କୋଇଲା ଖଣି ନିଲାମ ପାଇଁ ବିଡ୍‌ ଦାଖଲ, ରାଧିକାପୁର ପାଇଁ ସର୍ବାଧିକ ଆଗ୍ରହ

ଅନୁଗୁଳ : ଘରୋଇ କ୍ଷେତ୍ରକୁ କୋଇଲା ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଖଣି ନିଲାମ ପ୍ରକ୍ରିୟାରେ ଅନୁଗୁଳ ଜିଲ୍ଲାର ୪ଟି ଖଣି ପାଇଁ ବିଡ୍ ପଡ଼ିଛି। ଛେଣ୍ଡିପଦାର ଦୁଇଟି ଖଣି ପାଇଁ ମାତ୍ର ଗୋଟିଏ କଂପାନି ଭାଗ ନେଇଥିବାବେଳେ ରାଧିକାପୁର (ଛେଣ୍ଡିପଦା)ର ଦୁଇଟି ଖଣି ପାଇଁ ସର୍ବାଧିକ ୫ଟି ଲେଖାଏଁ ବିଡ୍ ଦାଖଲ ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ସରକାର ଦେଶର ବିଭିନ୍ନ କୋଇଲା ଖଣିର ନିଲାମ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ଓଡ଼ିଶାର ୯ଟି ଖଣି ରହିଛି। ଓଡ଼ିଶାର ଏହି ୯ଟି ଖଣି ମଧ୍ୟରୁ ୮ଟି କେବଳ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଂଚଳରେ ରହିଛି। ଗତ ଅଗଷ୍ଟ ୧୮ତାରିଖରେ ଖଣି ନିଲାମ ପାଇଁ ସ୍ଥିର ହୋଇଥିଲା। ମାତ୍ର କୌଣସି କାରଣରୁ ଏହାକୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ନିଲାମ ପାଇଁ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ବିଡ୍ ଦାଖଲ ପ୍ରକ୍ରିୟା ଗତକାଲି ୨୯ ତାରିଖରେ ଶେଷ ହୋଇଛି। ଦେଶର ସର୍ବମୋଟ ୩୮ଟି ଖଣି ପାଇଁ ବିଡ୍ ଦାଖଲ ହୋଇଛି। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା-୧, ଛେଣ୍ଡିପଦା-୨, ମାଛକଟା, ମହାନଦୀ, ରାଧିକାପୁର(ପୂର୍ବ), ରାଧିକାପୁର(ପଶ୍ଚିମ), ବ୍ରାହ୍ମଣବିଲ-କରଡ଼ାବାହାଲ ଓ ଫୁଲଝରି(ପୂର୍ବ ଓ ପଶ୍ଚିମ) ଖଣି ମଧ୍ୟରୁ ମାତ୍ର ୪ଟି ଖଣି ପାଇଁ ବିଡ୍ ଦାଖଲ ହୋଇଥିବା ଜଣାପଡ଼ିଛି। ଛେଣ୍ଡିପଦା-୧ ଓ ଛେଣ୍ଡିପଦା-୨ ନିମନ୍ତେ କେବଳ ଏପିଏମ୍‌ଡିସି ବିଡ୍ ଦାଖଲ କରିଛି। ସେହିପରି ରାଧିକାପୁର(ପୂର୍ବ) ନିମନ୍ତେ ରୁଙ୍ଗଟା ମାଇନ୍ସ ଲିମିଟେଡ୍‌, ଆଦାନି ଏଣ୍ଟରପ୍ରାଇଜେସ୍, ଇଏମ୍‌ଆଇଏଲ୍‌ ମାଇନ୍ସ ଆଣ୍ଡ ମିନେରାଲ୍‌ ରିସୋର୍ସ ଲିମିଟେଡ୍, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ୍‌ ଓ ନେସ୍‌ନାଲ ଆଲୁମିନିୟମ କଂପାନି ଲିମିଟେଡ୍ (ନାଲ୍‌କୋ)ବିଡ୍ ପକାଇଛନ୍ତି। ସେହିପରି ରାଧିକାପୁର(ପଶ୍ଚିମ) ପାଇଁ ରୁଙ୍ଗଟା ମାଇନ୍ସ ଲିମିଟେଡ୍‌, ଛେଣ୍ଡିପଦା କଲିୟରିଜ୍ ପ୍ରାଇଭେଟ୍‌ ଲିମିଟେଡ୍‌, ଇଏମ୍‌ଆଇଏଲ୍‌ ମାଇନ୍ସ ଆଣ୍ଡ ମିନେରାଲ୍‌ ରିସୋର୍ସ ଲିମିଟେଡ୍, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ୍‌ ଏବଂ ବେଦାନ୍ତ ବିଡ୍ ପକାଇଥିବା ଜଣାପଡ଼ିଛି। ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ୧୯ ଅକ୍ଟୋବରରୁ ୯ ନଭେମ୍ବର ମଧ୍ୟରେ ଇ-ନିଲାମ ପାଇଁ ସମୟ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର