟାୟନ ଓ ବାକି ଥିବା ପରୀକ୍ଷା କରାଇବା ଆମ ପାଇଁ ବଡ଼ ଆହ୍ବାନ ରହିବ। ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏଥିପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ନିୟମ ଓ କଟକଣାକୁ ପାଳନ କରି ଛାତ୍ରଛାତ୍ରୀଙ୍କୁ କିପରି ଖୁବ୍‌ଶୀଘ୍ର ପରୀକ୍ଷା ଫଳ ଦେଇପାରିବୁ, ତାହା ଆମର ପ୍ରଥମ ଲକ୍ଷ୍ୟ ରହିବ। ସୋମବାର କାର୍ଯ୍ୟରେ ଯୋଗଦେବା ପରେ ଅଧିକ କିଛି କହିପାରିବି।

ସୂଚନାଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ୨୦୧୭ ଅକ୍ଟୋବରରେ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ବରେ ଦୁଇଟି ଯୁକ୍ତ୨ ପରୀକ୍ଷା ଶେଷ ହୋଇଥିବା ବେଳେ ଚଳିତଥର ପରୀକ୍ଷା ଅଧା ରହିଛି। ଆଜି ରବିବାର ଛୁଟି ଥିବାରୁ ଗତକାଲି ଶ୍ରୀ ପଟ୍ଟନାୟକଙ୍କୁ ପରିଷଦ କାର୍ଯ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ପରିଷଦର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର