ବିଚିତ୍ରପୁର ପ୍ରକୃତି ନିବାସ ବିକାଶରେ ଲାଗିଲା ଡେଣା

ମିଳିଲା ୨ଟି ବୋଟ୍‌, ୫୨ ଫୁଟ୍‌ର ଭାସମାନ ଜେଟି

ଚନ୍ଦନେଶ୍ୱର: ବିଚିତ୍ରପୁର ପ୍ରକୃତି ନିବାସକୁ ୩୬ ଲକ୍ଷ ଟଙ୍କାର ଆଉ ୨ଟି ସ୍ୱତନ୍ତ୍ର ବୋଟ୍‌ ସହ ୧୬ ଲକ୍ଷ ଟଙ୍କାରେ ୫୨ ଫୁଟ୍‌ ଲମ୍ବର ଏକ ଭାସମାନ ଜେଟି ମିଳିଛି। ଏହାଛଡ଼ା ୫ ଶହରୁ ଅଧିକ ହେକ୍ଟର ଜାଗାରେ ନୂତନ ଲୁଣା ଜଙ୍ଗଲ ବି ସୃଷ୍ଟି କରାଯାଇଛି। ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ମଧ୍ୟ ଲଗାଯାଇଛି। ସରକାରଙ୍କ ଆନ୍ତରିକତା, ଉଦୟପୁର ବନପାଳ ଅଜୟ କୁମାର ଜେନାଙ୍କ ଉଦ୍ୟମ ତଥା ସ୍ଥାନୀୟ ବନ ସୁରକ୍ଷା କମିଟିର ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇଛି। ଏ ନେଇ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି। ସମ୍ମିଳନୀରେ ଶମ୍ଭୁନାଥ ମାଝୀ, ଭରତ ବେହେରା, ଗୋପାଳ ଲୟା, କାଳୀପଦ ନାୟକ, ହରେକୃଷ୍ଣ ଗିରି, ଶ୍ରୀହରି ମାଝୀ, ଶ୍ରୀକାନ୍ତ ମହାର, ମହେନ୍ଦ୍ର ମଲ୍ଲିକ, ହରିପଦ ନାୟକ, କାର୍ତ୍ତିକ ମଣ୍ଡଳ, ସରସ୍ୱତୀ ଦାସ, ଲକ୍ଷ୍ମୀପ୍ରିୟା ରଣା, ରମେଶ ପଟ୍ଟାୟତ, ଚନ୍ଦନ ମଙ୍ଗଳ, ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ପୂର୍ବରୁ ବିଚିତ୍ରପୁର ଇକୋ ଟୁରିଜିମ୍‌ରେ ଏକ ଭାସମାନ ଜେଟି ରହିଥିଲା। ୪ଟି ବୋଟ୍‌ରେ ପର୍ଯ୍ୟଟକମାନେ ପ୍ରକୃତିର ମଜା ନେଉଥିଲେ। ଏହାଛଡ଼ା ନେଚର କ୍ୟାମ୍ପ୍‌ରେ ପର୍ଯ୍ୟଟକଙ୍କ ଲାଗି ୪ଟି ସ୍ଥାୟୀ ଓ ୬ଟି ଅସ୍ଥାୟୀ ଶୀତତାପ ନିୟନ୍ତ୍ରିତ କେଟେଜ୍‌ ରହିଛି। ଉଦୟପୁର ବନପାଳ ଅଜୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ଇକୋ ଟୁରିଜିମ୍‌ର ସଭାପତି ଶମ୍ଭୁନାଥ ମାଝୀ ଓ ନେଚର କ୍ୟାମ୍ପ୍‌ର ସଭାପତି ବଳରାମ ପାତ୍ରଙ୍କ ସହଯୋଗରେ ବିଚିତ୍ରପୁରର ବିକାଶ ହୋଇଛି। ଆଗକୁ ଏକ ପୋଲ ନିର୍ମାଣ ପାଇଁ ୫୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ସହ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର