ବିଛାଖଣ୍ତି ପାହାଡ଼ ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ତି ପାହାଡ଼ର ୯ଟି ସଇରାତର ନିଲାମ ପ୍ରକ୍ରିୟା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରିକରିଛନ୍ତି। ଖଣିଖାଦାନ ଖନନ ବେଳେ ପାହାଡ଼ରେ ୱାଗନଡ୍ରିଲିଂ କରି ବିସ୍ଫୋରଣ କରିବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେଉଛି। ଏହି ନିଲାମ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଗତ ମାସ ୨୬ତାରିଖରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ରବୀନ୍ଦ୍ର ରାଉତ, ଲକ୍ଷ୍ମୀଧର ସ୍ବାଇଁ, ବିନୋଦ ସେଠୀ, ଡମ୍ବରୁ ମଲ୍ଲ, ଯୋଗେନ୍ଦ୍ର ବଳ, ମାନ ରାଉତ ଓ ଅକ୍ଷୟ କୁମାର ସେଠୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

ଅଭିଯୋଗ ମୁତାବକ ଏହି ପାହାଡ଼ରେ ୱାଗନବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଏହି ଆବେଦନ ଉପରେ ଡବ୍ଲୁପି (ସି) ୮୩୭୮ ଉପରେ ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ୯ ସଇରାତର ନିଲାମ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅଞ୍ଚଳର ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। ଚାଷଜମିରେ ପଥର ପଡିବା ଯୋଗୁଁ ଉର୍ବରତା କମୁଛି। ପ୍ରଚଣ୍ତ ବିସ୍ଫୋରଣ ଯୋଗୁଁ ପକ୍କାଘର ଫାଟିଯାଇଛି। ବିସ୍ଫୋରକ ଦ୍ରବ୍ୟ ବ୍ୟବହାର ଯୋଗୁଁ ନଦୀନାଳ ପାଣି ବିଷାକ୍ତ ହେଉଛି। ବହୁ ଲୋକ ଚର୍ମ ତଥା କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଗୋଚର ଜମିରେ ପଥର ପଡୁଥିବାରୁ ଗୃହପାଳିତ ପଶୁ ଚାରଣ ଭୂଇଁ ପାଉନାହାନ୍ତି। ଗତ ୯ତାରିଖରେ ହାଇକୋର୍ଟ ଏହାର ଶୁଣାଣିକରି ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିଲାମ ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଛନ୍ତି।

ବିଛାଖଣ୍ତି ମୌଜାର ଖାତା ନମ୍ବର ୮୨୨ ଓ ୩୮୯ର ପ୍ଲଟ୍ ନମ୍ବର୍ ୨୩୩୮, ୧୮୨୬, ୧୮୧୫ ଉପରେ ୩୬.୫ ହେକ୍ଟର ଉପରେ ୯ଟି କଳାପଥର ସଇରାତ ନିଲାମ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ବାରମ୍ବାର ଅଭିଯୋଗ ହେବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିଲାମ ହେବାକୁ ଥିବା ସଇରାତ ପାଇଁ ଜନଶୁଣାଣି କରିବାକୁ ପତ୍ରାଙ୍କ ୧୦୮୨୦/୩୧.୦୭.୨୦୨୦ ମାଧ୍ୟମରେ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ସେଥିପାଇଁ ୨୦୨୦ ଅଗଷ୍ଟ ୨୮ ତାରିଖରେ ଧର୍ମଶାଳା ତହସିଲ ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ କଲ୍ୟାଣ ମଣ୍ତପ ଠାରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ହୋଇଥିଲା। ସେତେବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବା ସହ ବିଛାଖଣ୍ତି ଅଞ୍ଚଳର ପୁନର୍ବାର ଜନଶୁଣାଣି କରିବାକୁ ଦାବି କରିଥିଲେ। ଅଭିଯୋଗ ଲିଖିତ ଭାବେ ଜଣାଇବା ପାଇଁ କହି ଜନଶୁଣାଣି ବନ୍ଦ କରିଦିଆଯାଇଥିଲା। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେପ୍ଟେମ୍ବର ୨ ରେ ନିଲାମ ବନ୍ଦ ପାଇଁ ଲିଖିତ ଅଭିଯୋଗ କରାଯାଇଥିଲେ। ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା। ସେଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ କଳ୍ପତରୁ ଖୁଣ୍ଟିଆ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟ ରାୟ ପ୍ରକାଶ ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର