ଭୁବନେଶ୍ବର: ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ କହିଥିଲେ, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦେହ ଅସୁସ୍ଥ ଥିଲା। ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ନବୀନ ବାବୁ ହସ୍ପିଟାଲରେ ଥିବାବେଳେ ତାଙ୍କୁ ଦେଖା କରିବାକୁ ବହୁ ନେତା ଯାଇଥିଲେ, କିନ୍ତୁ କେହି ଦେଖା କରିପାରିଲେନି। ସେହିପରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଉଛୁ ତାମିଲ୍ ବାବୁ ସକ୍ରିୟ, ନବୀନ ବାବୁ ନିଷ୍କ୍ରିୟ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ, ଆମ ସରକାର ଆସିଲେ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାର ତଦନ୍ତ ହେବ। ଆମେ ସମସ୍ତେ ନବୀନ ବାବୁଙ୍କୁ ଭଲ ପାଉ। ତେଣୁ ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କ କଥାକୁ ରଖି ନବୀନ ବାବୁଙ୍କ ସ୍ବାସ୍ଥ୍ୟାବସ୍ଥାର ପ୍ରକୃତ ସ୍ଥିତି ଜାଣିବାକୁ ଏକ ତଦନ୍ତ କମିଟି ଗଠନ କରନ୍ତୁ।
ନବୀନଙ୍କ ସ୍ବାସ୍ଥ୍ୟାବସ୍ଥାର ତଦନ୍ତ ପାଇଁ କମିଟି ଗଠନ ଦାବି କରି ପ୍ରତ୍ୟାହାର କଲେ
ଗୃହ ବିବରଣୀରୁ ବାଦ୍ ଦେବାକୁ ବିଜେଡି ବିଧାୟକଙ୍କ ଦାବି
ଇଏ ୮ଦିନରେ ଥରେ କେଉଁ ବାବୁଙ୍କ ପାଖକୁ ଦିଲ୍ଲୀ ଯାଉଛନ୍ତି: ପ୍ରମିଳା
ଏହାପରେ ବିଜେଡି ବିଧାୟକମାନେ ଚିହିଁକି ଉଠିଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିରୋଧୀ ଦଳ ନେତା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଅନ୍ୟ କାର୍ଯ୍ୟରେ ଦିଲ୍ଲୀ ଯାଇଛନ୍ତି। ଆପଣ ଏଭଳି କଥା ଉଠାଇବାକୁ ଅନୁମତି ଦିଅନ୍ତୁ ନାହିଁ। ଏହାପରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ଏହାକୁ ଗୃହ ବିବରଣୀରୁ ବାଦ୍ ଦିଆଯାଉ। ଏ କଥାର ଏଠି କ’ଣ ଆବଶ୍ୟକତା ଅଛି? ବାଚସ୍ପତି ବିରୋଧୀ ଦଳ ସଦସ୍ୟମାନଙ୍କୁ ଆସନରେ ବସିବାକୁ କହିଥିଲେ। କିନ୍ତୁ ସମସ୍ତେ ଦାବି କରିଥିଲେ ଆଗ ଗୃହ ବିବରଣୀରୁ ବାଦ୍ ଦିଅନ୍ତୁ। ବାଚସ୍ପତି କହିଥିଲେ, ଏ ବିଷୟରେ ତଦନ୍ତ କରିବାର ଆବଶ୍ୟକତା ନାହିଁ। ଏହାପରେ ପ୍ରମିଳା ମଲ୍ଲିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇଙ୍ଗିତ କରି କହିଥିଲେ, ଇଏ ୮ଦିନରେ ଥରେ କେଉଁ ବାବୁଙ୍କୁ ପାଖକୁ ଦିଲ୍ଲୀ ଯାଉଛନ୍ତି? ଦେଶର ଉପରାଷ୍ଟ୍ରପତି ହଠାତ୍ କାହିଁକି ଇସ୍ତଫା ଦେଉଛନ୍ତି, ଇସ୍ତଫା ଦେଇ କୁଆଡ଼େ ଗଲେ ସେକଥା କେହି ଜାଣିପାରିଲେନି, ଆମ ନେତା କୁଆଡ଼େ ଗଲେ ତାହା ଜାଣିବାକୁ ଆଗ୍ରହ।
ବାଚସ୍ପତି ପୁଣି ହସ୍ତକ୍ଷେପ କରି କହିଥିଲେ, ବିରୋଧୀ ଦଳ ନେତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। କିଏ କେଉଁ କାମରେ ବାହାରକୁ ଯାଇଛନ୍ତି ତାହା ତର୍ଜମା କରିବାର ଆବଶ୍ୟକତା ନାହିଁ। ଏଭଳି କଥାର କୌଣସି ତଦନ୍ତ ଆବଶ୍ୟକତା ନାହିଁ। ତଦନ୍ତ ହେବନି, ଆପଣମାନେ ଆସନରେ ବସନ୍ତୁ। ଏହାପରେ ବି ବିରୋଧୀ ଦଳ ସଦସ୍ୟମାନେ ବିଧାୟକ ଶ୍ରୀ ପ୍ରଧାନଙ୍କ କଥାକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଦାବି କରିବାରୁ ବାଚସ୍ପତି କହିଥିଲେ, ଏଭଳି ଅନେକ କଥା ଉଠେ, ସମସ୍ତଙ୍କ କଥା ଗ୍ରହଣଯୋଗ୍ୟ ହୁଏନି। ସବୁ ପଏଣ୍ଟ ଅଫ୍ ଅର୍ଡର ରେକର୍ଡ ହୁଏ କି ନାହିଁ, ଆପଣମାନେ ଜାଣିଛନ୍ତି। ଆପଣମାନେ ଟିକେ ସହନଶୀଳ ହୁଅନ୍ତୁ। ଏଠାରେ କୌଣସି ଅଣସଂସଦୀୟ ଶବ୍ଦ ବ୍ୟବହାର ହୋଇନି ଯେ ତାକୁ ମୁଁ ଗୃହ ବିବରଣୀରୁ ବାଦ୍ ଦେବି। ବିଧାୟକ ବହୁତ ଭାବପ୍ରବଣ ହୋଇକି ଏମିତି କହିଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ, କାହାର ମନକୁ ଆଘାତ କରିବା ଭଳି କିଛି କହିନି। ଯଦି କହିଛି, ମୋ କଥାକୁ ମୁଁ ପ୍ରତ୍ୟାହାର କରୁଛି। ଏହାପରେ ବିଜେଡି ବିଧାୟକମାନେ ଆସନରେ ବସି ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ।