ଦାରିଙ୍ଗବାଡ଼ିର ବିଭୂତି ପାଇଲେ ଆଇଏଏସ୍‌

ଦାରିଙ୍ଗବାଡ଼ି : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତାଜୁଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗି ଗ୍ରାମର ବିଭୂତି ଭୂଷଣ ନାୟକ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ଲକ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହା ସହ ସେ ସେ ଜିଲ୍ଲାର ଯୁବ ପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହୋଇଛନ୍ତି ଭୁବନେଶ୍ୱର ରାଜଧାନୀ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ବିଭୂତି। ପରେ ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇବା ପାଇଁ ସେ ବାଜିରାଉତ ଆଇଏଏସସ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। ବିଭୂତି ଜଣେ ମେଧାବୀ, ପରିଶ୍ରମୀ ଓ ଦୃଢ ଆତ୍ମବିଶ୍ବାସୀ ଛାତ୍ର ଭାବେ ଜଣାଶୁଣା ଥିଲେ। ତାଙ୍କ ପିତା ଏଲିଆସ ନାୟକ ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଓ ମାତା ପ୍ରେମଲତା ନାୟକ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କର ଏହି ସଫଳତା ପାଇଁ ଆତ୍ମୀୟସ୍ବଜନ ବ୍ଳକବାସୀଙ୍କ ମଧ୍ୟରେ ଖୁସି ଲହରୀ ଖେଳିଥିବା ବେଳେ କୃତଜ୍ଞତା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

ସମ୍ବନ୍ଧିତ ଖବର