ଘୁ.ଉଦୟଗିରି: କର୍ଣ୍ଣାଟକର ଐତିହ୍ୟସ୍ଥଳ ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା ଲେଫ୍ଟ ବ୍ୟାଙ୍କ୍ କେନାଲ ନିକଟରେ ଗତ ଗୁରୁବାର ରାତିରେ ଇସ୍ରାଏଲ୍ର ଜଣେ ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେମାନଙ୍କ ସହ ଥିବା କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ତେରେବାଡ଼ି ଗ୍ରାମର ବିଭାସ ନାୟକ ଦୁଷ୍କର୍ମକାରୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିଲେ। ସେମାନେ ତାଙ୍କୁ କେନାଲ ଭିତରକୁ ଠେଲି ଦେଇଥିବା ବେଳେ ଗତକାଲି ତାଙ୍କ ଶବ ମିଳିଥିଲା। ଆଜି ବିଭାସଙ୍କ ଶବକୁ କର୍ଣ୍ଣାଟକରୁ ଅଣାଯିବା ପରେ ଘୁ.ଉଦୟଗିରିର ଗୁଡ୍ରିପୋଡ଼ିସ୍ଥିତ ମିସନ୍ କ୍ୟାମ୍ପସ୍ରେ ଶୋକାକୁଳ ପରିବେଶରେ ଖ୍ରୀଷ୍ଟ୍ରୀୟ ରୀତିନୀତି ଅନୁସାରେ କବର ଦିଆଯାଇଛି।
ରବିବାର ଅପରାହ୍ଣରେ ଆମ୍ବୁଲାନ୍ସ ଯୋଗେ ବିଭାସଙ୍କ ଶବକୁ ଘୁ.ଉଦୟଗିରି ଅଣାଯାଇଥିଲା। ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଖ୍ରୀଷ୍ଟଧର୍ମର ପ୍ରଚାରକ, ଫାଦର୍, ସିଷ୍ଟର୍ ଓ ଆଖାପାଖ ଅଞ୍ଚଳରେ ଥିବା ଚର୍ଚ୍ଚଗୁଡ଼ିକର ପାଳକଙ୍କ ଗହଣରେ ଅପରାହ୍ଣ ପ୍ରାୟ ୪ଟାରେ ତାଙ୍କୁ କବର ଦିଆଯାଇଛି। ଏହି ସମୟରେ ତାଙ୍କ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବିଭାସଙ୍କ ମୃତ୍ୟୁରେ ଦାରିଙ୍ଗବାଡ଼ି, ଘୁ.ଉଦୟଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖ୍ରୀଷ୍ଟ ସମ୍ପ୍ରଦାୟର ମଡେରେଟର୍ ବିଜୟ ନାୟକଙ୍କ ଏକମାତ୍ର ପୁଅ ବିଭାସ ଉଚ୍ଚଶିକ୍ଷିତ ଥିଲେ। ସେ ଚେନ୍ନାଇସ୍ଥିତ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜରେ ବିବିଏ ଏବଂ ମୁମ୍ବାଇରୁ ଏମ୍ବିଏ ଡିଗ୍ରି ସାରିବା ପରେ ଦିଲ୍ଲୀସ୍ଥିତ ଏସ୍ଟି ଷ୍ଟିଫେନ୍ ହସ୍ପିଟାଲରେ ଚାକିରି କରୁଥିଲେ। କିଛିଦିନ ହେବ ସେ ନିଜ ବନ୍ଧୁମାନଙ୍କ ସହ କର୍ଣ୍ଣାଟକର ପର୍ଯ୍ୟଟନସ୍ଥଳ ହାମ୍ପିକୁ ବୁଲିବାକୁ ଆସିଥିବା ବେଳେ ଗୁରୁବାର ରାତିରେ ତାଙ୍କୁ ହତ୍ୟା କରାଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାସଙ୍କ ପରିବାରବର୍ଗ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/10/p0yftSbsx7HnTEkIz8Iu.jpg)