ଆଜି ସ୍ଥିର ହେବ ଭୂଷଣର ଭାଗ୍ୟ

ସମ୍ବଲପୁର : ଶୁକ୍ରବାର ଦିନ ଠେଲ୍‌କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌ କାରଖାନାର ଭାଗ୍ୟ ନିର୍ଦ୍ଧାରଣ ହୋଇଯିବ। ନେସ୍‌ନାଲ କଂପାନି ଲ’ ଟି୍ରବ୍ୟୁନାଲ(ଏନ୍‌ସିଏଲ୍‌ଟି) ଲିବର୍ଟି ହାଉସର ଆବେଦନ ଉପରେ ଶୁକ୍ରବାର ଦିନ ଚୂଡ଼ାନ୍ତ ରାୟ ଦେବା ପରେ କିଏ ଭୂଷଣ ଅକ୍ତିଆର କରିବ, ତାହା ସ୍ପଷ୍ଟ ହୋଇଯିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିିଛି।

ସଂଜୟ ସିଂଘଲଙ୍କ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର ୩୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ରହିଛି। ଋଣ ଅର୍ଥ ଅସୁଲି ପାଇଁ ନେସ୍‌ନାଲ କଂପାନି ଲ’ ଟି୍ରବ୍ୟୁନାଲ(ଏନ୍‌ସିଏଲ୍‌ଟି) ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଅକ୍ତିଆର କରିବା ପାଇଁ ପ୍ରଥମେ ଦୁବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ବେଦାନ୍ତ, ଆର୍ସେଲର ମିତ୍ତଲ, ଟାଟା ଷ୍ଟିଲ, ଜେଏସ୍‌ଡବ୍ଲ୍ୟୁ, ଆୟନ କେପିଟାଲ, ଇଡେଲଓ୍ଵିସ ଆସେଟ୍‌ ରିକନ୍‌ଷ୍ଟ୍ରକ୍ଟସନ, ଲିବର୍ଟି ହାଉସ କଂପାନି ଆଦି ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ। ତେବେ ୮ ଫେବ୍ରୁଆରି ହୋଇଥିବା ଚୁଡ଼ାନ୍ତ ନିଲାମରେ କେବଳ ଜେଏସ୍‌ଡବ୍ଲ୍ୟୁ ଓ ଟାଟା ଷ୍ଟିଲ ହିଁ ନିଲାମ ପେପର ଦାଖଲ କରିଥିଲେ। ଟାଟା ଷ୍ଟିଲ ପକ୍ଷରୁ ୨୪ ହଜାର କୋଟି ଟଙ୍କାର ଏକ ଯୋଜନା ଦାଖଲ କରାଯାଇଛି। ଏଥିରୁ ୧୭ ହଜାର କୋଟି ଟଙ୍କା ଋଣ ପରିଶୋଧ ଏବଂ ୭ହଜାର କୋଟି ଟଙ୍କା କର୍ମଚାରୀଙ୍କ ଦରମା ଓ ଅନ୍ୟ କଂପାନି ପରିଚାଳନା ଖର୍ଚ ପାଇଁ ପ୍ରସ୍ତାବ ଦେଇଛି।

ଅକ୍ତିଆର ଦୌଡ଼ରେ ଜେଏସ୍‌ଡବ୍ଲ୍ୟୁକୁ ଟାଟା ଷ୍ଟିଲ ପଛରେ ପକେଇ ଦେଇଥିବା କୁହାଯାଇଛି। ତେବେ ଟାଟା ଷ୍ଟିଲର କେତେକ ସର୍ତ୍ତ ଉପରେ ଗତ ୨୨ ଫେବ୍ରୁଆରି ଦିନ କମିଟି ଅଫ୍‌ କ୍ରେଡିଟର୍ସ(ସିଓସି) ଆପତ୍ତି ଉଠାଇ ଥିଲେ। ସର୍ତ୍ତାବଳୀ ସଂଶୋଧନ କରି ୭ ଦିନ ମଧ୍ୟରେ ପୁନଃ ଆବଦେନ କରିବାକୁ ସିଓସି ପ୍ରସ୍ତାବ ଦେଇଥିଲେ। ଏଥିସହିତ ବିଳମ୍ବ ଯୋଗୁଁ ଇଂଲଣ୍ଡର ଲିବର୍ଟି ହାଉସର ଆବେଦନକୁ ସିଓସି ଖାରଜ କରି ଦେଇଥିଲା। ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର ଚୂଡ଼ାନ୍ତ ନିଲାମରେ ଭାଗ ନେବା ପାଇଁ ୮ଫେବ୍ରୁଆରି ଶେଷ ତାରିଖ ରହିଥିଲା। ମାତ୍ର ଲିବର୍ଟି ହାଉସ୍‌ ଶେଷ ତାରିଖ ବହୁ ପରେ ନିଜ ସଂପୂର୍ଣ୍ଣ ଆବେଦନ ଦାଖଲ କରିଥିଲା। ସିଓସି ଆବେଦନ ଖାରଜ କରିବା ପରେ ଲିବର୍ଟି ହାଉସ ପୁନର୍ବିଚାର ପାଇଁ ଏନ୍‌ସିଏଲ୍‌ଟିର ଦ୍ୱାରସ୍ଥ ହୋଇଥିଲା। ଏନ୍‌ସିଏଲ୍‌ଟିରେ ଲିବର୍ଟି ହାଉସର ଆବଦେନ ଉପରେ ଆଜି ଶୁଣାଣି ହୋଇଥିଲେହେଁ ତାହା ଚୂଡ଼ାନ୍ତ ହୋଇପାରିନଥିଲା। ଏନ୍‌ସିଏଲ୍‌ଟି ଆସନ୍ତାକାଲି ନିଜ ଫଇସଲା ଶୁଣାଇବେ ବୋଲି ଜଣାପଡ଼ିଛି। ଏହା ପରେ ଗତ ୨୦୦୫ ମସିହାରେ ୧୭ଶହ ଏକର ଜମିରେ ସ୍ଥାପିତ ହୋଇଥିବା ୩ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା ରହିଥିବା ଏହି କାରଖାନାର ନିଲାମ ବାଜି କିଏ ଜିତିବ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର