ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଠେଲ୍କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଟ ଷ୍ଟିଲ୍ ଲିମିଟେଡ ବିକ୍ରି ହେବ। ଟାଟା ଷ୍ଟିଲ୍ର ପରିଚାଳନା ନିର୍ଦେଶକ ଟି.ଭି.ନରେନ୍ଦ୍ରନଙ୍କ ନେତୃତ୍ୱରେ ଏକ ୨୫ଜଣିଆ ଟିମ୍ ସୋମବାର ଭୂଷଣ କାରଖାନା ନିରୀକ୍ଷଣ କରିଛନ୍ତି। ପରିଚାଳନା ନିର୍ଦେଶକ ଶ୍ରୀ ନରେନ୍ଦ୍ରନ ଓ ଅନ୍ୟ ୪ ଜଣ ବରିଷ୍ଠ ଅଧକାରୀ ଏକ ସ୍ୱତନ୍ତ୍ର ବିମାନରେ ହୀରାକୁଦ ଏୟାରଷ୍ଟ୍ରିପ୍(ଜମାଦାରପାଲି)ରେ ଓହ୍ଲାଇଥିଲେ। ସେଠାରୁ କାର୍ ଯୋଗେ ଠେଲ୍କୁଲି ଯାତ୍ରା କରିଥିଲେ। ତେବେ ଅନ୍ୟ ୨୦ଜଣ ଅଧିକାରୀ ଟ୍ରେନ୍ ଯୋଗେ ରବିବାର ଦିନ ସମ୍ବଲପୁରରେ ପହଂଚି ଯାଇଥିଲେ।
ଟାଟା ଷ୍ଟିଲ୍ର ଏହି ଟିମ୍ ଭୂଷଣ କାରଖାନାର ପ୍ରଶାସନିକ ଭବନ, ଟାଉନ୍ସିଫ୍, କାରଖାନାର ଏସଏମ୍ଏସ୍, ସିଆର୍ଏମ୍,ଓ୍ଵାୟାର ରଡ୍ ମିଲ୍, ୮ଟି ଯାକ କିଲନ୍, ବ୍ଲାଷ୍ଟ ଫର୍ନେସ, ପାଓ୍ଵାର ପ୍ଲାଣ୍ଟ ଆଦି ସମଗ୍ର ଅଂଚଳ ଦିନ ସାରା ବୁଲିଥିଲେ। ଠେଲ୍କୁଲି, କୋଲ୍କାତା, ଚଣ୍ଡିଗଡ଼ ଆଦି ସ୍ଥାନରେ ଭୂଷଣ କଂପାନିର କାରଖାନା ରହିଥିବା ବେଳେ ଏହା ନାମରେ ୩୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ରହିଛି। କଂପାନି ଋଣ ପରିଶୋଧ କରିବାରେ ବିଫଳ ହୋଇଥିବାରୁ ନେସ୍ନାଲ କଂପାନି ଲ ଟି୍ରବ୍ୟୁନାଲ(ଏନ୍ସିଏଲ୍ଟି) ଋଣ ଆଦାୟ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏନ୍ସିଏଲ୍ଟି କିଛି ମାସ ତଳେ ବ୍ୟାଙ୍କ ଅଧିକାରୀଙ୍କୁ ଭୂଷଣ କାରଖାନାର ସଂପତ୍ତି ଆକଳନ କରିବାକୁ ଠେଲ୍କୁଲି ପଠାଇଥିଲା। ବ୍ୟାଙ୍କର ଟିମ୍ ଭୂଷଣ କାରଖାନାର ସଂପତ୍ତି ମଧ୍ୟ ଆକଳନ କରିବା ସହ ଖର୍ଚ କାଟ କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
୩ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନା(ଟାଉନସିପ୍ ସମେତ) ପାଖାପାଖି ୧୭ଶହ ଏକର ଜମିରେ ୨୦୦୫ ମସିହାରେ ସ୍ଥାପିତ ହୋଇଥିଲା। କଞ୍ଚାମାଳ ଅଭାବ ଯୋଗୁଁ କ୍ଷମତା ମୁତାବକ ଉତ୍ପାଦନ ହୋଇପାରିନଥିବା ବେଳେ ଏପଟେ ଋଣ କାରଖାନାର ଅବସ୍ଥା ଦୟନୀୟ ହୋଇଯାଇଥିଲା। ଅପରପକ୍ଷରେ ଚଣ୍ଡୀଗଡ଼ସ୍ଥିତ କାରଖାନାକୁ ମିତ୍ତଲ ଗ୍ରୁପ୍ କିଣିବାକୁ ଆଗ୍ରହ ପ୍ରକାଶ କରିବାକ୍ କୁହାଯାଇଛି। ମିତ୍ତଲ ଗ୍ରୁପର ଅଧିକାରୀମାନେ ନିକଟରେ ଚଣ୍ଡଗଡ଼ କାରଖାନାକୁ ଯାଇ ନିରୀକ୍ଷଣ କରିଥିବା ଜଣାପଡ଼ିଛି।