ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ହେବା ପରେ ସିବିଆଇ ତଦନ୍ତକାରୀ ଅଧିକାରୀଙ୍କ ସହ ଏକ ଟିମ୍ ଭୁବନେଶ୍ବରରେ ଡେରା ପକାଇଛନ୍ତି। ସୋମବାରଠାରୁ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ଟିମ୍। ରାଜଧାନୀ ଉପକଣ୍ଠ ବାରଙ୍ଗ ଅଞ୍ଚଳରେ ଯେଉଁଠି ଘଟଣା ଘଟିଥିଲା ସେଠାରେ ଟିମ୍ ପହଞ୍ଚି ଅନୁଧ୍ୟାନ କରି ଫେରିଥିବା ଚର୍ଚ୍ଚା ହେଉଛି। ଆସନ୍ତାକାଲିଠାରୁ ତଦନ୍ତକୁ ଆହୁରି ଜୋରଦାର କରାଯିବ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଏହି ଟିମ୍ ବିବନ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିବ। ଆସନ୍ତା ୫ ତାରିଖରେ ବିବନକୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ। ସେହିଦିନ ସିବିଆଇ ପକ୍ଷରୁ ରିମାଣ୍ଡ ଆବେଦନ ହୋଇପାରେ ବୋଲି ଅନୁମାନ କରାଯାଉଛି। କାରଣ ବିବନ ୨୨ ବର୍ଷ ଧରି ଫେରାର ଥିବା ବେଳେ ତା ବିରୋଧରେ ସ୍ବତନ୍ତ୍ର ଭାବେ ତଦନ୍ତ ଓ ଚାର୍ଜସିଟ୍ ଦାଖଲ କରାଯିବ। ତେଣୁ ଏଥିପାଇଁ ସିବିଆଇକୁ ଯଥେଷ୍ଟ ସାକ୍ଷ୍ୟପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ। ରିମାଣ଼୍ଡ ସମୟରେ ସିବିଆଇ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ ବୋଲି ଜଣାପଡିଛି। ସେହିପରି ବିବନର ଟିଆଇ(ଚିହ୍ନଟ) ପରେଡ୍ ମଧ୍ୟ କରାଯିବ। ସେହିପରି ରିମାଣ଼୍ଡ ଅବଧି ସମୟରେ କ୍ରାଇମ ସିନ୍ ରିକ୍ରିଏସନ୍ ମଧ୍ୟ କରାଯାଇ ପାରେ। ସମ୍ଭବତଃ ଜେଲ ଭିତରେ ଏହି ଟିଆଇ ପରେଡ୍ ହୋଇପାରେ ବୋଲି ଜଣାପଡିଛି। ସିବିଆଇ ଖୁବଶୀଘ୍ର ତଦନ୍ତ ପ୍ରକ୍ରିୟା ଶେଷ କରିବା ସହ ସାକ୍ଷ୍ୟ ପ୍ରମାଣ ଯୋଗାଡ କରି ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ମିଳିଛି।

Advertisment

ଅନ୍ୟପକ୍ଷରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ତିନି ଜଣିଆ ଟିମ୍ ସୋମବାର ପୁଣି ଥରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀକୁ ଭେଟିଛନ୍ତି। ପୁଲିସ ସେବା ଭବନକୁ ଯାଇ ଏହି ଟିମ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ଏ ନେଇ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଆମେ ମୁଖ୍ୟ ଅଭିଯୁକ୍ତକୁ ଧରିସାରିଥିଲେ ମଧ୍ୟ ଦୋଷୀ ସାବ୍ୟସ୍ତ କରିବା ସିବିଆଇକୁ ଅନେକ କାମ କରିବାକୁ ବାକି ଅଛି। ଆଜି ସିବିଆଇ ଅଧିକାରୀମାନେ ଭେଟି ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାର ଓ କମିସନରେଟ୍‌ ପୁଲିସ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ବିବନ ଗିରଫ ହେବା ପରେ ତଦନ୍ତକାରୀ ଅଧିକାରୀ କମିସନରଙ୍କୁ ଭେଟି ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ୨୨ ବର୍ଷ ଧରି ଫେରାର ଥିବା ବିବନକୁ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ମହାରାଷ୍ଟ୍ରର ପୁଣେ-ଲୋନାଵାଲା ରାସ୍ତାର ଆମ୍ବିଭ୍ୟାଲିରୁ ଗିରଫ କରାଯାଇଥିଲା। ଗତ ୨୨ ତାରିଖରେ କମିସନରେଟ ପୁଲିସ ବିବନକୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଇଥିଲା। ଏବେ ସେ ଝାରପଡ଼ା ଜେଲରେ ଅଛି।