ବ୍ୟାସନଗର ବିକାଶ ଦିଗହରା: ଖର୍ଚ୍ଚ ହୋଇପାରୁନି ବିଧାୟକ ଓ ସାଂସଦ ପାଣ୍ଠି

ଯାଜପୁର/ବ୍ୟାସନଗର : ବ୍ୟାସନଗର ପୌରାଞ୍ଚଳର ବିକାଶ ଦିଗହରା। କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ ନକରି ପକାଇ ରଖାଯାଇଛି। ସହରବାସୀ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ। ସମ୍ବାଦର ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ସରକାରୀ ତଥ୍ୟର ଗୁମର କଥା। ବିଧାୟକ ଓ ସାଂସଦଙ୍କ ପାଣ୍ଠି ମଧ୍ୟ ବ୍ୟୟ କରିବାରେ ପୌରସଂସ୍ଥା ବିଫଳ। ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍‌ ସେବା, ଡ୍ରେନ, ପରିମଳ ଓ ସୌନ୍ଦର୍ଯ୍ୟୀକରଣରେ ଚରମ ଅବ୍ୟବସ୍ଥା। ଅପରପକ୍ଷରେ ଇସ୍ପାତ ରାଜଧାନୀ କଳିଙ୍ଗନଗରର ଅଧିକାଂଶ ଶିଳ୍ପାନୁଷ୍ଠାନର କର୍ମଚାରୀଙ୍କ ବାସସ୍ଥଳୀ ବ୍ୟାସନଗର ସହର। ସେମାନଙ୍କ ଗାଡ଼ିଘୋଡା ଗହଳି ଯୋଗୁଁ ସହରବାସୀଙ୍କ ଜୀବନଜୀବିକା ପ୍ରଭାବିତ।  ଅଥଚ ସେମାନଙ୍କର ମଧ୍ୟ ସହର ବିକାଶ ପ୍ରତି ଆନ୍ତରିକତା ନାହିଁ। ଦୁର୍ବଳ ନେତୃ୍ତ୍ବ ‌ଯୋଗୁଁ ସହର ବିକାଶରେ ଏକପ୍ରକାର ତାଲା ପଡ଼ିଛି।

Wikimedia Commons

ସରକାରୀ ତଥ୍ୟ ମୁତାବକ ବ୍ୟାସନଗର ସହରର ବିକାଶ ପାଇଁ ୧୫ଟି ସରକାରୀ ଯୋଜନାରୁ ଆସୁଥିବା ଅନୁଦାନ ମଧ୍ୟରୁ ୫ଟି ଯୋଜନାରୁ ଟଙ୍କାଟିଏ ବ୍ୟୟ କରାଯାଇନାହିଁ। ଏହାବାଦ୍‌ ୧୦ ଟି ଯୋଜନାରେ ଅନୁଦାନରୁ ଅଧା ଅନୁଦାନ ପଡିରହିଛି। ଏପରିକି ବିଧାୟକ ଓ ସାଂସଦ ପାଣ୍ଠି ବାବ‌ଦରେ ମିଳିଥିବା ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ। ଏଭଳି ଚରମ ଅବ୍ୟବସ୍ଥା ମଧ୍ୟରୁ ଡେଭୋଲୁସନ ଅନୁଦାନ ବାବଦକୁ ଗତ ତିନି ଆର୍ଥିକ ବର୍ଷରେ ୪ କୋଟି ୯୮ ଲକ୍ଷ ୩୩ ହଜାର ଟଙ୍କା ଆସିଥିଲା। ୩ କୋଟି ୨୦ ଲକ୍ଷ ୮୩ ହଜାର ୬୧୭ ଟଙ୍କା ଉନ୍ନୟନ କାର୍ଯ୍ୟରେ ବିନିଯୋଗ ନକରି ପକାଇ ରଖାଯାଇଛି। ୨୦୧୯-୨୦ରେ ୧କୋଟି ୩୩ ଲକ୍ଷ ୧୦ ହଜାର ଟଙ୍କାରୁ ୧୭ ଲକ୍ଷ ୭୯ ହଜାର ୨୫୦ ଟଙ୍କା ବଳକା ପଡ଼ିଛି। ୨୦୨୦-୨୧ରେ ୨ କୋଟି ୪୩ ଲକ୍ଷ ୪୯ ହଜାର ଟଙ୍କାରୁ ୧ କୋଟି ୮୧ ଲକ୍ଷ ୩୦ ହଜାର ୩୬୭ ଟଙ୍କା ଓ ୨୦୨୧-୨୨ରେ ସମୁଦାୟ ୧ କୋଟି ୨୧ ଲକ୍ଷ ୭୪ ହଜାର ଟଙ୍କା ପଡ଼ିରହିଛି।

ସେହିପରି ମୋଟରଯାନ ଟିକସ ଅନୁଦାନ ଖର୍ଚ୍ଚ ନହୋଇ ପଡିରହିଛି। ଗତ ୩ ବର୍ଷରେ ୧ କୋଟି ୫୭ ଲକ୍ଷ ୬୯ ହଜାର ଟଙ୍କାର ଅନୁଦାନ ଆସିଥିବା ବେଳେ ୮୯ ଲକ୍ଷ ୬୮ ହଜାର ୪୩୫ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬୮ ଲକ୍ଷ ଟଙ୍କା ବ୍ୟୟ କରାଯାଇ ନାହିଁ। ୨୦୧୯-୨୦ରେ ୪୭ ଲକ୍ଷ ୩୫ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ୭ ଲକ୍ଷ ୪୦ ହଜାର ଟଙ୍କା ୫୮୮ ଟଙ୍କା ବଳକା ଅଛି। ୨୦୨୦-୨୧ରେ ୫୩ ଲକ୍ଷ ୫ ହଜାର ଟଙ୍କା ଅନୁଦାନରୁ ୧୦ ଲକ୍ଷ ୩୩ ହଜାର ୧୬୯ ଟଙ୍କା ଖର୍ଚ୍ଚ ହୋଇନାହିଁ। ୨୦୨୧-୨୨ରେ ୫୭ ଲକ୍ଷ ୨୯ ହଜାର ଟଙ୍କା ଅନୁଦାନରୁ ୫୦ ଲକ୍ଷ ୨୬ ହଜାର ୮୦୮ ଟଙ୍କା ବ୍ୟୟ ହୋଇନାହିଁ। ବ୍ୟାସନଗରର ବିକାଶକୁ ତ୍ବରାନ୍ବିତ କରିବା ବଦଳରେ ଯେପରି ଅଘୋଷିତ ଶକ୍ତି ଦ୍ବ‌ାରା ଯୋଜନାବଦ୍ଧ ଭାବେ ବିକାଶକୁ ରୋକିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ଯାହାକି ଏହି ତଥ୍ୟକୁ ପ୍ରମାଣିତ ହେଉଛି। ସହର ବିକାଶକୁ ଦିଗହରା କରୁଥିବା ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ପ୍ରତି ଦିନକୁ ଦିନ ସହରବାସୀଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସହରବାସୀଙ୍କୁ ବର୍ଷ ବର୍ଷ ଧରି ବିକାଶର ସ୍ବପ୍ନ ଦେଖାଉଥିବା ଦୁର୍ବଳ ନେତୃତ୍ବ ଏବେ କାଠଗଡାରେ।

ସମ୍ବନ୍ଧିତ ଖବର