ଭବାନୀପାଟଣା: ପୂର୍ବତନ ବିରୋଧୀଦଳ ନେତା ଭୂପିନ୍ଦର ସିଂହ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବର୍ତ୍ତମାନ ବିଜେଡିରେ କୋଣଠେସା ହେବା ପରେ କଂଗ୍ରେସ ଶିବିରକୁ ପୁଣି ଫେରିବେ କି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ୨୦୧୪ ମସିହାରେ କଂଗ୍ରେସର ବିରୋଧୀଦଳ ନେତା ଥାଇ ଭୂପିନ୍ଦର ଅଚାନକ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ ବିଜେଡିରୁ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ। ଏହାପରେ ୨୦୧୯ ମସିହାରେ ବିଜେଡି ଟିକଟରେ ନର୍ଲା ବିଧାନସଭା ଆସନରୁ ବିଧାୟକ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲେ। କିନ୍ତୁ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଏକରକମ କୋଣଠେସା କରି ରଖାଯାଇଥିଲା। ଏପରିକି ୨୦୨୪ ନିର୍ବାଚନରେ ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ତାଙ୍କୁ ବାଦ୍ ଦେଇ ନବାଗତ ମନୋରମା ମହାନ୍ତିଙ୍କୁ ଟିକଟ ଦେଇଥିଲା ବିଜେଡି। ଏହି ନିର୍ବାଚନରେ ମନୋରମା ମହାନ୍ତି ବିଧାୟିକା ଭାବରେ ନିର୍ବାଚିତ ମଧ୍ୟ ହୋଇଥିଲେ। ୨୦୨୪ ନିର୍ବାଚନରେ ଭୂପିନ୍ଦର ସିଂହଙ୍କୁ ଦଳୀୟ ଟିକଟ ନ ଦେଇ କଣ୍ଟାବାଞ୍ଜିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲା।
ଏହି ଆସନରେ ନବୀନ ବିଜେପିର ଲକ୍ଷ୍ମଣ ବାଗଙ୍କଠାରୁ ପରାଜିତ ହୋଇଥିଲେ। ଫଳରେ ନିର୍ବାଚନ ପରେ ଭୂପିନ୍ଦର ଦଳରେ ଏକପ୍ରକାର ଅଲୋଡ଼ା ହୋଇ ପଡ଼ିଥିଲେ। ବର୍ତ୍ତମାନ ବିଜେଡିର ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଥିବାବେଳେ ଭୂପିନ୍ଦରଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଜଣେ ପୁରୁଖା ନେତାଙ୍କୁ ଏଭଳି ଅଣଦେଖା କରାଯିବା ନେଇ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ କଂଗ୍ରେସର ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ତାଙ୍କ ସମର୍ଥକମାନେ କଂଗ୍ରେସ ପ୍ରତି ଆଗ୍ରହ ଦେଖାଉଛନ୍ତି। ବର୍ତ୍ତମାନ ବିଜେଡିରେ ଅଣଦେଖା ହେଉଥିବା ଭୂପିନ୍ଦରଙ୍କ ଘରବାହୁଡ଼ା ପାଇଁ କଂଗ୍ରେସ ମଧ୍ୟ ପ୍ରୟାସ ଆରମ୍ଭ କରିଛି। କିଛିଦିନ ତଳେ ଭୂପିନ୍ଦର କଂଗ୍ରେସକୁ ଯିବା କଥାକୁ ଏଡ଼ାଇ ଯାଇଥିଲେ ମଧ୍ୟ ପରୋକ୍ଷରେ ସେଭଳି କିଛି ଇସାରା ଦେଇଥିଲେ। ରାଜନୀତିରେ ତାଙ୍କର ଆଇପିଏଲ୍ କ୍ରିକେଟର୍ ଭଳି ଫର୍ମ ଥିବାରୁ ଉଭୟ ବିଜେପି ଓ କଂଗ୍ରେସ ନିଶ୍ଚିତ ଭାବେ ଭଲ ଖେଳାଳିଙ୍କୁ ନେବାକୁ ଆଗ୍ରହୀ ହେବେ ବୋଲି କହିଥିଲେ। ଏହି ମତାମତ ପରେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବର୍ତ୍ତମାନ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସର ପୁନର୍ଗଠନ ଚାଲିଛି। ଉଭୟ ନେତା କଳାହାଣ୍ଡି ଜିଲ୍ଲାର ହୋଇଥିବା ଯୋଗୁ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ଆଗକୁ ଭୂପିନ୍ଦର କେଉଁ ଦଳ ଆଡ଼କୁ ମୁହାଁଉଛନ୍ତି, ତାହା ଉପରେ ସଭିଙ୍କ ନଜର ରହିଛି।